ନୂଆଦିଲ୍ଲୀ: ଭାରତୀୟ ଦଳକୁ ଦୃଢ଼ ଭାବେ ଫେରିବାର ଆଶା ରଖିଥିବା ଦ୍ରୁତ ବୋଲର ମହମ୍ମଦ ସାମି ପୁଣି ଅସୁବିଧାରେ ପଡ଼ିଛନ୍ତି। ଗୋଇଠି ଯନ୍ତ୍ରଣାରୁ ମୁକୁଳିବା ପରେ ଆଣ୍ଠୁ ସମସ୍ୟାରେ ପଡ଼ିଛନ୍ତି। ଡାହାଣ ଆଣ୍ଠୁରେ ସମସ୍ୟା ଦେଖାଯିବାରୁ‌ ସେ ‌କ୍ରିକେଟ୍‌କୁ ଫେରିବା ପୁଣି ବିଳମ୍ବ ହେବାକୁ ଯାଉଛି। ଭାରତୀୟ ବୋଲିଂ ଆକ୍ରମଣର ଆଗଧାଡ଼ିର ଖେଳାଳି ସାମିଙ୍କ ଅସ୍ତ୍ରୋପଚାର ୨୦୨୩ ଦିନିକିଆ ବିଶ୍ବକପ୍‌ ପରେ ହୋଇଥିଲା। ଫଳରେ ସେ ଆଇପିଏଲ୍‌ ସହ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଖେଳି ପାରି ନଥିଲେ। ଏହି ସମୟରେ ସେ ସୁସ୍ଥ ହେବା ଲାଗି କସରତ ଚଲାଇଥିଲେ ଏବଂ ଫେରିବାର ଅଶା ରଖିଥିଲେ। ଜାତୀୟ କ୍ରିକେଟ୍‌ ଏକାଡେମି (ଏନ୍‌ସିଏ)ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। ବିସିସିଆଇ ଡାକ୍ତରୀ ଦଳ ଏବେ ତାଙ୍କର ପରୀକ୍ଷାନିରୀକ୍ଷା ଚଲାଇବା ସହ ଉନ୍ନତ ଚିକିତ୍ସାର ବିକଳ୍ପ ଚିନ୍ତା କରୁଛନ୍ତି ବୋଲି ବିସିସିଆଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ୍‌ ଶୃଙ୍ଖଳା ରହିଛି। ସାମିଙ୍କ ଅନୁପସ୍ଥିତି ଭାରତକୁ ଅଡ଼ୁଆରେ ପକାଇପାରେ। ତଥାପି ତାଙ୍କ ଅନୁପସ୍ଥିତିରେ ଯୁବ ବୋଲର ଆକାଶ ଦୀପ, ୟଶ ଦୟାଲ, ଅର୍ଶଦୀପ ସିଂହ ଓ ମୁକେଶ କୁମାର ଭାରତର ବୋଲିଂ ବାହିନୀକୁ ସମ୍ଭାଳିବାର ସମ୍ଭାବନା ରହିଛି।

Advertisment

ଭାରତୀୟ କ୍ରିକେଟ୍‌ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଏବେ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍‌ ଏକାଡେମୀରେ ସୁସ୍ଥ ହେବା ପ୍ରକ୍ରିୟାରେ ଅଛନ୍ତି। ଏହି ଅବସରରେ ସେ ତାଙ୍କ ଝିଅ ଆଇରାକୁ ଭେଟିବାର ସୁଯୋଗ ପାଇଛନ୍ତି। ଆଇରା ସହିତ ବିତାଇଥିବା ମୂଲ୍ୟବାନ ସମୟର ଭିଡିଓକୁ ସାମି ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। ପତ୍ନୀ ହସିନ୍‌ ଜାହାନ୍‌ଙ୍କଠୁ ଅଲଗା ହେବାର ବହୁ ଦିନ ପରେ ସେ ତାଙ୍କ ଝିଅ ସହିତ ମିଶିବାକୁ ସୁ‌ଯୋଗ ପାଇଛନ୍ତି। ଝିଅକୁ ପାଖରେ ପାଇବା ପରେ ଏକ ସପିଂ ମଲ୍‌ରେ ତାଙ୍କ ପାଇଁ ବିଭିନ୍ନ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କିଣୁଥିବା ଭିଡିଓରେ ଦେଖିବାକୁ ମିଳିଛି।