ସାଇଦୀପଙ୍କ ଅର୍ଧଶତକ, କଟକ ବିଜେତା

୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌

ଭୁବନେଶ୍ୱର: ଭୁବନେଶ୍ୱର-ଏ ଦଳକୁ ୭୩ ରନ୍‌ରେ ପରାସ୍ତ କରି କଟକ-ଏ ଦଳ ଚଳିତ ବର୍ଷର ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାର ବିଜେତା ହୋଇଛି। କଟକର ସନ୍‌ସାଇନ୍‌ ପଡ଼ିଆରେ ଶୁକ୍ରବାର ଖେଳାଯାଇଥିବା ଫାଇନାଲ୍‌ରେ କଟକ ଦଳ ୪୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୭୭ ରନ୍‌ କରିବା ପରେ ଭୁବନେଶ୍ୱର ପାଳିକୁ ୪୪.୩ ଓଭରରେ ୧୦୪ ରନ୍‌ରେ ସୀମିତ ରଖି ଦେଇଥିଲା। ଟସ୍‌ ଜିତି କଟକ ଦଳ ପ୍ରଥମେ ବ୍ୟାଟିଂ କରିଥିଲା। ୫ ଜଣ ବ୍ୟାଟ୍‌ସମ୍ୟାନ୍‌ ରନ୍‌ ଆଉଟ୍‌ ହେବା ସତ୍ତ୍ୱେ ସାଇଦୀପ ମହାପାତ୍ର (୭୦)ଙ୍କ ଅର୍ଧଶତକ ବଳରେ କଟକ ଦଳ ୧୭୭ ରନ୍‌ କରିପାରିଥିଲା। ଭୁବନେଶ୍ୱର ଦଳ ପକ୍ଷରୁ ସଫଳ ବୋଲର ଭାବେ ସାଇ ଶୁଭମ୍‌ ୨ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ଆଶୁତୋଷ ସାହୁ (୫୦) ରନ୍‌ ସତ୍ତ୍ୱେ ଭୁବନେଶ୍ୱର ଦଳ ୧୦୪ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କଟକ ଦଳ ପକ୍ଷରୁ ଜଗଦୀଶ ଘଡ଼େଇ, ବିଏଲ୍‌ଏସ୍‌ ବଜରଙ୍ଗୀ ଓ ପ୍ରତ୍ୟୁଷ ଦାସ ୨ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ। ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ର କାର୍ଯ୍ୟକାରୀ ସମିତି ଅଧ୍ୟକ୍ଷ ଧୀରେନ ପଲାଇ ଟ୍ରଫି ପ୍ରଦାନ କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହର ବିଦ୍ୟୁତ୍‌ କୁମାର ନାୟକ, ଜୁଭେନାଇଲ୍‌ କ୍ଲବ୍‌ ସଂପାଦକ ନିର୍ବାଣ ରାୟ, ଓସିଏ ସଂଯୋଜକ ଡାନିଏଲ୍‌ ରାଉତ, ଓସିଓ କନିଷ୍ଠ ମନୋନୟନ ସମିତି ଅଧ୍ୟକ୍ଷ ଦୀପକ ମଙ୍ଗରାଜ, କନିଷ୍ଠ ଚୟନକର୍ତା ଜଗନ୍ନାଥ ଦାସ ଏବଂ ୧୬ ବର୍ଷରୁ କମ୍‌ ପ୍ରଶିକ୍ଷକ କେଭି ପ୍ରସାଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର