ସମଲିଙ୍ଗୀ କ୍ରୀଡ଼ାବିତ୍‌ ନୂଆ ନୁହେଁ, କାଷ୍ଟର ସିମେନ୍ୟା-ଭାଓଲେଟ୍ ରସେବୋୟା

ଦୂତିଙ୍କ ସମଲିଙ୍ଗୀ ଚର୍ଚ୍ଚା

ସମଲିଙ୍ଗୀ ସଂପର୍କ ତଥା ସମଲିଙ୍ଗୀ ବିବାହ କ୍ରୀଡ଼ା ଜଗତରେ ନୂଆ ନୁହଁ। ଆଗରୁ ମଧ୍ୟ ବହୁ ପରିଚିତ ତଥା ଲୋକପ୍ରିୟ ତାରକା ନିଜକୁ ସମଲିଙ୍ଗୀ ବୋଲି ସ୍ବୀକାର କରିବା ସହ ଏଭଳି ନିଆରା ଧରଣର ଓ ଅଣପାରମ୍ପରିକ ବିବାହ କରିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟା-ଭାଓଲେଟ୍ ରସେବୋୟା, ସନ୍ତରଣ ତାରକା ଇଆନ ଥର୍ପେ-ରିଆନ କାନିଂ, ନ୍ୟୁଜିଲାଣ୍ଡ ମହିଳା କ୍ରିକେଟର ଆମି ସାଟର୍ଥୱେଟ୍ ଓ ଲିଆ ତାହୁହୁ, ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକୱେଲ୍ ଓ ଇଂଲଣ୍ଡ ମହିଳା କ୍ରିକେଟର୍‌ ଲିନସେ ଆସ୍‌କି, ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟର୍‌ ଡାନେ ଭାନ୍ ନିଏକେର୍କ-ମାରିଜାନେ କାପ୍, ଅଷ୍ଟ୍ରେଲୀୟ ଆଥଲେଟ୍ କ୍ରେଗ୍ ବର୍ନସ-ଲୁକେ ସୁଲିଭାନ, ଆମେରିକୀୟ ଟେନିସ୍ ତାରକା ମାର୍ଟିନା ନାଭ୍ରାତିଲୋଭା-ରିଟା ମାଏ ବ୍ରାଉନ ଓ ୱେଲ୍ସ ରଗ୍‌ବି ତାରକା ଗ୍ୟାରେଥ ଥୋମାସ ପ୍ରମୁଖ ରହିଛନ୍ତି। ଏମାନଙ୍କ ଛଡ଼ା ନେଦରଲାଣ୍ଡର ମହିଳା ହକି ଖେଳାଳି ମାରିଲିନ ଆଗଲିଓତି, ଅଷ୍ଟ୍ରେଲୀୟ ମହିଳା ହକି ଖେଳାଳି ଆଲିସନ୍ ଅନାନ, ଜର୍ମାନ ଧାବିକା ସାବିନେ ବ୍ରାଉନ୍, ଇଂଲଣ୍ଡ କ୍ରିକେଟର୍‌ ଷ୍ଟିଭେନ୍ ଡେଭିସଙ୍କ ସହ ପାଖାପାଖି ୫୦୦ରୁ‌ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ା ତାରକା ନିଜକୁ ସମଲିଙ୍ଗୀ ଘୋଷଣା କରି ସାରିଛନ୍ତି।

