ସାମିଙ୍କ ପ୍ରଥମ ୫, ଚଳିତ ବିଶ୍ବକପ୍‌ର ଷଷ୍ଠ ବୋଲର

ବର୍ମିଂହାମ: ଛକା-ଚୌକା ବରଣ କରି ଚାଲିଥିବା ଭାରତୀୟ ବୋଲରଙ୍କୁ ପ୍ରଥମ ୱିକେଟ୍ ପାଇଁ ୨୩ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ କୁଲଦୀପ ଯାଦବଙ୍କ ବଲ୍‌ରେ ବଦଳ ଖେଳାଳି ରବୀନ୍ଦ୍ର ଜାଦେଜା ଲଙ୍ଗ ଅନ୍‌ରେ ଆଗକୁ ଡାଇଭ୍ ମାରି ଏକ କଷ୍ଟକର କ୍ୟାଚ୍ ନେବା ସହ ଭାରତକୁ ପ୍ରଥମ ୱିକେଟ୍ ଉପହାର ଦେଇଥିଲେ। ଏହିଠାରୁ ଅବଶ୍ୟ ମହମ୍ମଦ ସାମିଙ୍କ ୱିକେଟ୍ ଶିକାର ଆରମ୍ଭ ହୋଇଯାଇଥିଲା। ବିପଜ୍ଜନକ ବେୟାରଷ୍ଟୋଙ୍କୁ ପଦାର୍ପଣକାରୀ ଋଷବ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ପ୍ରଥମ ୱିକେଟ୍ ଅକ୍ତିଆର କରିଥିଲେ। ଏହା ପରେ ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ (୧), ‌ଜୋ ରୁଟ୍, ଜୋସ୍ ବଟଲର ଓ କ୍ରିସ୍ ଓକ୍ସଙ୍କ ୱିକେଟ୍ ନେଇ ଏକଦିବସୀୟ କ୍ରିକେଟରେ ପ୍ରଥମ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲେ। ସେ ଅବଶ୍ୟ ଟିକିଏ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ୧୦ ଓଭରରେ ଗୋଟିଏ ମେଡେନ୍ ନେଇ ୬୯ ରନ୍ ବ୍ୟୟ କରିଥିଲେ। ପ୍ରଥମ ୪ ଓଭରରେ ମାତ୍ର ୮ ରନ୍ ଦେଇଥିବା ଯଶପ୍ରୀତ ବୁମରା (୧୦-୧-୪୪-୧) ଶେଷ ୬ ଓଭରରେ ୩୬ ରନ୍ ଦେଇଥିଲେ। କେବଳ ବେନ୍ ଷ୍ଟୋକ୍ସଙ୍କ ୱିକେଟ୍ ତାଙ୍କ ଖାତାକୁ ଯାଇଥିଲା।

ଚଳିତ ବିଶ୍ବକପ୍‌ର ଷଷ୍ଠ ବୋଲର
ଚଳିତ ବିଶ୍ବକପ୍‌ରେ ରବିବାର ଭାରତ-ଇଂଲଣ୍ଡ ମୁକାବିଲା ପର୍ଯ୍ୟନ୍ତ ଗୋଟିଏ ପାଳିରେ ୫ ୱିକେଟ୍‌ ଦଖଲ କରିବାରେ ମହମ୍ମଦ ସାମି ଷଷ୍ଠ ବୋଲର ହୋଇଛନ୍ତି। ଏହି ଭାରତୀୟ ଦ୍ରୁତ ବୋଲର ରବିବାର ଆୟୋଜକ ଇଂଲଣ୍ଡ ବିପକ୍ଷରେ ୫/୬୯ ବୋଲିଂ ଚିତ୍ର ପାଇଥିଲେ। ଏହା ପୂର୍ବରୁ ଆଉ ୫ ବୋଲର ଏଭଳି ସଫଳତା ହାତେଇ ସାରିଥିଲା ବେଳେ ସେମାନଙ୍କ ମଧ୍ୟରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୨ ଥର ୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ଷ୍ଟାର୍କ ଓ ସାମିଙ୍କ ବ୍ୟତୀତ ଚଳିତ ବିଶ୍ବକପ୍‌ରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାସନ୍‌ ବେହରେନ୍‌ଡର୍ଫ ଇଂଲଣ୍ଡ ବିପକ୍ଷରେ ୫/୪୪, ନ୍ୟୁଜିଲାଣ୍ଡ୍‌ ଅଲ୍‌ରାଉଣ୍ଡର ଜେମ୍‌ସ ନିସାମ୍‌ ଆଫ୍‌ଗାନିସ୍ତାନ ବିପକ୍ଷରେ ୫/୩୧, ବାଂଲାଦେଶ ସ୍ପିନର ତଥା ଅଲ୍‌ରାଉଣ୍ଡର ଆଫ୍‌ଗାନିସ୍ତାନ ବିପକ୍ଷରେ ୫/୨୯ ଏବଂ ପାକିସ୍ତାନୀ ବାମହାତୀ ଦ୍ରୁତ ବୋଲର ମହମ୍ମଦ ଆମିର ଅଷ୍ଟ୍ରେଲିଆ ବିପକ୍ଷରେ ୫/୩୦ର ବୋଲିଂ ଚିତ୍ର ପାଇଥିଲେ।

ଛକା ଫରକ: ୧୩-୧
ଦୁଇ ଦଳ ମଧ୍ୟରେ ଛକା ହିଁ ଫରକ ଆଣିଥିଲା। ବର୍ମିଂହାମର ଛୋଟ ସୀମାରେଖା ପଡିଆରେ ଇଂଲଣ୍ଡ ନିଜ ପାଳିରେ ମୋଟ ୧୩ ଛକା ମାରିଥିଲା। ଭାରତ କିନ୍ତୁ ସମ୍ପୂର୍ଣ୍ଣ ୫୦ ଓଭରରେ ମାତ୍ର ଗୋଟିଏ ଛକା ମାରିବା କୋହଲି ‌ସେନାକୁ ପଛରେ ପକାଇ ଦେଇଥିଲା। ଅବଶ୍ୟ ଭାରତ ଚୌକା‌ ଦୌଡ଼ରେ ଆଗୁଆ ରହିଥିଲା। ଇଂଲଣ୍ଡର ୨୧ ଚୌକା ଜବାବରେ ମୋଟ ୩୫ ଥର ସୀମା ବାହାରକୁ ବଲ୍ ପଠାଇବାରେ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର