କଟକ: ଓଡ଼ିଶା ଫୁଟ୍‌ବଲ ସଂଘ (ଫାଓ)ର ସାଧାରଣ ପରିଷଦ ବୈଠକ ଓ ଆସନ୍ତା ୪ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ରବିବାର ବାରବାଟୀ ‌ଷ୍ଟାଡିୟମ୍‌ସ୍ଥିତ ଓଡ଼ିଶା କ୍ରିକେଟ୍‌ ସଂଘ ସମ୍ମିଳନୀ କକ୍ଷ‌ରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଫୁଟ୍‌ବଲ ସଂଘ ନିର୍ବାଚନ ଅଧିକାରୀ ଡକ୍ଟର ସୌର୍ଯ୍ୟରଞ୍ଜନ ପରିଜାଙ୍କ ତତ୍ତ୍ବାବଧାନରେ ସଂଘର ୧୫ ଜଣିଆ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନୂଆ ସଭାପତିଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ପୂର୍ବତନ ମନ୍ତ୍ରୀ ସମୀର ଦେ ଆନୁଷ୍ଠାନିକ ଭାବେ ଦାୟିତ୍ବଗ୍ରହଣ କରିବା ସହ ଭାରତୀୟ ଜାତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ସଂଘର ଯୁଗ୍ମ ସଂପାଦିକା ଭାବେ ମନୋନୀତ କରିଥିଲେ। ଆସନ୍ତା ୪ବର୍ଷ ପାଇଁ ଓଡ଼ିଶା ଫୁଟବଲ ସଂଘର ନୂଆ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ସମୀର ଦେ, କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀକର ମିଶ୍ର, ଉପ-ସଭାପତି ଭା‌ବେ ବିଜୟ ଦାସ, ପଦ୍ମଲୋଚନ ଲେଙ୍କା, ଦିଲ୍ଲୀପ କୁମାର ସାହୁ, ରବିନାରାୟଣ ପଣ୍ଡା, ଅସିତ ବରଣ ପତି, ମହମ୍ମଦ ସହିଦ ଜବାର, ସହଦେବ ରାଉତ, ବୀରେନ୍ଦ୍ର କୁମାର ବେହେରା, ସାଧାରଣ ସମ୍ପାଦକ ଭାବେ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଯୁଗ୍ମ-ସମ୍ପାଦକ ଭ‌ାବେ ଅଭିଜିତ ପାଲ, ବିଶ୍ବରଞ୍ଜନ ଘଡ଼େଇ, ବିଜୟ କୁମାର ଦାସ, ପୂର୍ବତନ ଜାତୀୟ ମହିଳା ଦଳ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ନିର୍ବାଚିତ ହୋଇଛନ୍ତି। ଏହି ବ‌‌ାର୍ଷିକ ଅଧିବେଶନରେ ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା, ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗକୁ ଏହାର ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଅର୍ପଣ କରିଥ‌ିଲେ।