ଦକ୍ଷିଣ ଆଫ୍ରିକାର ଚର୍ଚିତ ଧାବିକା କାଷ୍ଟର ସିମେନ୍ୟାଙ୍କ ବିରୋଧରେ ଦୂତି ଚାନ୍ଦଙ୍କ ଭଳି ଶରୀରରେ ମାତ୍ରାଧିକ ପୁରୁଷ ହର୍ମୋନର ଅଭିଯୋଗ ଆସିଥିଲା। କାସ୍ (କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍‌ ସ୍ପୋର୍ଟସ)ରେ ଆଇନଗତ ଲଢ଼େଇ ହାରିବା ପରେ ସିମେନ୍ୟାଙ୍କୁ ଅନ୍ତର୍ଜାତୀୟ ଦୌଡ଼କୁଦରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି। ଦୂତିଙ୍କୁ କିନ୍ତୁ ଅନୁମତି ମିଳିଛି। ୨୦୧୫ ମସିହାରେ ସିମେନ୍ୟା ନିଜ ପ୍ରେମିକା ଭାଓଲେଟ୍ ରସେବୋୟାଙ୍କୁ ବିବାହ କରି ଆଲୋଡ଼ନ ସୃଷ୍ଟି କରିଥିଲେ। ରସେବୋୟା ଜଣେ ଧାବିକା ଥିଲା ବେଳେ ସିମେନ୍ୟାଙ୍କ ସହ ତାଙ୍କ ଭେଟ ୨୦୦୭ ମସିହାରେ ହୋଇଥିଲା। ୮ ବର୍ଷର ପ୍ରେମ ସଂପର୍କ ପରେ ସେମାନେ ପରସ୍ପରକୁ ଜୀବନ ସାଥୀ ରୂପେ ବାଛି ନେଇଥିଲେ। ସିମେନ୍ୟା ୨୦୧୨ ଏବଂ ୨୦୧୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ସହ ଏକାଧିକ ବିଶ୍ବ ପ୍ରତିଯୋଗିତାରେ ସୁନେଲି ସଫଳତା ଲାଭ କରିଛନ୍ତି।

-ଇଆନ ଥର୍ପେ-ରିଆନ କାନିଂ
ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସନ୍ତରଣ ତାରକା ଇଆନ ଥର୍ପେ ମଧ୍ୟ ଜଣେ ସମଲିଙ୍ଗୀ। ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ଗୁଜବକୁ ଖଣ୍ଡନ କରିବା ପରେ ୨୦୧୭ରେ ଶେଷରେ ସେ ଏହାକୁ ସ୍ବୀକାର କରିଥିଲେ। ଥର୍ପେ ଏବଂ ତାଙ୍କ ପ୍ରେମିକ ରିଆନ କାନିଂ ଆଇଭିଏଫ୍ ପଦ୍ଧତିରେ ପିତା‌ ହେବାକୁ ପ୍ରୟାସ ଜାରି ରଖିଛନ୍ତି।

-ଡାନେ ଭାନ୍ ନିଏକେର୍କ-ମେରିଜେନ୍ କାପ୍
ଦକ୍ଷିଣ ଆଫ୍ରିକା‌ ମହିଳା କ୍ରିକେଟ୍ ଦଳର ଅଧିନାୟିକା ଡାନେ ଭାନ୍ ନିଏକେର୍କ ମଧ୍ୟ ନିଜ ଦଳର ଅଲରାଉଣ୍ଡର ମେରିଜେନ୍ କାପଙ୍କ ପ୍ରେମରେ ପଡ଼ି ଯାଇଥିଲେ। ସାଟର୍ଥୱେଟ୍ ଏବଂ ତାହୁହୁଙ୍କ ବିବାହ ପରେ ଏମାନେ ମଧ୍ୟ କ୍ରିଷ୍ଟିଆନ୍ ରୀତି ନୀତିରେ ବିବାହ କରି ନେଇଥିଲେ। ଉଭୟ ନିଏକେର୍କ ଏବଂ କାପ୍ ୨୦୦୯ ମହିଳା ବିଶ୍ବକପ୍ ଅବସରରେ ମାତ୍ର ଦୁଇ ଦିନ ଅନ୍ତରରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ନିଏକେର୍କ ଦକ୍ଷିଣ ଆଫ୍ରିକା ପକ୍ଷରୁ ସର୍ବାଧିକ ୧୨୫ ଏବଂ କାପ୍ ଦ୍ବିତୀୟ ସର୍ବାଧିକ ୯୯ ୱିକେଟ୍ ନେଇଛନ୍ତି। କାପ୍ ୧୬୧୮ ଏବଂ ନିଏକେର୍କ ୧୭୭୦ ରନ୍ କରିଛନ୍ତି।

-କ୍ରେଗ୍ ବର୍ନସ-ଲୁକେ ସୁଲିଭାନ
ଅଷ୍ଟ୍ରେଲୀୟ ଆଥଲେଟ୍ କ୍ରେଗ୍ ବର୍ନସ ତାଙ୍କ ପୁରୁଷ ପ୍ରେମିକ ଲୁକ୍ ସୁଲିଭାନଙ୍କୁ ବିବାହ କରିଛନ୍ତି। ନ୍ୟୁ ସାଉଥୱେଲ୍ସରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଅଷ୍ଟ୍ରେଲିଆରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ମିଳି ସାରିଛି।

-ଆମି ସାଟର୍ଥୱେଟ୍- ଲିଆ ତାହୁହୁ
ନ୍ୟୁଜିଲାଣ୍ଡ୍‌ ମହିଳା କ୍ରିକେଟ୍ ଦଳର ସଦସ୍ୟା ଆମି ସାଟର୍ଥୱେଟ୍ ଏବଂ ଲିଆ ତାହୁହୁ ମଧ୍ୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସାଟର୍ଥୱେଟ୍ ଜଣେ ନିର୍ଭରଯୋଗ୍ୟ ଅଲରାଉଣ୍ଡର ହୋଇଥିଲା ବେଳେ ସେ ୧୯୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ୪,୫୦୦ରୁ ଅଧିକ ରନ୍ ବି କରିଛନ୍ତି। ଦ୍ରୁତ ବୋଲର ତାହୁହୁ ୯୨ ଅନ୍ତର୍ଜାତୀୟ ୱିକେଟ୍ ଦଖଲ କରିଛନ୍ତି। ପ୍ରତିପକ୍ଷକୁ ନିଜ ବ୍ୟାଟିଂ ଓ ବୋଲିଂରେ ଘାଇଲା କରୁ କରୁ ସାଟର୍ଥୱେଟ୍ ଏବଂ ତାହୁହୁ ପରସ୍ପରର ପ୍ରେମରେ ପଡ଼ି ଯାଇଥିଲେ। ୨୦୧୪ରେ ନିର୍ବନ୍ଧ କରିବା ପରେ ୨୦୧୭ରେ ସେମାନେ ଆନୁଷ୍ଠାନିକ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

-ମାର୍ଟିନା ନାଭ୍ରାତିଲୋଭା- ରିଟା ମାଏ ବ୍ରାଉନ୍
ଆମେରିକାର ପ୍ରସିଦ୍ଧ ମହିଳା ଟେନିସ୍ ତାରକା ମାର୍ଟିନା ନାଭ୍ରାତିଲୋଭା ମଧ୍ୟ ଏକାଧିକ ଥର ସମଲିଙ୍ଗୀ ସଂପର୍କରେ ରହିଥିଲେ। ଆମେରିକୀୟ ଲେଖିକା ରିଟା ମାଏ ବ୍ରାଉନଙ୍କ ସହ ଦୈହିକ ସଂପର୍କ ରଖିଥିବା ୧୯୮୧ ମସିହାରେ ନାଭ୍ରାତିଲୋଭା ସ୍ବୀକାର କରିଥିଲେ। ପରେ ଅବଶ୍ୟ ଉଭୟଙ୍କ ମଧ୍ୟରେ ବିଚ୍ଛେଦ ହୋଇଯାଇଥିଲା। ନା‌ଭ୍ରାତିଲୋଭା ଏହାର କିଛି ବର୍ଷ ପରେ ଅର୍ଥାତ୍ ୨୦୧୪ରେ ଦୀର୍ଘ ଦିନର ପ୍ରେମିକା ଜୁଲିଆ ଲେମିଗୋଭାଙ୍କୁ ବିବାହ କରି ନେଇଥିଲେ।

-ଆଲେକ୍ସ ବ୍ଲାକୱେଲ୍-ଲିନସେ ଆସ୍‌କି
ପରସ୍ପରର ପ୍ରତିପକ୍ଷ ଦଳରେ ଖେଳିମଧ୍ୟ ପ୍ରେମରେ ପଡ଼ି ଯାଇଥିଲେ ଅଷ୍ଟ୍ରେଲିଆର ମହିଳା କ୍ରିକେଟର୍‌ ଆଲେକ୍ସ ବ୍ଲାକୱେଲ୍ ଏବଂ ଲିନସେ ଆସ୍‌କି। ୨୦୧୫ରେ ଉଭୟ ବିବାହ କରି ନେଇଥିଲେ। ୧୫ ବର୍ଷର ଅନ୍ତର୍ଜାତୀୟ ଖେଳ ଜୀବନ ପରେ ଗତବର୍ଷ ଆଲେକ୍ସ ଅବସର ଘୋଷଣା କରିଥିଲେ। ୩୨ ବର୍ଷୀୟ ଆସକି ଇଂଲଣ୍ଡ ପକ୍ଷରୁ ୮ ଦିନିକିଆ ଏବଂ ୬ ଟ୍ବେଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧିତ ଖବର