ଥାଇଲାଣ୍ଡ ଓପନ୍‌ କ୍ବାର୍ଟର୍‌ରେ ସମୀର, ସିନ୍ଧୁ; ପ୍ରଣୟ ବିଦା

ବ୍ୟାଙ୍କକ୍: ଚଳିତ ଥାଇଲାଣ୍ଡ ଓପନ୍‌ ସୁପର ୧୦୦୦ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ଭାରତୀୟ ‌ଖେଳାଳି ସମୀର ବର୍ମା, ପିଭି ସିନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀ-ଚିରାଗ ସେଠୀ ଓ ମିଶ୍ରିତ ଯୋଡ଼ି ସାତ୍ତ୍ବିକ-ଅଶ୍ବିନୀ ପୁନାପ୍ପା ପ୍ରବେଶ କରିଛନ୍ତି। ଗୁରୁବାର ପୁରୁଷ ଏକକରେ ୩୧ ମାନ୍ୟତାପ୍ରାପ୍ତ ସମୀର ୨୧-୧୨, ୨୧-୯ରେ ୧୭ ମାନ୍ୟତାପ୍ରାପ୍ତ ଡେନ୍‌ମାର୍କର ରାସମୁସ ଗେମ୍‌କେଙ୍କୁ ଏବଂ ମହିଳା ଏକକରେ ଷଷ୍ଠ ମାନ୍ୟତାପ୍ରାପ୍ତ ସିନ୍ଧୁ ୨୧-୧୦, ୨୧-୧୨ରେ ମାଲେସିଆର କିସୋନା ସେଲ୍‌ଭାଡୁରେଙ୍କୁ ପରାସ୍ତ କରିଥିଲେ। ସେହିପରି ପୁରୁଷ ଯୁଗଳରେ ସାତ୍ତ୍ବିକ ଓ ଚିରାଗ ୨୧-୧୮, ୨୩-୨୧ରେ କୋରିଆର ଚୋଇ ସୋଲଗ୍ୟୁ ଓ ସିଓ ସିଓଙ୍ଗ ଜାଏଙ୍କୁ ଏବଂ ମିଶ୍ରିତ ‌ଯୁଗଳରେ ସାତ୍ତ୍ବିକ-ଅଶ୍ବିନୀ ୨୨-୨୦, ୧୪-୨୧, ୨୧-୧୬ରେ ଜର୍ମାନିର ମାର୍କ ଲାମ୍ସଫୁସ ଓ ଇସାବେଲ ହର୍ଟରିଚଙ୍କୁ ହରାଇଥିଲେ। ତେବେ ପୁରୁଷ ଏକକରେ ଏଚ୍‌ଏସ୍‌ ପ୍ରଣୟଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ ଓ ଧ୍ରୁବ କପିଳଙ୍କ ଅଭିଯାନ ପ୍ରି-କ୍ବାର୍ଟର୍‌ ଫାଇନାଲ୍‌ରେ ଶେଷ ହୋଇଯାଇଛି। ପ୍ରଣୟ ୧୭-୨୧, ୧୮-୨୧ରେ ମାଲେସିଆର ‌ଡାରେନ ଲିଉଙ୍କଠୁ ଏବଂ ଅର୍ଜୁନ ଓ ଧ୍ରୁବ ୨୧-୯, ୨୧-୧୧ରେ ଇଂଲଣ୍ଡର ବେନ ଲେନ୍‌ ଓ ସିଅନ ଭେଣ୍ଡିଙ୍କଠୁ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର