ବିସିସିଆଇ ହସ୍ତକ୍ଷେପ ପରେ ସାମିଙ୍କୁ ଆମେରିକା ଭିସା ମିଳିଲା

ନୂଆଦିଲ୍ଲୀ: ଭାରତୀୟ ଦଳର ବରିଷ୍ଠ ଖେଳାଳି ତଥା ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ଶେଷରେ ଆମେରିକା ଯିବା ପାଇଁ ଭିସା ମିଳିଛି। ତାଙ୍କ ବିରୋଧରେ ଘରୋଇ ହି˚ସା ଭଳି ମାମଲା ରହିଥିବାରୁ ଆମେରିକା ପୂର୍ବରୁ ଭିସା ‌ଦେବାକୁ ମନା କରି ଦେଇଥିଲା। ତେବେ ବିସିସିଆଇ ହସ୍ତକ୍ଷେପ ପରେ ସାମିଙ୍କ ଆମେରିକା ଗସ୍ତକୁ ସବୁଜ ସଙ୍କେତ ମିଳିଛି। ଦେଶ ପାଇଁ ସାମିଙ୍କ ଅବଦାନ ଓ ପତ୍ନୀ ହସିନ୍‌ ଜାହାନ୍‌ଙ୍କ ସହିତ ଲାଗିରହିଥିବା ବୈବାହିକ କଳହର ସବିଶେଷ ପୁଲିସ୍‌ ରିପୋର୍ଟକୁ ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି ଆମେରିକା ଦୂତାବାସକୁ ପଠାଇବାରୁ ଭିସା ଅନୁମତି ମିଳିପାରିଛି। ଭାରତୀୟ ଖେଳାଳିମାନେ ଭିସା ପାଇବା ପାଇଁ ପି୧ କାଟାଗୋରିରେ ଅସୁଛନ୍ତି। ସାମିଙ୍କ ଭିସା ଅବେଦନ ବେଳେ ପୁଲିସ୍‌ ଯାଞ୍ଚ ତଥ୍ୟ ପୂର୍ଣ୍ଣାଙ୍ଗ ହୋଇନଥିଲା। ଯେଉଁଥିପାଇଁ ଆମେରିକୀୟ ଦୂତାବାସ ତାଙ୍କ ଭିସା ଆବେଦନକୁ ନାକଚ କରିଦେଇଥିଲା। ତଥାପି ପରବର୍ତ୍ତୀ ସମୟରେ ଆବଶ୍ୟକୀୟ କାଗଜପତ୍ର ଦୂତାବାସ ପାଖରେ ଦାଖଲ କରାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ୨୦୧୮ ମସିହାରେ ସାମି ଓ ତାଙ୍କ ପତ୍ନୀ ହସିନ୍‌ ପରସ୍ପରଠୁ ଅଲଗା ହୋଇଯାଇଥିଲେ। ତେବେ ହସିନ୍‌ ପରବର୍ତ୍ତୀ ସମୟରେ ସାମିଙ୍କ ବିରୋଧରେ ଘରୋଇ ହି˚ସା ଅଭିଯୋଗ ଆଣି କୋଲକାତାରେ ଏଫ୍‌ଆଇଆର ଦେଇଥିଲେ।

ସମ୍ବନ୍ଧିତ ଖବର