ସାମି-ହସିନ୍‌ ବିବାଦ: ଫିକ୍ସିଂ ଅଭିଯୋଗର ତଦନ୍ତ କରିବ ଏସିୟୁ

ମୁହଁ ଖୋଲିଲେ ସୈଫଉଦ୍ଦିନ

ମୁମ୍ବାଇ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ୍‌ ଜାହାଁ ଆଣିଥିବା ମ୍ୟାଚ୍‌ ଫିକ୍ସିଂ ଅଭିଯୋଗର ତଦନ୍ତ ବିସିସିଆଇ ଦୁର୍ନୀତି ନିବାରଣ ସଂସ୍ଥା ବା ଏସିୟୁ କରିବ। ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦେଶରେ ସଂପ୍ରତି ବିସିସିଆଇ ପରିଚାଳନା ଦାୟିତ୍ୱରେ ଥିବା ପ୍ରଶାସନିକ ସମିତି (ସିଓଏ)ର ମୁଖ୍ୟ ବିନୋଦ ରାଏ ବୁଧବାର ଏହି ନିର୍ଦେଶ ଦେଇଛନ୍ତି। ତା’ ସହ ସପ୍ତାହକ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ଏସିୟୁକୁ ରାଏ କହିଛନ୍ତି। ସାମି ଦୁବାଇରେ ଆଲିସ୍‌ବା ନାମକ ଜଣେ ପାକିସ୍ତାନୀ ଝିଅଠାରୁ ଟଙ୍କା ନେଇଥିବା ହସିନ୍‌ ଅଭିଯୋଗ କରିଥିଲେ। ଏପରିକି ଏହି ଟଙ୍କାର ମ୍ୟାଚ୍‌ ଫିକ୍ସିଂ ସହ ସଂପର୍କ ଥାଇପାରେ ବୋଲି ସେ ଆଶଙ୍କା ଜାହିର କରିଥିଲେ। ହସିନଙ୍କ ଏହି ଅଭିଯୋଗ ପରେ ସିଓଏ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି। ଯାହା ସାମିଙ୍କ ପାଇଁ ଏକ ବଡ଼ ଝଟ୍‌କା ହୋଇଛି। ବିସିସିଆଇ ପୂର୍ବରୁ ତାଙ୍କୁ ନିଜ ବାର୍ଷିକ ଚୁକ୍ତିରୁ ବାଦ୍‌ ଦେଇ ସାରିଛି। ସେହିଭଳି ସେ ଚଳିତ ବର୍ଷ ଆଇପିଏଲ୍‌ରେ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖା ଦେଇଛି। ସାମି ମାମଲାର ତଦନ୍ତ ଏସିୟୁ ମୁଖ୍ୟ ନୀରଜ କୁମାର କରିବେ ବୋଲି ଜଣା ପଡ଼ିଛି।

ମହମ୍ମଦ ସାମି ଓ ହସିନ ଜାହାଁ ବିବାଦରେ ମୁହଁ ଖୋଲିଛନ୍ତି ହସିନଙ୍କ ପ୍ରଥମ ପତି ସେକ୍‌ ସୈଫଉଦ୍ଦିନ। ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସାମି ଓ ହସିନ ପୁଣି ଥରେ ଏକାଠି ହୋଇଯିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାର ସିଉରି ଗାଁରେ ରହୁଥିବା ସୈଫଉଦ୍ଦିନ ତୁରନ୍ତ ମନୋମାଳିନ୍ୟ ଦୂର କରି ପୁନର୍ବାର ଖୁସିର ସଂସାର ଆରମ୍ଭ କରିବାକୁ ସାମି ଓ ହସିନଙ୍କୁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ମୁଁ ୨୦୦୨ ମସିହାରେ ହସିନଙ୍କୁ ବିବାହ କରିଥିଲି। ୨୦୦୩ରେ ଆମ ବଡ଼ ଝିଅ ଏବଂ ୨୦୦୬ରେ ସାନ ଝିଅ ଜନ୍ମ ଗ୍ରହଣ କରିଥିଲେ। ହସିନ ପାଠ ପଢ଼ି ସ୍ୱାବଲମ୍ବୀ ହେବାକୁ ଚାହୁଁଥିଲେ। ସେଥିପାଇଁ ଆମ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୧୦ରେ ଛାଡ଼ପତ୍ର ହେବା ପରେ ମୋ ଦୁଇ ଝିଅ ହସିନଙ୍କ ପାଖରେ ରହୁଥିଲେ। ହେଲେ ୨୦୧୪ରେ ହସିନ ସାମିଙ୍କୁ ବାହାହେବା ପରେ ସେମାନେ ଏବେ ମୋ ପାଖକୁ ଚାଲି ଆସିଛନ୍ତି।

ସମ୍ବନ୍ଧିତ ଖବର