ଦୁବାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍ରେ ଭାରତ ୭ ୱିକେଟ୍ରେ ବିଜୟୀ ହୋଇଛି। ବୋଲିଂ ବେଳେ ମହମ୍ମଦ ସାମି ଚମତ୍କାର ପ୍ରଦର୍ଶନ କରିଥିବାବେଳେ ବ୍ୟାଟିଂ ବେଳକୁ କେଏଲ୍ ରାହୁଲ, ଈଶାନ କିଶନ ଚମତ୍କାର ଖେଳିଥିଲେ। ଭାରତ ଗୋଟିଏ ଓଭର ପୂର୍ବରୁ ୩ ୱିକେଟ୍ ବିନିମୟରେ ୧୯୨ ରନ୍ ସଂଗ୍ରହ କରିଥିଲା।
ଟସ୍ ଜିତି ଭାରତ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୫ ୱିକେଟ୍ ହରାଇ ୧୮୮ ରନ୍ କରିଥିଲା। ଜନି ବେୟାରଷ୍ଟୋ (୪୯ ରନ୍) ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଯଶ୍ପ୍ରୀତ ବୁମ୍ରା ବୋଲ୍ଡ କରି ଦେଇଥିଲେ। ମୋଇନ ଅଲ୍ଲୀ ୪୩ (୨୦ ବଲ୍, ୪ ଚୌକା, ୨ ଛକା) ରନ୍ରେ ଅପରାଜିତ ରହିଥିଲା ବେଳେ ଲିଅମ ଲିଭିଂଷ୍ଟୋନ୍ ୩୦ ରନ୍ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସାମି (୩/୪୦) ସଫଳତମ ବୋଲର ଥିଲେ। ଯଶପ୍ରୀତ ବୁମରା ଓ ରାହୁଲ ଚହର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। ଭୁବନେଶ୍ବର କୁମାର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୪ ରନ୍ ବ୍ୟୟ କରି ୱିକେଟ୍ ଶୂନ୍ୟ ରହିଥିଲେ।
ଜବାବରେ ଭାରତ ପାଇଁ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍ (୫୧, ୨୪ ବଲ୍, ୬ ଚୌକା, ୩ ଛକା) ଏବଂ ଈଶାନ କିଶନ (୭୦, ୪୬ ବଲ୍, ୭ ଚୌକା, ୩ ଛକା) ଦୃଢ଼ ମୂଳଦୁଆ ପକାଇବା ପରେ ଋଷଭ ପନ୍ତ୍ (୨୯*, ୧୪ ବଲ୍, ୧ ଚୌକା, ୩ ଛକା) ଏବଂ ହାର୍ଦିକ ପାଣ୍ଡ୍ୟା (୧୬*, ୧୦ ବଲ୍, ୩ ଚୌକା) ମ୍ୟାଚ୍ ଶେଷ କରିଥିଲେ। କ୍ରିସ୍ ଜୋର୍ଡାନଙ୍କୁ ଛକା ମାରି ପନ୍ତ୍ ମ୍ୟାଚ୍ ଶେଷ କରିଥିଲେ। ତେବେ ଅଧିନାୟକ ବିରାଟ କୋହଲି (୧୧, ୧୩ ବଲ୍) ଏବଂ ସୂର୍ଯ୍ୟକୁମାର ଯାଦବ (୮, ୯ ବଲ୍)ଙ୍କ ବିଫଳତା ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍, ଡେଭିଡ୍ ୱିଲି, ଲିଆମ୍ ଲିଭିଙ୍ଗଷ୍ଟୋନ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।