ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଗୋଇଠି ଆଘାତରୁ ଏବେ ସୁସ୍ଥ ହେବାକୁ ଲାଗିଲେଣି। ଏହି ଆଘାତ ପାଇଁ ସାମିଙ୍କୁ ଗତବର୍ଷ ହୋଇଥିବା ଦିନିକିଆ ବିଶ୍ବକପ୍ ପରେ ଦଳଠୁ ଦୂରରେ ରହିବାକୁ ପଡ଼ିଥିଲା। ଏବେ ସେ ପ୍ରାୟତଃ ସୁସ୍ଥ ହୋଇଯାଇଥିବାରୁ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ହେବାକୁ ଥିବା ଟେଷ୍ଟ୍ ଶୃଙ୍ଖଳାରେ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ରହିଛି। ଏ ବିଷୟରେ ଚୟନକର୍ତ୍ତାମାନେ ଅବଗତ ଅଛନ୍ତି। ତେବେ ତାଙ୍କୁ ଦଲୀପ ଟ୍ରଫିର ଗୋଟିଏ ମ୍ୟାଚ୍ ଖେଳାଇ ଫେରିବାକୁ ସୁଯୋଗ ଦିଆଯିବ ନା ସିଧାସଳଖ ଖେଳାଯିବ ତାହା ନିଷ୍ପତ୍ତି ହୋଇନି। ଦଲୀପ ଟ୍ରଫି ସେପ୍ଟେମ୍ବର ୫ ତାରିଖରୁ ଅନନ୍ତପୁରରେ ଆରମ୍ଭ ହେଉଛି। ବର୍ତ୍ତମାନ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ସାମିଙ୍କ ସୁସ୍ଥ ହେବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଗତମାସଠୁ ସେ ବୋଲିଂ ଆରମ୍ଭ କଲେଣି ଏବଂ ଧୀରେଧୀରେ ବୋଲିଂ ଚାପ ବଢ଼ାଉଛନ୍ତି। ଏବେ ତାଙ୍କୁ ଆଦୌ ଯନ୍ତ୍ରଣା ହେଉ ନଥିବା ଜଣାପଡ଼ିଛି। ଯଦି ସାମି ଭାରତର ଘରୋଇ ଶୃଙ୍ଖଳାରେ ନଖେଳନ୍ତି ତାହେଲେ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ବେଳ ସଂପୂର୍ଣ୍ଣ ଫିଟ୍ ହୋଇଯାଇଥିବେ। ଭାରତ ଘରୋଇ ଶୃଙ୍ଖଳା ଭିତରେ ବାଂଲାଦେଶ ବିପକ୍ଷରେ ୨ ମ୍ୟାଚ୍ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍ ଖେଳିବ। ନଭେମ୍ବର ୫ରେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳା ଶେଷ ହେବା ପରେ ଭାରତ ତୁରନ୍ତ ଅଷ୍ଟ୍ରେଲିଆ ଚାଲିଯିବ। ଅନ୍ୟପକ୍ଷରେ ଏହି ଗସ୍ତ ପୂର୍ବରୁ ଅକ୍ଟୋବରରୁ ଆରମ୍ଭ ହେଉଥିବା ରଣଜୀ ଟ୍ରଫି ଓ ଅକ୍ଟୋବର ୩୧ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଭାରତ-ଏ ଦଳର ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ସାମିଙ୍କୁ ଖେଳିବା ପାଇଁ ସୁଯୋଗ ରହିବ।