ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ଟେଷ୍ଟ୍ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି। ଗତ ଦିନିକିଆ ବିଶ୍ବକପ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ସାମିଙ୍କ ଗୋଇଠିରେ ଆଘାତ ଲାଗିଥିଲା। କିନ୍ତୁ ବିସିସିଆଇ ଡାକ୍ତରୀ ଦଳ ତାଙ୍କୁ ଫିଟ୍ ଘୋଷଣା କରିନାହାନ୍ତି। ଏହି କାଣରରୁ ସାମି ଦକ୍ଷିଣ ଆଫ୍ରିକା ଗସ୍ତ କରିପାରିବେ ନାହିଁ ବୋଲି ବିସିସିଆଇ ଶନିବାର ଘୋଷଣା କରିଛି।
ଡିସେମ୍ବର ୨୬ ତାରିଖରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେଉଥିବାବେଳେ ବିସିସିଆଇ କିନ୍ତୁ ସାମିଙ୍କ ବଦଳ ଖେଳାଳି ନାମ ଘୋଷଣା କରିନାହିଁ। ୨୦୨୪ ଜାନୁଆରି ୨୫ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଲାଗି ସାମି ଫିଟ୍ ହୋଇଯାଇଥିବେ ବୋଲି ବିଶ୍ବାସ କରାଯାଉଛି। ଅନ୍ୟପକ୍ଷରେ ରବିବାରଠାରୁ ଆରମ୍ଭ ହେଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରୁ ଦୀପକ ଚହର ମଧ୍ୟ ଓହରି ଯାଇଛନ୍ତି। ତାଙ୍କ ବଦଳରେ ଆକାଶଦୀପଙ୍କୁ ବିସିସିଆଇ ସାମିଲ କରିଛି। ପରିବାରର ମେଡିକାଲ ଜରୁରି କାରଣରୁ ଚହର ଓହରିଯାଇଥିବା ବିସିସିଆଇ ସୂଚନା ଦେଇଛି। ଶ୍ରେୟସ ଆୟର ଏହି ଗସ୍ତର ଶେଷ ଦୁଇ ଦିନିକିଆ ନ ଖେଳି ଟେଷ୍ଟ୍ ଦଳ ସହ ଯୋଗଦେବେ ବୋଲି ମଧ୍ୟ ବିସିସିଆଇ କହିଛି।