Advertisment

କଳାକାର ଜୀବନରୁ ଫୁଟ୍‌ବଲ୍‌ ପ୍ରଶାସକ: ଅସିତ ପତି

ଭୁବନେଶ୍ବର: ଫୁଟ୍‌ବଲ୍ ଆସୋସିଏସନ୍ ଅଫ୍‌ ଓଡ଼ିଶା (ଫାଓ)ର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ତାଲିକାରେ ଏକ ଅତି ଲୋକପ୍ରିୟ ନାମ ନଜରୁ ଆସିଛି ଯିଏ ଖେଳ ଦୁନିଆ ସହ ପୂର୍ବରୁ ଜଡ଼ିତ ଥିଲେ ବି ସଭିଏଁ ତାଙ୍କୁ ବିଶିଷ୍ଟ କଳାକାର, ଅଭିନେତା, ଲେଖକ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଅଧିକ ଜାଣିଛନ୍ତି। ସେ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଅସିତ ପତି। ଅଶି ଦଶକରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ରାଜ୍ୟ ସିନେମା ଦୁନିଆରେ ସକ୍ରିୟ ଥିବା ୬୪ ବର୍ଷୀୟ ଅସିତ ପତି ଫାଓର ଅନ୍ୟତମ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଖେଳ ଦୁନିଆ ସହ ଯୋଡ଼ି ହେବାକୁ ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଖୁସି ହୋଇଛନ୍ତି ଅସିତବାବୁ। ଅନେକଙ୍କ ପାଇଁ ଅଜଣା ଯେ ଅସିତ ବାବୁ ଜଣେ ଖେଳାଳି ଭାବେ ଯୁବ ବୟସରେ ଓଡ଼ିଶା ପାଇଁ ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଖେଳିଥିଲେ। ଏକଦା ରାଜ୍ୟ ପୋଲ୍ ଭଲ୍ଟ ବିଜେତା ହୋଇଥିଲେ। ଭଲିବଲ୍ ମଧ୍ୟ ଖେଳୁଥିଲେ। ଅନ୍ତଃଜିଲ୍ଲା ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ୭ ବର୍ଷ ଧରି ପ୍ରାଧାନ୍ୟ ବିସ୍ତାର କରିଥିଲେ। ମୟୂରଭଞ୍ଜ ଫୁଟ୍‌ବଲ୍ ସଂଘ ପ୍ରଶାସନିକ କ୍ଷମତାରେ ମଧ୍ୟ ସେ ଜଡ଼ିତ ଅଛନ୍ତି। କଳାକାର ଜୀବନରେ କିନ୍ତୁ ମାନିନୀଠାରୁ ଆରମ୍ଭ କରି ୨୬ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଜଗା ହାତରେ ପଘା, ଜୋର ଯାହାର ମୂଲକ ତାର, ହାକିମ ବାବୁ, ଜୟଦେବ, କୁରୁକ୍ଷେତ୍ର, ବଡ଼ ଭାଉଜ, ପୁଆ ମୋର କଳା ଠାକୁର, ଥିଲି ଝିଅ ହେଲି ବୋହୁ, ପ୍ରତିଶୋଧ ଅପରାଧ, ବସ୍ତ୍ର ହରଣ, ଦାଦାଗିରି, ଗୋପରେ ବଢ଼ୁଛି କଳା କହ୍ନେଇ, ରଖିଲେ ଶିବ ମାରିବ କିଏ, କାହ୍ନା, ତୋ କୋଳ ମୋ ଝୁଲଣା, ଅଗ୍ନୀ ପରୀକ୍ଷା, ମୋଷ୍ଟ ୱାଣ୍ଟେଡ୍‌, ଗଳ୍ପ ନୁହେଁ ଅଳ୍ପ ଦିନର, ଲଭ୍ ଷ୍ଟେସନ୍‌, ଝିଅଟା ବିଗିଡ଼ିଗଲା, ଚାଲ ଟିକେ ଦୁଷ୍ଟ ହେବା, ୟାର ଗଦ୍ଦରରେ ଅଭିନୟ କରି ସିନେପ୍ରେମୀଙ୍କ ମନ ଜିଣିଥିଲୋ। ଗୋପରେ ବଢ଼ୁଛି କଳା କହ୍ନେଇ ଓ ମା’ କାନ୍ଦେ ଆଜି ପୁଅଟେ ପାଇଁକୁ ସେ ନିର୍ଦେଶନା ମଧ୍ୟ ଦେଇଥିଲେ। ଏବେ ନିଜ ଯୁବ ବୟସର ପ୍ରେମ ଫୁଟ୍‌ବଲ୍‌ ପ୍ରଶାସନକୁ ଫେରିଥିବାରୁ ନିଜ ଅନ୍ୟତମ ସ୍ବପ୍ନ ସାକାର କରିଛନ୍ତି।

ଫୁଟ୍‌ବଲ ସଂଘ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ବାର୍ଷିକ ଅଧିବେଶନରେ ସଂଘର ସାଧାରଣ ସମ୍ପାଦକ ଆଶୀର୍ବାଦ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ବୈଠକରେ ଗତ ଅଧିବେଶନର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ଆସନ୍ତାବର୍ଷ ପାଇଁ ସଂଘର ବଜେଟ୍ ଉପସ୍ଥାପିତ ଓ ପାରିତ ହୋଇଥିଲା। ବୈଠକରେ ଆନ୍ତଜିଲ୍ଲା ସାହାଣି କପ୍‌ (ବରିଷ୍ଠ ପୁରୁଷ) ଫୁଟବଲ୍‌ ପ୍ରତିଯୋଗିତା ଦୁଇଟି ଭିନ୍ନ ଭିନ୍ନ ଜୋନ୍‌ରେ କରାଯିବାକୁ ଚୂଡାନ୍ତ ହେବା ସହିତ ଆନ୍ତଜିଲ୍ଲା ମହିଳା ଫୁଟବଲ୍ (ପିସି ବେହେରା ଟ୍ରଫି) କରାଯିବାକୁ ସ୍ଥିର ହୋଇଛି। ବୈଠକର ପ୍ରାରମ୍ଭରେ ସଂଘର ପରଲୋକଗତ କର୍ମକର୍ତ୍ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌ ଧନ୍ୟବାଦ ‌ଦେଇଥିଲେ।