ସାନା ମୀର୍‌ ଶ୍ରେଷ୍ଠ ମାନ୍ୟତା ମହିଳା ଦିନିକିଆ ସ୍ପିନର

ଦୁବାଇ: ପାକିସ୍ତାନ ଅଫ୍‌ ସ୍ପିନର ସାନା ମୀର୍‌ ବିଶ୍ବର ସବୁଠୁ ସଫଳ ମହିଳା ଦିନିକିଆ ସ୍ପିନରର କୀର୍ତିମାନ ପାଇଛନ୍ତି। ରବିବାର ଆଇସିସି ମହିଳା ଚାମ୍ପିଅନସିପ୍‌ ଅନ୍ତର୍ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ସୁନେ ଲସ୍‌ଙ୍କୁ ଆଉଟ୍‌ କରିବା ପରେ ସାନା ଏହି ମାନ୍ୟତା ପାଇଛନ୍ତି। ନିଜର ୧୧୮ତମ ମ୍ୟାଚ୍‌ରୁ ସେ ୧୪୭ ୱିକେଟ୍‌ ଦଖଲ କରିବା ପରେ ପୂର୍ବତନ ପାକିସ୍ତାନୀ ଅଧିନାୟିକା ସାନା ସ୍ପିନର ଭାବେ ସର୍ବୋଚ୍ଚ ମାନ୍ୟତାକୁ ଲମ୍ଫ ମାରିଛନ୍ତି। ଏକ୍ଷେତ୍ରରେ ସେ ୱେଷ୍ଟଇଣ୍ଡିଜ୍‌ର ଅନିସା ମହମ୍ମଦ ଓ ଅଷ୍ଟ୍ରେଲିଆର ଲିସା ଷ୍ଟାଲେକର୍‌ଙ୍କୁ ସର୍ବକାଳୀନ ସଫଳ ବୋଲରଙ୍କ ତାଲିକାରେ ତଳକୁ ଠେଲି ଦେଇଛନ୍ତି। ସାନାଙ୍କ ଏହି କୀର୍ତିମାନ ପାଇଁ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ଟ୍ବିଟ୍‌ ଜରିଆରେ ତାଙ୍କୁ ଅଭିନନ୍ଦନ ଜଣାଇଛି। ମହିଳା ଦିନିକିଆରେ ସବୁଠୁ ସଫଳ ୱିକେଟ୍‌ ଦଖଲକାରୀ ବୋଲର ବିବେଚିତ ହୋଇଥିବା ସାନା ମୋଟାମୋଟି ଭାବେ ସର୍ବାଧିକ ୱିକେଟ୍‌ ଦଖଲକାରୀ ବୋଲରଙ୍କ ମଧ୍ୟରେ ତୃତୀୟ ସ୍ଥାନ ପାଇଛନ୍ତି। ତାଙ୍କ ଉପରକୁ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ (୨୧୮) ଓ ଅଷ୍ଟ୍ରେଲିଆର କାଥ୍ରିନ୍‌ ଫିଜ୍‌ପାଟ୍ରିକ୍‌ (୧୮୦) ଯଥାକ୍ରମେ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ଏହା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ପ୍ରଥମ ପାକିସ୍ତାନୀ ବୋଲର ଭାବେ ସାନା ଆଇସିସି ମାନ୍ୟତାର ଶ୍ରେଷ୍ଠ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର