ପୂର୍ବାଞ୍ଚଳ ଜୋନ୍‌ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି

Advertisment
ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ପୂର୍ବାଞ୍ଚଳ ଜୋନ୍‌ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ପୋଜିସନ୍‌ ମ୍ୟାଚ୍‌ ଶନିବାରଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାର ଶ୍ରେଷ୍ଠ ୪ ଦଳ ଭିତରେ ରହି ସର୍ବଭାରତୀୟ ଯୋଗ୍ୟତା ଅର୍ଜନ କରିଥିବା ସମ୍ବଲପୁର, କିଟ୍‌, ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ ଓ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ଜୋନ୍‌ ଟପ୍ପର ହେବା ପାଇଁ କଡ଼ା ପ୍ରୟାସ କରିଥିଲେ। ଆଜି ଏହି ୪ଟି ଦଳ ୨ଟି ଲେଖାଏ ମ୍ୟାଚ୍‌ ଖେଳିଥିଲେ। ଏଥିମଧ୍ୟରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ନିଜର ଉଭୟ ମ୍ୟାଚ୍‌କୁ ଜିତିନେଇଥିବାବେଳେ କିଟ୍‌ ତା’ର ଦୁଇ ମ୍ୟାଚ୍‌ରେ ପରାଜୟ ବରଣ କରିଛି। ସେହିଭଳି ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠ ଓ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଥିବାବେଳେ ଅନ୍ୟଥିରେ ପରାସ୍ତ ହୋଇଛନ୍ତି।
publive-image
ସମ୍ବଲପୁର ତା’ର ପ୍ରଥମ ମ୍ୟାଚ୍‌ରେ କାଶୀ ବିଦ୍ୟାପୀଠକୁ ୨-୦ ଗୋଲରେ ପରାସ୍ତ କରିଛି। ଦଳ ପକ୍ଷରୁ ପ୍ରତାପ ଟପ୍ପୋ(୨୧) ଓ ପ୍ରଦୀପ ମଣ୍ଡଳ(୪୯) ଗୋଟିଏ ଲେଖାଏ ଗୋଲ୍‌ ସ୍କୋର୍‌ କରିଥିଲେ। ତେବେ ଦ୍ବିତୀୟ ମ୍ୟାଚ୍‌ରେ କିଟ୍‌କୁ ଭେଟିଥିବା ସମ୍ବଲପୁରକୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ତେବେ ୨୪ତମ ମିନିଟ୍‌ରେ ହାରୁନ ମିଞ୍ଜଙ୍କ ଗୋଲ୍‌(୨୪) ବ‌ଳରେ ସମ୍ବଲପୁର ୧-୦ ଗୋଲରେ କିଟ୍‌କୁ ପରାସ୍ତ କରିଛି। ଅପରପକ୍ଷରେ କିଟ୍‌ ଦଳ ସମ୍ବଲପୁରଠାରୁ ପରାଜୟ ଭୋଗିବାସହ ବୀର ବାହାଦୂର ସିଂହ ପୂର୍ବାଞ୍ଚଠାରୁ ମଧ୍ୟ ୦-୨ ଗୋଲରେ ପରାସ୍ତ ହୋଇଛି। ଭିବିଏସ୍‌ ପୂର୍ବାଞ୍ଚଳର ଗୋବିନ୍ଦ ଯାବବ(୭) ଓ ମୋନୁ ରାଜଭର(୪୮) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ଅନ୍ତିମ ମ୍ୟାଚ୍‌ରେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ ଦଳ ୨-୦ ଗୋଲରେ ଭିବିଏସ୍‌ ପୂର୍ବାଞ୍ଚଳକୁ ପରାସ୍ତ କରିଛି। ଦଳ ପକ୍ଷରୁ ଲଳିତ ନେଗୀ(୪) ଓ ଆକାଶ ଯାଦବ(୩୫) ଗୋଟିଏ ଲେଖାଏ ଗୋଲ୍‌ ସ୍କୋର୍‌ କରିଥିଲେ।