ରାଉରକେଲା: ପୂର୍ବାଞ୍ଚଳ ଜୋନ୍ର ଶ୍ରେଷ୍ଠ ୪ ଦଳ ଭିତରେ ରହି ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ କିଟ୍ ବିଶ୍ବବିଦ୍ୟାଳୟ ସର୍ବଭାରତୀୟ ହକି ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶାର ଦୁଇଟି ଦଳ ସର୍ବଭାରତୀୟ ପୁରୁଷ ହକି ପ୍ରତିଯୋଗିତାରେ ଭାଗନେବେ। ଏହି ପ୍ରତିଯୋଗିତା ଡିସେମ୍ବର ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଗୁରୁକୁଳ କାଙ୍ଗ୍ରୀ ବିଶ୍ବବିଦ୍ୟାଳୟ (ହରିଦ୍ବାର)ରେ ଅନୁଷ୍ଠିତ ହେବ। ଏହି ଦୁଇ ଓଡ଼ିଶା ଦଳ ବ୍ୟତୀତ ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠ (ବାରଣାସୀ) ଓ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ (ଉତ୍ତରପ୍ରଦେଶ) ମଧ୍ୟ ସର୍ବଭାରତୀୟ ଯୋଗ୍ୟତା ହାସଲ କରିଛନ୍ତି।
ଶନିବାରଠାରୁ ଏହି ୪ ଦଳ ଶୀର୍ଷ ସ୍ଥାନ ପାଇଁ ପରସ୍ପର ମଧ୍ୟରେ ମୁହାଁମୁହିଁ ହେବେ। ଏହା ପୂର୍ବରୁ ସ୍ଥାନୀୟ ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଅନୁଷ୍ଠିତ ପୂର୍ବାଞ୍ଚଳ ଜୋନ୍ ଅନ୍ତଃବିଶ୍ବବିଦ୍ୟାଳୟ ମହିଳା ହକି ପ୍ରତିଯୋଗିତାରେ ମଧ୍ୟ ସମ୍ବଲପୁର ଓ କିଟ୍ ଦଳ ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରିଥିଲେ।
ଶୁକ୍ରବାର ଖେଳିଥିବା ମ୍ୟାଚ୍ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଏକତରଫାଭାବେ ୯-୨ ଗୋଲ୍ରେ ସନ୍ଥ ଗହୀର ଗୁରୁ ବିଶ୍ବବିଦ୍ୟାଳୟ (ଅମ୍ବିକାପୁର)କୁ ପରାସ୍ତ କରିଥିଲା। ସମ୍ବଲପୁର ଦଳ ମ୍ୟାଚ୍ର ପ୍ରଥମ ମିନିଟ୍ରୁ ଆକ୍ରାମକ ଶୈଳୀ ଆପଣାଇଥିଲା। ମ୍ୟାଚ୍ର ଦ୍ବିତୀୟ ମିନିଟ୍ରେ ଆର୍ଯ୍ୟନ ଖେସ୍ ଏକ ଆକର୍ଷଣୀୟ ଫିଲ୍ଡଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ଏହାପରେ ଦଳୀୟ ଖେଳାଳି ଗୋଟିଏପରେ ଗୋଟିଏ ଗୋଲ୍ ସ୍କୋର୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ ମଣ୍ଡଳ ଦୁଇଟି (୬ ଓ ୨୫ ମିନିଟ୍), ଅନମୋଲ ଏକ୍କା (୪), ପ୍ରତାପ ଟପ୍ପୋ (୧୪), ରାଜକୁମାର ମିଞ୍ଜ (୨୦), ବିକାଶ ଲାକ୍ରା (୨୬) ପୱନ ଯାଦବ (୨୮) ଓ ଅମିତ ଟପ୍ପୋ (୩୯) ଗୋଟିଏ ଲେଖାଏ ଗୋଲ୍ କରିଥିଲେ। ଅମ୍ବିକାପୁରର ପକ୍ଷରୁ ନୈନିତ ମିଞ୍ଜ (୨୯) ଓ ଅଞ୍ଜୁ କେରକେଟା (୩୪) ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ।
ସେହିଭଳି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ କିଟ୍ ୨-୧ ଗୋଲ୍ରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ସପ୍ତମ ମିନିଟ୍ରେ କିଟ୍କୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା। ଏହାର ସଦୁପଯୋଗକରି ସଞ୍ଜୀବ ମାଝୀ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଆଗୁଆ କରିଥିଲେ। ଏହାପରେ ଉଭୟ ଦଳ ଲଢ଼ୁଆ ଖେଳିଥିଲେ ବି ଦ୍ବିତୀୟ କ୍ବାର୍ଟର୍ ସୁଦ୍ଧା ସ୍କୋର୍ବୋର୍ଡ ଅପରିବର୍ତ୍ତିତ ରହିଥିଲା। କିନ୍ତୁ ୪୧ତମ ମିନିଟ୍ରେ କିଟ୍ର ରୋଶନ ଓରାମ ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ତେବେ ୫୩ତମ ମିନିଟ୍ ବନାରସ ଦଳ ତରଫରୁ ସନ୍ନି ପଟେଲ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ। ଅନ୍ୟ ଦୁଇ ମ୍ୟାଚ୍ରେ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ୯-୦ ଗୋଲ୍ରେ ହେମଚନ୍ଦ ଯାଦବ ବିଶ୍ବବିଦ୍ୟାଳୟ ଦୁର୍ଗକୁ ଓ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ୮-୩ ଗୋଲ୍ରେ ରାଞ୍ଚି ବିଶ୍ବବିଦ୍ୟାଳୟକୁ ହରାଇଥିଲେ।