ସମଲିଙ୍ଗୀ ସଂପର୍କରେ ଦୂତି, ମୋ ଝିଅକୁ ଫସେଇ ଦିଆଯାଇଛି: ଅଖୁଜୀ ଚାନ୍ଦ

ଭୁବନେଶ୍ବର: ଦୂତି ଚାନ୍ଦ, ପଡ଼ିଆ ଭିତର ଚମକ ପାଇଁ ସବୁବେଳେ ଚର୍ଚାରେ ରହୁଥିବା ଏହି ଓଡ଼ିଆ ଧାବିକା ନିଜ ବ୍ୟକ୍ତିଗତ ଜୀବନର ଏକ ବଡ଼ ରହସ୍ୟକୁ ରବିବାର ଉନ୍କୋଚନ କରିଛନ୍ତି। ଏସୀୟ କ୍ରୀଡ଼ାରେ ଭାରତ ପାଇଁ ଦୁଇଟି ରୌପ୍ୟ ପଦକ ଜିତିଥିବା ତଥା ଦେଶର ଦ୍ରୁତତମ ଧାବିକା ଦୂତିଙ୍କୁ ଜୀବନ ସାଥୀ ମିଳିଯାଇଛି। ତେବେ ତାଙ୍କ ଜୀବନର ଏହି ମହତ୍ବପୂର୍ଣ୍ଣ ବ୍ୟକ୍ତି ଜଣକ ପୁରୁଷ ନୁହେଁ, ସେ ଜଣେ ମହିଳା। ଦୂତିଙ୍କ ଏହି ଚାଞ୍ଚଲ୍ୟକର ବୟାନକୁ ନେଇ କ୍ରୀଡ଼ା ଦୁନିଆରେ ଝଡ଼ ସୃଷ୍ଟି ହୋଇଛି।

ଦୂତି ତାଙ୍କ ଗାଁ ଯାଜପୁର ଜିଲ୍ଲାର ଚକଗୋପାଳପୁରର ଜଣେ ୧୯ ବର୍ଷୀୟା ଝିଅର ପ୍ରେମରେ ପଡ଼ି ଯାଇଛନ୍ତି। ବିବାହ କରିବାକୁ ମଧ୍ୟ ଯୋଜନା ରଖିଛନ୍ତି। ଅଲିମ୍ପିକ୍ସ ଯିବା ପୂର୍ବରୁ ନିର୍ବନ୍ଧ କରିନେବା ପାଇଁ ସଜବାଜ ହେଉଥିଲେ ମଧ୍ୟ ଏହାକୁ ସଂପ୍ରତି ସ୍ଥଗିତ ରଖିଛନ୍ତି। ଏକଥା ପଦାକୁ ଆସିବା ପରେ କ୍ରୀଡ଼ାପ୍ରେମୀଙ୍କ ଆଖି କିନ୍ତୁ ଖୋସି ହୋଇଯାଇଛି। ଥୋକାଏ ଏହାକୁ ସମର୍ଥନ କରୁଥିଲା ବେଳେ ଅନେକ ନାପସନ୍ଦ କରିଛନ୍ତି। ଦୂତିଙ୍କ ଏହି ସ୍ବୀକାରୋକ୍ତି ମଧ୍ୟ ଓଡ଼ିଶା ସହ ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଛି। ଦୂତି ନିଜ ପ୍ରେମିକାଙ୍କ ନାଁ ଗୋପନ ରଖିଛନ୍ତି। ଝିଅ ଜଣକ, ସଂପର୍କରେ ଦୂତିଙ୍କର ଝିଆରି ହେବ ବୋଲି ଅବଶ୍ୟ ତାଙ୍କ ବଡ଼ ଉଭଣୀ ସରସ୍ବତୀ ଚାନ୍ଦ ସୂଚନା ଦେଇଛନ୍ତି। ଦୂତି ସମଲିଙ୍ଗୀ ବୋଲି ସ୍ବୀକାର କରିବା ପରେ କିନ୍ତୁ ରବିବାର ପ୍ରକାଶ ପାଇଥିବା ୨୦୧୯ ନିର୍ବାଚନର ବାହୁଡ଼ା ମତ ଫଳାଫଳ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ସେ ଏକପ୍ରକାର ବଳି ଯାଇଛନ୍ତି। ଦୂତି ଯେମିତି ସବୁ ପ୍ରକାର ଗଣମାଧ୍ୟମର ପ୍ରମୁଖ ଶିରୋନାମା ପାଲଟି ଯାଇଛନ୍ତି। ଦୂତି ଅତୀତରେ ନିଜ ବଳିଷ୍ଠ ପ୍ରଦର୍ଶନରେ ଭାରତ ପାଇଁ ଅନେକ ପ୍ରଥମ ପଦକ ଜିତିଛନ୍ତି। ଏବେ ସମଲିଙ୍ଗୀ ସଂପର୍କକୁ ଖୋଲାଖୋଲି ଭାବେ ସ୍ବୀକାର କରିବାରେ ଦେଶର ପ୍ରଥମ କ୍ରୀଡ଼ା ତାରକା ହୋଇଛନ୍ତି। ସଂପୃକ୍ତ ଝିଅ ସହ ଗତ ତିନି ବର୍ଷ ହେବ ପ୍ରେମ ସଂପର୍କ ଥିବା ଦୂତି କହିଛନ୍ତି। ଅନେକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଧନା ସଭାରେ ମଧ୍ୟ ତାଙ୍କୁ ଦୂତିଙ୍କ ସହ ଦେଖିବାକୁ ମିଳେ।

ଦୂତି କହିଛନ୍ତି, ମୋତେ ଏମିତି କେହି ମିଳି ଯାଇଛନ୍ତି, ଯାହାକୁ ମୁଁ ମୋ ଜୀବନଠୁ ଅଧିକ ଭଲ ପାଏ। ତାଙ୍କ ସହ ମୁଁ ସାରା ଜୀବନ କଟାଇବାକୁ ଚାହେଁ। ସେ ମଧ୍ୟ ମୋତେ ବହୁତ ଭଲ ପାଆନ୍ତି। ଭଲ ପ୍ରଦର୍ଶନ କରିବାକୁ ସବୁବେଳେ ପ୍ରେରଣା ଦିଅନ୍ତି। ଗତ ଦୁଇ ତିନି ବର୍ଷ ହେବ ସେ ମୋତେ ବହୁତ ସମର୍ଥନ ଦେଇ ଆସିଛନ୍ତି। ସେ ମୋର ଜଣେ ବଡ଼ ପ୍ରଶଂସକ । ମୁଁ ଜାଣିଛି ମୋ ନିଷ୍ପତ୍ତିକୁ ନେଇ ନାନାପ୍ରକାର ଚର୍ଚା ହେବ। ହେଲେ ମୋ ଜୀବନକୁ କେମିତି ଜିଇଁବି, ସେକଥା ବାଛିବାର ଅଧିକାର ‌ମୋର ଅଛି। ଆମେ ଉଭୟ ସାବାଳିକା। ଜୀବନ ସାଥୀ ବାଛିବାର ଅଧିକାର ଆମର ଅଛି। ‌ସୁପ୍ରିମକୋର୍ଟ ମଧ୍ୟ ସମଲିଙ୍ଗୀ ସଂପର୍କକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ହିଁ ଏହି ସଂପର୍କ ବିଷୟରେ ସର୍ବସାଧାଣରେ ପ୍ରକାଶ କରିବାକୁୂ ମୋତେ ସାହସ ଦେଇଛି। ଆଗକୁ ଆମେ ବିବାହ କରିବାକୁ ଯୋଜନା ରଖିଛୁ। ଏବେ କିନ୍ତୁ ମୁଁ ସଂପୂର୍ଣ୍ଣ ରୂପେ ମୋ ଖେଳ ଉପରେ ଧ୍ୟାନ ଦେଉଛି। ୨୦୨୦ ଅଲିମ୍ପିକ୍ସ ପୂର୍ବରୁ ଇଟାଲିରେ ଚଳିତ ବର୍ଷ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ଜିତିବା ଉପରେ ନଜର ରଖିଛି। ନିକଟରେ ସର୍ବଭାରତୀୟ ଦୌଡ଼କୁଦ ସଂଘ ଦୂତିଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଥିଲା। ସେ ମଧ୍ୟ ଭାରତୀୟ ଟୋକିଓ ଅଲିମ୍ପିକ୍ସ ଦଳର ଅନ୍ୟତମ ସମ୍ଭାବ୍ୟ ସଦସ୍ୟ। ଏଭଳି ସ୍ଥିତିରେ ଏହି ବିବାଦୀୟ କଥା ପଦାକୁ ଆସିବା‌ ତାଙ୍କ ଖେଳ ଜୀବନକୁ ପ୍ରଭାବିତ କରିପାରେ। କାରଣ ପୂର୍ବରୁ ଶରୀରରେ ପୁରୁଷ ହର୍ମୋନର ମାତ୍ରା ଅଧିକ ଥିବା ଦର୍ଶାଇ ଅନ୍ତର୍ଜାତୀୟ ଦୌଡ଼କୁଦ ସଂଘ ତାଙ୍କୁ ବାସନ୍ଦ କରିଥିଲା। ଦୀର୍ଘ ଆଇନଗତ ଲଢ଼େଇରେ ବିଜୟୀ ହେବା ପରେ ମହାସଂଘ ଏହି ବାସନ୍ଦାଦେଶ ଉଠାଇବାକୁ ବାଧ୍ୟ ହୋଇଥିଲା। ଦୂତିଙ୍କ ଏହି ସଂପର୍କକୁ କିନ୍ତୁ ତାଙ୍କ ପରିବାରବର୍ଗ ବିରୋଧ କରିଛନ୍ତି। ଦୂତିଙ୍କ ମା’ ଅଖୁଜୀ ଚାନ୍ଦ ଓ ବଡ଼ ଭଉଣୀ ସରସ୍ବତୀ ଚାନ୍ଦ ଏହି ସଂପର୍କକୁ କୌଣସି ପରିସ୍ଥିତିରେ ସ୍ବୀକାର କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି। କୌଣସି କ୍ରୀଡ଼ାବିତ୍ ସମଲିଙ୍ଗୀ ସଂପର୍କରେ ରହିବା କିମ୍ବା ବିବାହ କରିବାର ଅନେକ ଉଦାହରଣ ଅନ୍ତର୍ଜାତୀୟ ସ୍ତରରେ ରହିଛି। ‌ତେବେ ଭାରତରେ କୌଣସି କ୍ରୀଡ଼ାବିତଙ୍କ ‌କ୍ଷେତ୍ରରେ ଏହା ପ୍ରଥମ ଘଟଣା। ପଶ୍ଚିମବଙ୍ଗର ଧାବିକା ପିଙ୍କି ପରମାଣିକଙ୍କୁ ଏଭଳି ସଂପର୍କକୁ ନେଇ ଜେଲ ଯିବାକୁ ପଡ଼ିଥିଲା। ତେବେ ସେ ଏହାକୁ କେବେ ବି ସର୍ବସାଧାରଣରେ ସ୍ବୀକାର କରି ନଥିଲେ। ଜଣେ ମହିଳା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ପିଙ୍କି ଢେର କିଛି ଦିନ ଅଦାଲତରେ ଚକ୍କର କାଟିଥିଲେ।

ପରିବାର ଲୋକ ମୋତେ ମାନସିକ ଯନ୍ତ୍ରଣା ଦେଉଛନ୍ତି: ଦୂତି
ଦୂତି କିନ୍ତୁ ନିଜ ପରିବାର ଏବଂ ବି‌ଶେଷ କରି ବଡ଼ ଭଉଣୀ ସରସ୍ବତୀ ଚାନ୍ଦଙ୍କ ବିରୋଧରେ ଅନେକ ପାଲଟା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ମୋ ବଡ଼ ଭଉଣୀ ଆମ ଘରୁ ମୋ ଭାଇକୁ ବାହାର କରି ଦେଇଛନ୍ତି। ନାନି ଭାଉଜଙ୍କୁ ଆଦୌ ପସନ୍ଦ କରନ୍ତି ନାହିଁ। ମୋ ସହ ମଧ୍ୟ ସେମିତି କରିବେ ବୋଲି ଧମକ ଦେଇଛନ୍ତି। ହେଲେ ମୁଁ ସାବାଳିକା ଏବଂ ମୋର ବ୍ୟକ୍ତିଗତ ସ୍ବାଧୀନତା ରହିଛି। ସେଥିପାଇଁ ମୁଁ ଆଗକୁ ବଢ଼ିଲି ଏବଂ ମୋ ସଂପର୍କକୁ ସର୍ବସାଧାରଣରେ ପ୍ରକାଶ କରିବାକୁ ନିଷ୍ପତ୍ତି ନେଲି। ପରିବାର ପାଇଁ ଯାହା କରିବା କଥା ମୁଁ କରି ସାରିଛି। ତିନି ମହଲା କୋଠା କରିଛି। ଉଉଣୀମାନଙ୍କ ପଢ଼ା ପଢ଼ି ସବୁ ଦାୟିତ୍ବ ‌ନେଉଛି। ମୁଁ ତ ସବୁବେଳେ ଓଡ଼ିଶା ବାହାରେ ରହୁଛି। ମୋ ନାନି ମା’-ବାପାକୁ ଶିଖାଶିଖି କରିଛନ୍ତି। ସେଥିପାଇଁ ସେମାନେ ଏଭଳି କହୁଛନ୍ତି। ଝିଅ ଘର ପରିବାର ନେଇ ସେମାନେ ଦେଉଥିବା ମନ୍ତବ୍ୟ ଅମୂଳକ। ବରଂ ଘରଲୋକ ମୋତେ ମାରିଦେବାକୁ ଚାହୁଁଛନ୍ତି। ମୁଁ ମରିଗଲେ ଜୀବନ ବୀମାରୁ ବହୁତ ଟଙ୍କା ପାଇବେ। ସଞ୍ଚୟ କରିବେ। ଘର କଥା ବୋଲି ମୁଁ କିଛି କହି ପାରୁନି। ମୁଁ କେତେ ମାନସିକ ଯନ୍ତ୍ରଣାର ସମ୍ମୁଖୀନ ହୋଇଛି, ମୁଁ ଜାଣିଛି। ମୋର ପରିବାର ପ୍ରତି ଭଲପାଇବା ଏବଂ ସମ୍ମାନ ରହିଛି। ନାନି ସମସ୍ତଙ୍କୁ ମାର ପିଟ କରନ୍ତି। କିଛି ମାସ ତଳେ ମୋତେ ମାରିଥିଲେ। ଏକଥା ପୁଲିସ ଥାନାକୁ ବି ଯାଇଥିଲା। ସେଠାରେ ସମାଧାନ ହୋଇଥିଲା। ମୋ ଭଉଣୀ ମଧ୍ୟ ଜଣେ ଝିଅକୁ ରଖିଛନ୍ତି। ସେ ବିଷୟରେ ମୁଁ କିଛି କହିବାକୁ ଚାହେଁନି।

କ’ଣ କହେ ଆଇନ
ସମଲିଙ୍ଗୀ ସଂପର୍କ ରଖିବା ଭାରତରେ ଆଉ ଫୌଜଦାରି ଅପରାଧ ନୁହେଁ। ହେଲେ ସମଲିଙ୍ଗୀ ବିବାହକୁ ଭାରତରେ ଆଇନଗତ ସ୍ବୀକୃତି ମିଳିନାହିଁ। ଗତ ବର୍ଷ ସେପ୍ଟେମ୍ବର ମାସରେ ଉଚ୍ଚତମ ନ୍ୟାୟାଳୟ ଏକ ଐତିହାସିକ ରାୟରେ ସମଲିଙ୍ଗୀ ସଂପର୍କକୁ ଅପରାଧ ଭାବେ ଗ୍ରହଣ କରୁଥିବା ୧୫୮ ବର୍ଷ ତଳର ବ୍ରିଟିସ ରାଜ୍ ଆଇନକୁ ରଦ୍ଦ କରି ଦେଇଥିଲେ। ଭାରତୀୟ ପିଙ୍ଗଳ କୋଡ୍‌ର ବିବାଦୀୟ ୩୭୭ ଧାରାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଉଚ୍ଛେଦ କରି ଦେଇଥିଲେ। ଏହି ନିୟମ ଅନୁସାରେ ସମଲିଙ୍ଗୀ ସଂପର୍କ, ଏପରିକି ଦୁଇ ଜଣ ସାବାଳକ ସହମତିରେ ଏଭଳି ସଂପର୍କ ରଖିଲେ ମଧ୍ୟ ଜେଲ ଦଣ୍ଡର ବ୍ୟବସ୍ଥା ଥିଲା। ପାଞ୍ଚ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଜ ରାୟରେ ପ୍ରକାଶ କରିଥିଲେ ଯେ ସମାଜର ପ୍ରତ୍ୟେକ ବ୍ୟକ୍ତି ନିଜ ସହମତିରେ ଏବଂ ପସନ୍ଦ ମୁତାବକ ଦୈହିକ ସଂପର୍କ ରଖି ପାରିବେ। ଜଣଙ୍କର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଆଯିବା ଦରକାର। ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୨୧ ପ୍ରଦାନ କରୁଥିବା ମୌଳିକ ଅଧିକାର ପରିସରଭୁକ୍ତ। ଆଇନଜୀବୀ ବିଶ୍ବ ରଞ୍ଜନ ପଟ୍ଟନାୟକ ଏହି ବିଷୟରେ ମତ ରଖିବାକୁ ଯାଇ କହିଛନ୍ତି ଯେ ଧାରା ୩୭୭କୁ ଉଚ୍ଚତମ ନ୍ୟାୟାଳୟ ଉଚ୍ଛେଦ କରିବା ପରେ ଏହା ଆଉ ଅପରାଧ ହୋଇ ରହିନାହିଁ। ଏଲିଜିବିଟି ସଂପ୍ରଦାୟର ବ୍ୟକ୍ତି ବିଶେଷ ଏଣିକି ସହମତିରେ ଦୈହିକ ସଂପର୍କ ରଖିଲେ କିମ୍ବା ଏକାଠି ରହିଲେ କୌଣସି ଅସୁବିଧା ନାହିଁ। ଦୂତି ନେଇଥିବା ନିଷ୍ପତ୍ତି ଆଇନ ଆଖିରେ ଏକ ଅପରାଧ ନୁହେଁ। ସେ ନିଜ ସାଥୀଙ୍କ ସହ ରହିବା କିମ୍ବା ସଂପର୍କ ରଖିବାରେ କୌଣସି ଅସୁବିଧା ନାହିଁ।

ଦୂତି ଚାନ୍ଦ ତାଙ୍କ ସଂପର୍କ ବିଷୟରେ ଖୁଲାସା କରିବା ପରେ ତାଙ୍କ ମା’ ଅଖୁଜୀ ଚାନ୍ଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ସଂପର୍କକୁ ସେ ବିରୋଧ କରିଛନ୍ତି। ଦୂତିଙ୍କୁ ସେହି ଝିଅ ଫସେଇ ଦେଇଛି ବୋଲି ଅଖୁଜୀ ଅଭିଯୋଗ କରିଛନ୍ତି। ସେ ‘ସମ୍ବାଦ’କୁ କହିଛନ୍ତି, ଗତ ୬ ମାସ ହେବ ଆମେ ଚିନ୍ତାରେ ଅଛୁ। ସେ ଝିଅ ହେଉଛି ମୋ ଉଭଣୀ ପୁଅର ଝିଅ। ଦୂତି ହେବ ପିଉସୀ, ସେ ଝିଆରି । ଦୂତିର ମାଉସୀ ପୁଅ ଭାଇର ଝିଅ। ଗତ ବର୍ଷେ ଦୁଇ ବର୍ଷ ହେବ ଦୂତି ତାକୁ ସାଙ୍ଗରେ ବିଭିନ୍ନ ମିଟିଂକୁ ନେଉଥିଲା। ବାହାରକୁ ‌ ବି ସେମାନେ ଯାଇଛନ୍ତି। ସେ ଝିଅ ଦୂତିର ବ୍ୟାଗ୍ ଫ୍ୟାଗ୍ ଧରାଧରି କରିଥାଏ। ମୁଁ ଦୂତିକୁ ଏହି ବିଷୟରେ ପଚାରିବାରୁ ବାହାରକୁ ଯିବା ବେଳେ ମୁଁ ବୋର ହେଉଛି। ସାଙ୍ଗ ସାଥୀ ନଥିବାରୁ ମୁଁ ତାକୁ ସାଙ୍ଗରେ ନେଉଛି ବୋଲି କହୁଥିଲା। ଏବେ କହିଲାଣି ମୁଁ ତାକୁ ବାହାହେବି। ଝିଅକୁ ଝିଅ କେମିତି ବାହାହେ‌ବ? ବୋଲି ମୁଁ ପଚାରିବାରୁ, କୋର୍ଟ ମୋତେ ଅର୍ଡର ଦେଇଛି ବୋଲି ଦୂତି ଜବାବ ଦେଇଥିଲା। ଦିନକୁ ଦିନ ବି ମୁଁ ଦେଖୁଛି, ସେ ଝିଅ ଦୂତିଠୁ ବହୁ ଟଙ୍କା ଟାଣି ନେଇଛି। ଆମ ଘର ପାଖ ଘର, ମୁଁ ସବୁ‌ ଦେଖିଛି, ସେମାନେ କେମିତି ଚଳୁଥିଲେ। ଘର କରିବାକୁ ଯାହା ପାଖରେ ଟଙ୍କାଟିଏ ନଥିଲା, ସେ କୋଠା ଘର କରି ସାରିଲାଣି। ସୁନା ପିନ୍ଧିବାକୁ ନଥିଲା। ଏବେ ହାର ପକାଇଲାଣି। ଦୂତି ତାକୁ ଯାହା ଦେଉଛି, ଆମେ ତାକୁ ରୋକି ପାରୁ ନାହୁଁ। ଦୂତିକୁ ଏହି ବିଷୟରେ ପଚାରିବାରୁ ମୋ ପାଇସା, ମୁଁ ତାକୁ ଦେଲି ବୋଲି ଜବାବ ଦେଉଛି। ଘରକୁ ସେ ମାସେ ଦି ମାସ ହେବ ଆଉ ପଇସା ପତ୍ର ଦେଉନି। ମନା ବି କରି ଦେଇଛି। ତମେ କିଏ ମୁଁ ଚିହ୍ନିନି ବୋଲି କହୁଛି। ଭୁବନେଶ୍ବରରେ ଜାଗା କିଣିଲା ଆମକୁ ଜଣାଇଲାନି। ରାଷ୍ଟ୍ରପତି ପୁରସ୍କାର ବେଳେ ମୋତେ ସାଙ୍ଗରେ ନେବ ବୋଲି କହିଥିଲା। ହେଲେ ନବା ତ ଦୂର କଥା, କୋଉ ଦିନ ଗଲା ମୋତେ ଜଣାଇଲାନି। ମୋ ଝିଅମାନେ ମତେ ପରେ କହିଲେ ମା’ ଦୂତି ନାନି ସୋନାଲି (ଛଦ୍ମନାମ ନାଁ)କୁ ନେଇ ଦିଲ୍ଲୀ ଯାଇଛି। ଦୂତି ମଧ୍ୟ ଆମକୁ ବହୁ କଟୁ କଥା କହିଛି। ଆମେ କେବେବି ଏଭଳି କଥାକୁ ସମର୍ଥନ ଦେବୁନି।

ଦୂତି ୬ ମାସ ହେବ ଆମ ସହ ସଂପର୍କ ରଖୁନି: ସରସ୍ବତୀ
