ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ପରଠୁ ଭାରତୀୟ ତାରକା ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ଆକ୍ସନକୁ ପ୍ରଶଂସକ ଦେଖିବାକୁ ପାଇ ନାହାନ୍ତି। ଏହି ଅପେକ୍ଷା ଆହୁରି ଲମ୍ବିବାର ସମ୍ଭାବନା ଦେଖାଯାଇଛି। ତାଙ୍କ ଗୋଇଠି ଅସ୍ତ୍ରୋପଚାର ମଙ୍ଗଳବାର ଶେଷ ହୋଇଛି। ଆଇପିଏଲ୍‌ ପୂର୍ବରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ସମ୍ଭାବନା ନଥିବାରୁ ଏହି ଧନି ଲିଗ୍‌ରେ ସେ ଖେଳିପାରିବେନି। ସେହିଭଳି ‌ଜୁନ୍‌ରେ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବେଳକୁ ମଧ୍ୟ ତାଙ୍କର ସୁସ୍ଥ ହେବା ସମ୍ଭାବନା କମ୍‌ ରହିଛି। ମଙ୍ଗଳବାର ସାମି ‘ଏକ୍ସ’ରେ ହସ୍‌ପିଟାଲ ବେଡ୍‌ରେ ଥିବା ବେଳର କିଛି ‌ଫଟୋ ପୋଷ୍ଟ କରିଛନ୍ତି। ଏହାର ଶିରୋନାମାରେ ସେ ଲେଖିଛନ୍ତି, ‘‘ମୋର ଗୋଇଠିର ସଫଳ ଅସ୍ତ୍ରୋପଚାର ହୋଇଛି। ସୁସ୍ଥ ହେବା ଲାଗି କିଛି ସମୟ ଲାଗିବ, କିନ୍ତୁ ପାଦ ଠିକ୍‌ ହେବାକୁ ଅପେକ୍ଷା କରିଛି।’’ ୩୩ ବର୍ଷୀୟ ସାମି ଦିନିକିଆ ବିଶ୍ବକପ୍‌ରେ ୨୪ ୱିକେଟ୍‌ ନେଇଥିଲେ।