ନୂଆଦିଲ୍ଲୀ: ନେପାଳର ଲେଗ ସ୍ପିନର ସନ୍ଦୀପ ଲାମିଛାନେ ଦିନିକିଆ କ୍ରିକେଟରେ ନୂଆ ଇତିହାସ ରଚିଛନ୍ତି। ଏହି ୨୨ ବର୍ଷୀୟ ବୋଲର ମାତ୍ର ୪୨ଟି ମ୍ୟାଚରେ ୧୦୦ଟି ୱିକେଟ୍ ଅକ୍ତିଆର କରିଛନ୍ତି। ଆଉ ଏହି ୱିକେଟ୍ ଅକ୍ତିଆର କରି ସେ ବିଶ୍ୱ ରେକର୍ଡ କରିଛନ୍ତି। ଓମାନ ବିପକ୍ଷ ଏକ ମ୍ୟାଚରେ ଲାମିଛାନେ ୪୫ ରନରେ ୩ ୱିକେଟ୍ ନେଇ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ଦିନିକିଆରେ ଦ୍ରୁତତମ ୧୦୦ ୱିକେଟ୍ ନେଇଥିବା ରେକର୍ଡ ଆଫଗାନିସ୍ତାନ ଲେଗ୍ ସ୍ପିନର ରସିଦ ଖାନଙ୍କ ନାମରେ ଥିଲା। ସେ ୪୪ଟି ମ୍ୟାଚରେ ଏହି ରେକର୍ଡ କରିଥିଲେ।
ତେବେ ସନ୍ଦୀପ ଲାମିଛାନେଙ୍କ ପ୍ରଦର୍ଶନ ମଧ୍ୟ ସ୍ୱତନ୍ତ୍ର। କାରଣ ଅତୀତରେ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା ଏବଂ ଏହି କାରଣରୁ ତାଙ୍କୁ ମାସ ମାସ ଧରି ଜେଲରେ ରହିବାକୁ ପଡିଥିଲା। ଜେଲରୁ ବାହାରିବା ପରେ ସେ ନିଜର ସର୍ବୋତ୍ତମ ଖେଳ ଜାରି ରଖିଥିଲେ। ସନ୍ଦୀପ ଲାମିଛାନେଙ୍କ ପିତାମାତା ଚାହୁଁ ନଥିଲେ ଯେ ତାଙ୍କ ପୁଅ କ୍ରିକେଟର ହୁଅନ୍ତୁ। କିନ୍ତୁ ସେ ନିଜ ବାପା-ମାଙ୍କୁ ତିନି ବର୍ଷ ସମୟ ମାଗିଥିଲେ, ଯାହାଫଳରେ ସେ ଖେଳରେ ନିଜର ପ୍ରତିଭା ପ୍ରଦର୍ଶନ କରିପାରିବେ।
ଏକାଡେମୀରେ କ୍ରିକେଟ୍ କୌଶଳ ଶିଖିବାକୁ ତାଙ୍କୁ ଘର ଛାଡି ତାଙ୍କ ଭଉଣୀଙ୍କ ଶ୍ୱଶୁରଘରକୁ ଯିବାକୁ ପଡିଥିଲା। ଲାମିଛାନେ ନିଜର କ୍ରିକେଟ ଯାତ୍ରା ନେଇ ଅତୀତରେ ଏକ ସାକ୍ଷାତକାରରେ କହିଥିଲେ ଯେ ୨୦୧୬ ମସିହାରେ ନେପାଳ ୧୯ ବର୍ଷରୁ କମ୍ ବିଶ୍ୱକପ ପାଇଁ ଖେଳାଳି ଖୋଜୁଥିଲା । ଏହି ସମୟରେ, କୋଚ୍ ପାବୁଡୁ ଦସନାୟକେ, ଲାମିଛାନେଙ୍କ ଏକାଡେମୀରେ ପହଞ୍ଚିଥିଲେ ଏବଂ ଏଠାରୁ ଖେଳାଳିଙ୍କ ଭାଗ୍ୟ ଖୋଲିଥିଲା। ସନ୍ଦୀପ ଲାମିଛାନେ କହିଥିଲେ ଯେ ଏହା ମୋ ପାଇଁ ଅବିଶ୍ୱସନୀୟ ମୁହୂର୍ତ୍ତ ଥିଲା। କାରଣ ଏହା ଏପରି ଏକ ସମୟ ଥିଲା ଯେତେବେଳେ ମୋତେ ସୁଯୋଗ ମିଳୁନଥିଲା ଏବଂ ହଠାତ୍ ମୁଁ ୧୯ ବର୍ଷରୁ କମ୍ ବିଶ୍ୱକପ ଟିମ ସହ ଜଡିତ ହୋଇଥିଲି। ତେବେ ନେପାଳ ଏପର୍ଯ୍ୟନ୍ତ ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ହୋଇନଥିବାରୁ ଏଭଳି ପରିସ୍ଥିତିରେ ତାଙ୍କୁ ଟେଷ୍ଟ ଖେଳିବାକୁ ସ୍ୱୀକୃତି ମିଳିନାହିଁ। ସନ୍ଦୀପ ଲାମିଛାନେ ଟେଷ୍ଟ ଖେଳିବାକୁ ଆଗ୍ରହୀ ଏବଂ ଏହା ମଧ୍ୟ ତାଙ୍କର ବଡ଼ ସ୍ୱପ୍ନ ରହିଛି।