ଦୂତି ଗତ ୬ ମାସ ହେବ ଆମ ସହ କୌଣସି ସଂପର୍କ ରଖୁନାହିଁ। ଘରକୁ ପଇସା ପତ୍ର ଦେଉନାହିଁ। ମୋ ପଇସାରେ ଘର ଚଳୁଛି। ସେ ଝିଅ ସହ ଭୁବନେଶ୍ବରର ଏକ ପଞ୍ଚ ତାରକା ହୋଟେଲରେ ନିର୍ବନ୍ଧ କରିବ ବୋଲି ଘରକୁ ମେସେଜ୍ ଦେଇଛି। ବନ୍ଧୁ ବାନ୍ଧବଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। ଏଥିରେ ତାକୁ ତା’ର କିଛି ପୂର୍ବତନ ପ୍ରଶିକ୍ଷକ ଏବଂ ପ୍ରୋତ୍ସାହନ ଦେଉଥିବା ବିଶ୍ବ ବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ତଥା ପୃଷ୍ଠପୋଷକ ସାହାଯ୍ୟ କରୁଛନ୍ତି। ସେମାନେ ଦୂତିଠାରୁ ସବୁ ପଇସା ନେଇ ଯାଇଛନ୍ତି। ଏପରିକି ୨୫ ତାରିଖ ନିର୍ବନ୍ଧ ପାଇଁ ଡ୍ରେସ୍ ବାଛିବା ଲାଗି ମୋ ସାନ ଉଭଣୀ ଅଞ୍ଜନା ପାଖକୁ ଫଟୋ ମଧ୍ୟ ପଠାଇଥିଲା। ଏବେ କଥା ବଦଳାଉଛି। ମୁଁ ଏହି ବିଷୟରେ ତା’ର କେତେକ ଶୁଭେଚ୍ଛୁଙ୍କ ସହ ଆଲୋଚନା କରି ଅଲିମ୍ପିକ୍ସ ଉପରେ ଅଧିକ ଧ୍ୟାନ ଦେବାକୁ ତାକୁ ପରାମର୍ଶ ଦେବାକୁ ସେମାନଙ୍କୁ ଅନୁରୋଧ କରିଛି। ଦୂତିର ଉନ୍ନତି ପାଇଁ ଆମ ଗାଁର ସବୁଲୋକ ଆଗରୁ ପୂଜା ପାଠ କରୁଥିଲେ। ଏହି ଘଟଣା ପଦାକୁ ଆସିବା ପରେ ସେମାନେ ମଧ୍ୟ ମୁଣ୍ଡରେ ହାତ ଦେଲେଣି। ଦୂତି ପାଇଁ ଆମେ ଗର୍ବ କରୁଥିଲୁ, ସେ ଏମିତି କରିବ ବୋଲି ଆମେ ଭାବି ନଥିଲୁ ବୋଲି ସେମାନେ ଏବେ କହିଲେଣି। ଏକଥା ପଦାକୁ ଆସିବା ପରେ ଦୂତିର ହିଁ ସବୁଠାରୁ ବେଶି କ୍ଷତି ହେବ ବୋଲି ତାଙ୍କ ବଡ଼ ଉଭଣୀ ସରସ୍ବତୀ ମତ ପ୍ରକାଶ କରିଛନ୍ତି। ଝିଅ ଘର ଲୋକ ଦୂତି ଉପରେ ଚାପ ପକାଇ ଏଭଳି ସବୁ କରୁଥିବା ସେ ଅଭିଯୋଗ କରିଛନ୍ତି। ଦୂତି ଓ ଝିଅ ରାଜି ଥିବାରୁ ବିବାହ ହେଲେ ଆମେ ସେମାନଙ୍କୁ ବିରୋଧ କରିବୁ ନାହିଁ ବୋଲି ସେମାନେ କହୁଥିବା ସରସ୍ବତୀ କହିଛନ୍ତି। ଟଙ୍କା ଲୋଭରେ ସେମାନେ ଏଭଳି କହୁଛନ୍ତି ବୋଲି ସରସ୍ବତୀ ଅଭିଯୋଗ କରିଛନ୍ତି। ଦୂତିଙ୍କ ପ୍ରେମିକାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ଥିଲା।

ସମ୍ବନ୍ଧିତ ଖବର