ପାକିସ୍ତାନୀ ଝିଅ ସହ ସାମିଙ୍କ ସମ୍ପର୍କ! ଚାଞ୍ଚଲ୍ୟକର ଅଡିଓ ଦେଲେ ହସିନ

କୋଲ୍‌କାତା: ଶୁକ୍ରବାର ପତ୍ନୀ ହସିନ ଜାହାଁଙ୍କ ଏଫଆଇଆର୍‌ ଆଧାରରେ କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହାପରେ ହସିନ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏକ ଚାଞ୍ଚଲ୍ୟକର ଅଡିଓ ପ୍ରଦାନ କରିଥିଲେ। ଯେଉଁଥିରେ ପାକିସ୍ତାନୀ ଝିଆ ଆଲିସବାଙ୍କ ସହ ତାଙ୍କ ସମ୍ପର୍କକୁ ପଦାରେ ପକାଇଥିଲେ। ସାମି ଏବଂ ହସିନଙ୍କ ମଧ୍ୟରେ ହୋଇଥିବା ଏକ ଯୁକ୍ତିତର୍କ ଭରା ଅଡ଼ିଓରେ ଏହି କଥା ସ୍ପଷ୍ଟ ହୋଇଛି। ‘‘ସାମି ମୋତେ ମିଛ କୁହ ନାହିଁ। ତୁମେ ମୋର, କନ୍ୟା ଆର୍ଯ୍ୟା କିମ୍ବା ଆମ ପରିବାରର ପରଓ୍ଵା ନାହିଁ। ତୁମକୁ ସମ୍ଭବତଃ ସେହି ପାକିସ୍ତାନୀ ଝିଅ ଅଲିସବାର ପରଓ୍ଵା ଅଛି। ତୁମେ କହୁଥିଲ ଦୁବାଇ ଭିସା ନାହିଁ, କିନ୍ତୁ ଏବେ ଦୁବାଇରେ ଓହ୍ଲାଇ ସାରିଛ ଏବଂ ଗୋଟିଏ ହୋଟେଲ୍‌ରେ ଆଲିସବା ସହିତ ରହୁଛ। ତୁମ ପୁରୁଣା ଫୋନ୍‌ ମୋ ପାଖକୁ ଆସିଯିବାରୁ ସବୁ ସଂଯୋଗ ଆସିଯାଇଛି। ମୋତ ମିଛ କହିପାରିବ ନାହିଁ ବୋଲି ହସିନ୍‌ ସାମିଙ୍କୁ ଧମକାଉଥିଲେ। ସାମି କେବଳ ହଁ ନାରେ ଉତ୍ତର ରଖୁଥିଲେ। ଏପରିକି ବ୍ରିଟିସ୍‌ରେ ଅବସ୍ଥାପିତ ମହମ୍ମଦ ଭାଇଙ୍କ ସହ କିଛି ଆର୍ଥିକ ଦେଣନେଣ କଥା ମଧ୍ୟ ପତି ପତ୍ନୀଙ୍କ ମଧ୍ୟରେ ହୋଇଥିଲା। ଯାହାକି ସାମିଙ୍କୁ ଆଉ ଏକ ସନ୍ଦେହ ଘେରକୁ ଆଣିଛି। ଆଲିସବାଙ୍କ ଜରିଆରେ ମହମ୍ମଦ ଭାଇ ଟଙ୍କା ଦେଇଥିଲେ ବୋଲି ସାମି କହୁଥିଲେ ମଧ୍ୟ ସେମାନଙ୍କ ବାର୍ତାଳପ ଅଡ଼ିଓରେ ସେଭଳି କିଛି ନଥିବାରୁ ହସିନ୍‌ ସନ୍ଦେହ କରିଥିଲେ। ହସିନଙ୍କ ଅଭିଯୋଗକୁ ସାମି ଅସ୍ୱୀକାର କରିବା ସହିତ ତାଙ୍କୁ ମାନସିକ ଅସ୍ଥିର ବ୍ୟକ୍ତିତ୍ୱ ବର୍ଣ୍ଣନା କରିଥିଲେ। ଏବେ ଆପଣ କୁହନ୍ତି କିଏ ମାନସିକ ବିକୃତ ବୋଲି ହସିନ୍‌ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ମୁଁ ମୋ ଅଭିଯୋଗ ଗୁଡ଼ିକରେ ଦୃଢ଼ ବୋଲି ସେ ଦାବି କରିଥିଲେ। ଅନେକ ଦିନ ଧରି ମୁଁ ମାନସିକ ଯନ୍ତ୍ରଣା ଓ ଚାପ ଭିତରେ ବିତାଇବା ପରେ ସାମାଜିକ ଗଣମାଧ୍ୟମର ସହାୟତା ନେଇଥିଲି ବୋଲି ହସିନ୍‌ କହିଥିଲେ। ମୁଁ କାହାରି ଭାବମୂର୍ତିରେ ଆଞ୍ଚ ଆସିବାକୁ ଚେଷ୍ଟା କରିନାହିଁ, ଏହା ମୋ ଲଢ଼େଇ। ଏହା ଭବିଷ୍ୟତରେ ଝିଅମାନଙ୍କୁ ଏଭଳି ପରିସ୍ଥିତିରୁ ଦୂରେଇ ରଖିବ। ଭଲ ଉଦ୍ଦେଶ୍ୟରେ ମୁଁ ମୁହଁ ଖୋଲିଛି। କନ୍ୟା ସହିତ ମୋ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯାଉଛି, ଗଣମାଧ୍ୟକ କିନ୍ତୁ ଏଥିରୁ ମସଲା ଖୋଜୁଛି ବୋଲି ହସିନ୍‌ ଅଭିଯୋଗ କରିଥିଲେ। ଅପୋଷ ସମାଧାନ ସମ୍ଭାବନାକୁ ଦୃଢ଼ ଭାବେ ମନା କରି ଦେଇଥିଲେ ହସିନ।

ସାମିଙ୍କ ବିରୋଧରେ ଧର୍ଷଣ, ହତ୍ୟା ଧମକ ମାମଲା ରୁଜୁ

ମୁମ୍ବାଇ: ପତ୍ନୀ ହସିନ ଜାହାଁଙ୍କ ଅଭିଯୋଗ ପରେ ଭାରତୀୟ କ୍ରିକେଟର୍‌ ମହମ୍ମଦ ସାମିଙ୍କ ବିରୋଧରେ ଧର୍ଷଣ ଓ ହତ୍ୟା ଉଦ୍ୟମ ଅଭିଯୋଗ ରୁଜ୍ଜୁ କରାଯାଇଛି। ତାଙ୍କ ବିରୋଧରେ କୋଲ୍‌କାତା ପୁଲିସ ମୋଟ ୫ଟି ଅଭିଯୋଗ ଦାଏର କରିଛି। ସାମିଙ୍କ ନାମରେ ଧର୍ଷଣ, ହତ୍ୟା ଉଦ୍ୟମ, ଘରୋଇ ହିଂସା, ବ୍ୟଭିଚାର ତଥା ଅନୈତିକ ସମ୍ପର୍କ ଆଦି ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ହସିନ ଜାହାଁ। ସେ ସାମି ଏବଂ ତାଙ୍କ ପରିବାରର ୪ ଜଣଙ୍କ ନାମରେ ଏଫ୍‌ଆଇଆର୍‌ ଦେବା ପରେ ପୁଲିସ୍‌ ଭାରତୀୟ ପିଙ୍ଗଳ ଧାରାର ୩୭୬, ୩୦୭, ୪୯୮-ଏ, ୩୨୩, ୩୨୮, ୩୪ ଏବଂ ୫୦୬ରେ ମାମଲା ରୁଜୁ କରିଛି। ଏହା ସାମିଙ୍କ ଚିନ୍ତା ବଢ଼ାଇ ଦେଇଛି। ବୁଧବାର ହସିନା ସାମିଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ପରେ ବିସିସିଆଇ ସାମିଙ୍କୁ ତା’ର ବାର୍ଷିକ ଚୁକ୍ତିରୁ ବାଦ୍‌ ଦେଇଥିଲା। ତଦନ୍ତ ଶେଷ ପର୍ଯ୍ୟନ୍ତ ସେ ଚୁକ୍ତିରୁ ବାଦ୍‌ ପଡ଼ିବା କଥା କୁହାଯାଇଥିବାରୁ ଏବେ ସାମିଙ୍କ ଖେଳ ଜୀବନ ଭବିଷ୍ୟତ ନେଇ ଆଶଙ୍କା ଜାତ ହୋଇଛି। ସାମି ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି କହିଥିଲେ। କିନ୍ତୁ ପତ୍ନୀଙ୍କୁ ଯୋଗାଯୋଗ କରିବାରେ ବିଫଳ ହେଉଥିବା ସାମି କହିଥିଲେ। ସାମିଙ୍କ ପରିବାର ଲୋକ ହସିନଙ୍କୁ ବିଗତ ୨ ବର୍ଷ ହେବ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଥିଲା। ପରିବାରର ସମସ୍ତେ ମୋତେ ନିର୍ଯାତନା ଦେଉଥିଲେ ବୋଲି ହସିନ୍‌ କହିଥିଲେ। ସାମିଙ୍କ ଏକ ମୋବାଇଲ ତାଙ୍କ କାର ଭିତରୁ ମିଳିବା ପରେ ଏଥିରେ ସେ ଏକାଧିକ ମହିଳାଙ୍କ ସହ ସମ୍ପର୍କରେ ରହିଥିବା ପ୍ରମାଣ ପାଇଥିଲେ ହସିନ୍‌। ଏହା ପରଠାରୁ ଉଭୟଙ୍କ ମଧ୍ୟରେ ବିଭେଦ ଦେଖା ଦେଇଥିଲା ବିଶ୍ୱାସ କରାଯାଉଛି। ଏହି ମୋବାଇଲ୍‌କୁ ସାମି ୨୦୧୪ ମସିହାରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାର୍‌ ଡେଭିଲ୍‌ସଠାରୁ ଉପହାର ସୂତ୍ରରେ ପାଇଥିଲେ। ଯେଉଁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରୁ ପ୍ରଥମେ ସାମିଙ୍କ ନାମରେ ଅଭିଯୋଗ ଆସିଥିଲା ଏବେ ତାହା ନିଷ୍କ୍ରିୟ ହୋଇପଡ଼ିଛି। ଅନ୍ୟପକ୍ଷରେ ସାମି ସଦ୍ୟ ସମାପ୍ତ ଦେଓଧର ଟ୍ରଫିରେ ଖେଳିଥିବାବେଳେ ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ ଲାଗି ଦିଲ୍ଲୀ ଡେୟାର ଡେଭିଲ୍‌ସ ଦଳରେ ସାମିଲ ଅଛନ୍ତି।

ଦେଶକୁ ଧୋକ୍କା ଦେବା ପୂର୍ବରୁ ମରଣକୁ ପସନ୍ଦ କରିବି: ସାମି
ମୁମ୍ବାଇ: ପତ୍ନୀ ହସିନ୍‌ ଜାହାଁଙ୍କ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରୁଥିବା କ୍ରିକେଟର୍‌ ମହମ୍ମଦ ସାମି ଶୁକ୍ରବାର କହିଛନ୍ତି ଯେ, ନିଜ ଦେଶକୁ ଧୋକ୍କା ଦେବା ପୂର୍ବରୁ ମୁଁ ମରଣକୁ ପସନ୍ଦ କରିବି। ବିସିସିଆଇ ଚୁକ୍ତିରୁ ବାଦ୍‌ ପଡ଼ିବା ପରେ ଏହି ବେଙ୍ଗଲ ଦ୍ରୁତ ବୋଲର କହିଛନ୍ତି ବୋର୍ଡ ମୋ ସହିତ ରହିଛି। ମୋତେ ବରବାଦ୍‌ କରିବା ଏବଂ ମୋ ଖେଳ ଜୀବନକୁ ନଷ୍ଟ କରିଦେବାକୁ ଏହା ଏକ ଷଡ଼ଯନ୍ତ୍ର ବୋଲି ସାମି ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସାମି ଭାରତ ପାଇଁ ୩୦ ଟେଷ୍ଟ୍‍ ଖେଳି ୧୧୦ ଓ୍ଵିକେଟ୍‌ ନେଇଥିବାବେଳେ ୫୦ ଦିନିକିଆ ଏବଂ ୭ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ ଖେଳି ଯଥାକ୍ରମେ ୯୧ ଓ ୮ ଓ୍ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର