ସାମିଙ୍କ ପତ୍ନୀ ନିର୍ଯାତନା!

ହସିନାଙ୍କ ଗୁରୁତର ଅଭିଯୋଗ ‘ବହୁ ମହିଳାଙ୍କ ସହ ଅବୈଧ ସଂପର୍କ ଅଛି, ଦୁଇ ବର୍ଷ ହେବ ମୋତେ ମାରଧର କରି ଆସୁଛନ୍ତି’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନା ଜାହାଁ ଗୁରୁତର ଅଭିଯୋଗ ଆଣିଛନ୍ତି। ସାମିଙ୍କର ବହୁ ନାରୀଙ୍କ ସହ ସମ୍ପର୍କ ଅଛି। ଗତ ଦୁଇ ବର୍ଷ ହେବ ସେ ମୋତେ ଶରିରୀକ ଏବଂ ମାନସିକ ଭାବେ ନିର୍ଯାତନା ଦେଇ ଆସୁଛନ୍ତି ବୋଲି ଅଭିଯୋଗ କରି ବୁଧବାର ସେ କୋଲକାତା ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ଗଣମାଧ୍ୟମ ସମ୍ମୁଖରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିବା ପରେ ଥାନାକୁ ଯାଇ ସେ ଏହି ବିଷୟରେ ଲିଖିତ ଏତଲା ଦେଇଛନ୍ତି। ହସିନା ତାଙ୍କ ଓକିଲ ଜାକିର ହୁସେନ ପୁଲିସ କମିସନର ରାଜୀବ କୁମାରଙ୍କୁ ଭେଟି ସାମିଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ପୁଲିସ କିନ୍ତୁ ଏହି ବିଷୟରେ ଅଧିକ କିଛି କହିବାକୁ ମନା କରି ଦେଇଥିଲା। ହସିନା କହିଛନ୍ତି ସାମି ମୋତେ ନିୟମିତ ଭାବେ ମାରଧର କରୁଥିଲେ। ମୋର କିମ୍ବା ଆମ ଝିଅର ଯତ୍ନ ଆଦୌ ନେଉ ନଥିଲେ। ଚୁପ ରହିବାକୁ ଧମକ ଦେଉଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରି ମୋତେ ମାଡ଼ ମାରିଥିଲେ। ଗତରାତିରେ ତାଙ୍କ ମୋବାଇଲ୍‌ ଫୋନ୍‌ ଖୋଲିବା ପରେ ବହୁ ନାରୀଙ୍କ ସହ ତାଙ୍କର ସଂପର୍କ ଥିବା ଜାଣିବାକୁ ପାଇଥିଲି। ଭୟରେ କିନ୍ତୁ ସେ ଯାହା ଚାହୁଁଥିଲେ ମୁଁ ତାହା କରୁଥିଲି। ସେ କିନ୍ତୁ ମୋ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ମୋ ସହ ପତ୍ନୀଙ୍କ ଭଳି ଆଦୌ ବ୍ୟବହାର କରୁ ନଥିଲେ। ତାଙ୍କର ବହୁ ନାରୀଙ୍କ ସହ ସଂପର୍କ ଅଛି। ଛାଡ଼ପତ୍ର ଦେବାକୁ ମୋ ଉପରେ ସେ ନିୟମିତ ଚାପ ପକାଉଥିଲେ। ହେଲେ ମୁଁ ତାଙ୍କୁ କୌଣସି ପରିସ୍ଥିତିରେ ଓ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ଛାଡ଼ପତ୍ର ଦେବି ନାହିଁ। ହସିନାଙ୍କ ଏହି ଅଭିଯୋଗ ପଦାକୁ ଆସିବା ପରେ ଭାରତୀୟ କ୍ରିକେଟ୍‌ରେ ଆଲୋଡ଼ନ ସୃଷ୍ଟି ହୋଇଛି। କୌଣସି ଭାରତୀୟ କ୍ରିକେଟରଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସାର ଅଭିଯୋଗ ଆଣିବାର ଏହା ପ୍ରଥମ ଘଟଣା ମଧ୍ୟ ହୋଇଛି। ସାମି କିନ୍ତୁ ହସିନାଙ୍କର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିଜ ଟ୍ଵିଟର ପୃଷ୍ଠାରେ ଏହି ବିଷୟରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଆମ ବ୍ୟକ୍ତିଗତ ଜୀବନ ବିଷୟରେ ଯେଉଁ ଚର୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଆମ ବିରୋଧରେ କେହି ଜଣେ ସୁଚିନ୍ତିତ ଷଡ଼ଯନ୍ତ୍ର କରୁଛି। ଯିଏ ବି ଏମିତି କରୁଛି ତା’ର ମୂଳ ଲକ୍ଷ୍ୟ ହେଉଛି ମୋ କ୍ରିକେଟ୍‌ ଜୀବନକୁ ନଷ୍ଟ କରିବା।

ସାମିଙ୍କ ଟ୍ଵିଟ୍‌ ପୂର୍ବରୁ କିନ୍ତୁ ହସିନା ନିଜ ଫେସ୍‌ବୁକ୍‌ ପୃଷ୍ଠାରେ ସାମି କିଭଳି ଭାବେ ବିବାହିତ ହୋଇ ମଧ୍ୟ ଅନ୍ୟ ମହିଳାଙ୍କ ସହ ଅବୈଧ ସଂପର୍କ ରଖିଛନ୍ତି ତା’ର ପୂରା ବିବରଣୀ ଦେଇଥିଲେ। ଏପରିକି ସାମି ଏବଂ ଅନ୍ୟ ମହିଳାଙ୍କ ସହ ହୋଇଥିବା ବାର୍ତାଳାପର ଚିଠା ସେ ଫେସବୁକରେ ପ୍ରକାଶ କରିଥିଲେ। ଏହି ବିବାଦ ଘନେଇବା ପରେ ବିସିସିଆଇ ବୁଧବାର ଘୋଷଣା କରିଥିବା କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ସାମିଙ୍କ ନାଁ ବାଦ୍‌ ଦେଇଛି। ତେବେ ସାମି ସବୁବେଳେ ହାସିନାଙ୍କୁ ସମର୍ଥନ ଦେଇ ଆସୁଛନ୍ତି। ଏପରିକି ସେ ଜୁଆଡ଼େ ଯାଆନ୍ତି ତାଙ୍କୁ ସାଙ୍ଗରେ ନିଅନ୍ତି। ଧର୍ମଶାଳାରେ ଆୟୋଜିତ ଦେଓଧର ଟ୍ରଫି ବେଳେ ହସିନା ଏବଂ ଝିଅ ମଧ୍ୟ ତାଙ୍କ ସହ ଥିଲେ। ଏଭଳି ପରିସ୍ଥିତିରେ କେମିତ ଓ କାହିଁକି ହସିନା ତାଙ୍କ ବିରୋଧରେ ଏମିତି ସଙ୍ଗୀନ ଅଭିଯୋଗ ଆଣିଲେ ତାହା ରହସ୍ୟ ଘେରରେ ରହିଛି। ବେଙ୍ଗଲ ବୋଲର ସାମି ଭାରତ ପକ୍ଷରୁ ୩୦ ଟେଷ୍ଟ, ୫୦ ଦିନିକିଆ ଓ ୭ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ସମ୍ବନ୍ଧିତ ଖବର