ଦୁବାଇ ହୋଟେଲରେ ଦୁଇ ଦିନ ରହିଥିଲେ ସାମି

ମୁମ୍ବାଇ  : ଦକ୍ଷିଣ ଆଫ୍ରିକାରୁ ଫେରିବା ବାଟରେ ଭାରତୀୟ କ୍ରିକେଟର ମହମ୍ମଦ ସାମି ଦୁବାଇର ଏକ ହୋଟେଲରେ ଦୁଇ ଦିନ ରହିଥିଲେ। କୋଲକାତା ପୁଲିସର ଏକ ପତ୍ରର ଉତ୍ତର ଦେଇ ବିସିସିଆଇ ମଙ୍ଗଳବାର ଏହି କଥା ସ୍ପଷ୍ଟ କରିଛି। ଗତମାସରେ ସାମି କୋଉଠି ଥିଲେ? କୁଆଡେ ଯାଇଥିଲେ? ତା’ର ପୂରା ବିବରଣୀ ଦେବାକୁ କୋଲକାତା ପୁଲିସ ପତ୍ର ମାଧ୍ୟମରେ ବିସିସିଆଇକୁ ଅନୁରୋଧ କରିଥିଲା। ବିସିସିଆଇ ଏହାର ଉତ୍ତର ଦେଇ ସାମି ଦୁବାଇ ହୋଟେଲରେ ରହିବା କଥା ସତ ବୋଲି କହିଛି। ସେପଟେ କୋଲକାତା ପୁଲିସ ମଧ୍ୟ ସାମିଙ୍କ ଘରକୁ ଯାଇ ତାଙ୍କୁ ଜେରା କରିଥିବା ଜଣା ପଡ଼ିଛି। ସାମି ମଧ୍ୟ ପୁଲିସକୁ ପୂରା ସହଯୋଗ କରିଛନ୍ତି। ପୁଲିସ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ସେ ଭଲଭାବେ ଦେଇଥିବାର ସୂଚନା ମିଳିଛି।

ସୋମବାର ସାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ମୁଖ୍ୟ କାରଣ ତଥା ପାକିସ୍ତାନୀ ଝିଅ ଆଲିସ୍‌ବା ମଧ୍ୟ ଏହି ମାମଲାରେ ମୁହଁ ଖୋଲିଥିଲେ। ସାମିଙ୍କୁ ଦୁବାଇର ଏକ ହୋଟେଲରେ ଭେଟିଥିବା ସେ ମଧ୍ୟ ସ୍ୱୀକାର କରିଥିଲେ। ତେବେ ସାମିଙ୍କ ସହ ତାଙ୍କର କୌଣସି ଅନୈତିକ ସଂପର୍କ ନାହିଁ। ସେ କେବଳ ତାଙ୍କର ଜଣେ ପ୍ରଶଂସିକା ବୋଲି ଆଲିସ୍‌ବା ଦୃଢ଼ତାର ସହ କହିଥିଲେ। ଆଲିସ୍‌ବା ତାଙ୍କ ପକ୍ଷ ରଖିବା ପରେ ହାସିନ ମଙ୍ଗଳବାର ସାମିଙ୍କ ଚରିତ୍ର ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି। ସାମି ବିଚ୍‌ ବଜାର ଉପରେ ମାଡ଼ ଖାଇବା କଥା। ସେ ଓ ତାଙ୍କ ପରିବାରବର୍ଗଙ୍କୁ ଏବେ ପୁଲିସ ଗିରଫ କରିନେବା ଉଚିତ। ହେଲେ କାହିଁକି କରୁନି ମୁଁ ଜାଣି ପାରୁନାହିଁ ବୋଲି ହସିନ କହିଛନ୍ତି। ସେ ଆହୁରି କହିଛନ୍ତି ଆଲିସ୍‌ବା ସାମିଙ୍କ ପ୍ରଶଂସିକା ନୁହେଁ। ସେ ତାଙ୍କ ପ୍ରେମିକା ହୋଇପାରେ। ସେ ଜଣେ ଦେହଜୀବୀ ମଧ୍ୟ ହୋଇପାରେ। ଜଣେ ଝିଅ ଯଦି ନିଜ ପରିବାରକୁ ଲୁଚି ପର ପୁରୁଷକୁ ହୋଟେଲରେ ଭେଟେ, ଖରାପ କଥା କରେ ତାହାଲେ ତାକୁ କ’ଣ କୁହାଯିବ। ସେ ମୋ ଜୀବନ ନଷ୍ଟ କରିବାକୁ ଆସିଛି। ମୋ ସ୍ୱାମୀଙ୍କୁ ବଦନାମ କରିବା ପାଇଁ ଏପରି କରିଛି। ମୋ ସ୍ୱାମୀ ମଧ୍ୟ କିଛି କମ ନୁହଁନ୍ତି।

ସମ୍ବନ୍ଧିତ ଖବର