ସାମି ପୁଣି ସ୍ବର ଉଠେଇଲେ: ‘ମୋତେ କାଳୁ ଡାକୁଥିଲ ବୋଲି ମାନିଯାଅ’

ଈଶାନ୍ତଙ୍କ ପୁରୁଣା ପୋଷ୍ଟରେ ‘କାଳୁ’ ଡାକର ପ୍ରମାଣ

ବାର୍ବାଡସ୍: ଆଇପିଏଲ୍‌ ଖେଳିଲା ବେଳେ ବର୍ଣ୍ଣବୈଷମ୍ୟର ଶିକାର ହୋଇଥିବା କହି ସମଗ୍ର କ୍ରିକେଟ୍ ଜଗତରେ ଆଲୋଡ଼ନ ସୃଷ୍ଟି କରିଥିଲେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଡାରେନ୍ ସାମି। ୨୦୧୩-୧୪ ଋତୁରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲା ବେଳେ କିଛି ଭାରତୀୟ ଖେଳାଳି ଶରୀରର ରଙ୍ଗ ପାଇଁ ତାଙ୍କୁ ‘କାଳୁ’ ଡାକୁଥିଲେ ବୋଲି ସେ ଅଭିଯୋଗ କରିଥିଲେ। ସାମିଙ୍କ ସେହି ଅଭିଯୋଗକୁ କିନ୍ତୁ ତାଙ୍କ ପୁରୁଣା ସନ୍‌ରାଇଜର୍ସ ହାଇଦ୍ରାବାଦ ସାଥୀ ଇର୍ଫାନ ପଠାନ, ପାର୍ଥିବ ପଟେଲ ଓ ଭେନୁଗୋପାଳ ରାଓ ଖଣ୍ଡନ କରିଥିଲେ। ମଙ୍ଗଳବାର ଏହି ତିନି ଭାରତୀୟ କ୍ରିକେଟରଙ୍କୁ ଉତ୍ତର ଦେଇଛନ୍ତି ସାମି। ଏକ ଭିଡିଓ ପ୍ରକାଶ କରି ସାମି ତାଙ୍କ ପୁରୁଣା ଅଭିଯୋଗକୁ ଦୋହରାଇବା ସହ ତାଙ୍କୁ ଓ ଶ୍ରୀଲଙ୍କା କ୍ରିକେଟର ଥିସାରା ପେରେରାଙ୍କୁ କାଳୁ ଡାକୁଥିବା ଖେଳାଳିମାନେ ନିଜ କଲା କର୍ମ ବିଷୟରେ ଭଲ ଭାବରେ ଜାଣିଛନ୍ତି ବୋଲି କହିଛନ୍ତି। ସେହିଭଳି କାଳୁ ଶବ୍ଦର ମାନେ ସେ କେମିତି ଜାଣିଲେ, ତା’ ଉପରୁ ମଧ୍ୟ ପରଦା ଉଠାଇଛନ୍ତି। ‘‘ଜ୍ଞାନ ହିଁ ଶକ୍ତି, ନିକଟରେ ମୁଁ କାଳୁ ଶବ୍ଦର ଅସଲ ମାନେ କ’ଣ ତାହା ଆବିଷ୍କାର କଲି। ମୁଁ ଏଥିନେଇ କିଛି ଉତ୍ତର ଚାହୁଁଛି। ଏଣୁ ମୁଁ ସେହି ଖେଳାଳିମାନଙ୍କ ନାଁ’ର ପର୍ଦାଫାସ କରିବା ପୂର୍ବରୁ ସେମାନେ ମୋ ସହ ଯୋଗାଯୋଗ କରିନିଅନ୍ତୁ। ଦୟାକରି ମୋତେ ତୁମେମାନେ କୁହ ଯେ ସେହି ଶବ୍ଦ (କାଳୁ)ର ଅନ୍ୟ କିଛି ମାନେ ଅଛି। ଭଲ ପାଇବା ଦେଖାଇବା ଲାଗି ମୋତେ ଆପଣ ଏମିତି ନାଁରେ ଡାକୁଥିଲେ ବୋଲି ବି ଦୟାକରି କୁହ। ନିକଟରେ ହାସନ ମିନାଜ (ଭାରତୀୟ-ଆମେରିକୀୟ ହାସ୍ୟ ଅଭିନେତା)ଙ୍କ ଏକ କାର୍ଯ୍ୟକ୍ରମ ଦେଖିଲା ବେଳେ ମୁଁ କାଳୁ ଶବ୍ଦ କଳା ଲୋକଙ୍କୁ ବର୍ଣ୍ଣନା କରିବାକୁ ବ୍ୟବହାର କରାଯାଏ ବୋଲି ଜାଣିଲି।

ନୂଆଦିଲ୍ଲୀ: ସାମିଙ୍କ ଅଭିଯୋଗ ପରେ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କ ଏକ ପୁରୁଣା ଇନଷ୍ଟାଗ୍ରାମ ପୋଷ୍ଟ ପଦାକୁ ଆସିଛି। ଈଶାନ୍ତ ୨୦୧୪ ମସିହାରେ ନିଜ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିଥିବା ଫଟୋରେ ସାମିଙ୍କୁ କାଳୁ ସମ୍ବୋଧନ କରିଥିବା ଦେଖିବାକୁ ମିଳୁଛି। ଫଟୋଟିରେ ଈଶାନ୍ତଙ୍କ ସହ ଭୁବନେଶ୍ବର କୁମାର, ସାମି ଓ ଡେଲ୍ ଷ୍ଟେନ୍ ଅଛନ୍ତି। ଈଶାନ୍ତ ଏହା ତଳେ ଲେଖିଛନ୍ତି ଯେ ମୁଁ, ଭୁବି, କାଳୁ ଓ ଗନ ରାଇଜର୍ସ (ଷ୍ଟେନ୍)। ସେହିଭଳି ନଭେମ୍ବର ୨୦୧୪ରେ ସାମି ଭାରତୀୟ ବ୍ୟାଟ୍ସମ୍ୟାନ୍ ଭିଭିଏସ୍ ଲକ୍ଷ୍ମଣଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲା ବେଳେ ମଧ୍ୟ ନିଜକୁ କାଳୁ ବୋଲି କହିଛନ୍ତି। ଲକ୍ଷ୍ମଣଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇ ସେ ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ଲକ୍ଷ୍ମଣ୨୮୧, ଭଗବାନଙ୍କ ଆଶୀର୍ବାଦ ତୁମ ଉପରେ ନିରନ୍ତର ରହୁ। ମୋତେ ମନେ ରଖିଛ ତ, ଘନକଳା କାଳୁ’। ବିବାଦ ପରେ ଈଶାନ୍ତଙ୍କ ସହ ସାମିଙ୍କ ଏହି ପୋଷ୍ଟ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ତେବେ ଈଶାନ୍ତ ଏଥିନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

ସମ୍ବନ୍ଧିତ ଖବର