ସନ୍ଦୀପ ମାଇକେଲ୍‌ଙ୍କ ଅକାଳ ବିୟୋଗ

ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ହକି ତାରକା ଦୀପକ ଲୁଗୁନଙ୍କ ଅକାଳ ବିୟୋଗର ଦୁଃଖ ହକିପ୍ରେମୀଙ୍କ ମନରୁ ଦୂର ହୋଇ ନଥିଲା ବେଳେ ଶୁକ୍ରବାର ସେମାନଙ୍କୁ ଆଉ ଏକ ହୃଦୟ ବିଦାରକ ଖବର ମିଳିଛି। ମାତ୍ର ୩୩ ବର୍ଷ ବୟସରେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ସନ୍ଦୀପ ମାଇକେଲଙ୍କର ପରଲୋକ ହୋଇ ଯାଇଛି। କର୍ଣ୍ଣାଟକର ଏହି ହକି ପ୍ରତିଭା ମସ୍ତିସ୍କ ସଂକ୍ରମଣ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥି‌ଲେ। ହେଲେ ଶୁକ୍ରବାର ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଶନିବାର ତାଙ୍କ ଅନ୍ତେଷ୍ଟି କ୍ରିୟା ଅନୁଷ୍ଠିତ ହେବ। ବେଙ୍ଗାଲୁରୁର ବିଇଏଲ୍ କ୍ରୀଡ଼ା କଂପ୍ଲେକ୍ସରେ ସନ୍ଦୀପଙ୍କ କ୍ରୀଡ଼ା ଜୀବନ ପ୍ରଷ୍ପୁଟିତ ହୋଇଥିଲା। କର୍ଣ୍ଣାଟକ ଉପ କନିଷ୍ଠ ହକି ଦଳର ନେତୃତ୍ବ ନେଇ ୨,୦୦୦ ମସିହାରେ ସେ ଜାତୀୟ ବିଜେତା ହେବାର ଗୌରବ ଅର୍ଜନ କରିଥିଲେ। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୦୨ ମସିହାରେ ସେ ପ୍ରଥମ ଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିଲେ। ହକିରୁ ଅବସର ନେବା ପରେ ପ୍ରଶିକ୍ଷଣ କ୍ଷେତ୍ରରେ ସେ ମନ ଦେଇଥିଲେ। କର୍ଣ୍ଣାଟକ ହକି ଏକା‌େଡମି ସହ ସେ ଜଡ଼ିତ ଥିଲେ। ଅନେକ ଗରିବ ଏବଂ ଅନାଥ ପିଲାଙ୍କୁ ସେ ନିୟମିତ ଆର୍ଥିକ ସହାୟତା ଦେଇ ଆସୁଥିଲେ। ତାଙ୍କ ଅଚାନକ ମୃତ୍ୟୁ‌ରେ କର୍ଣ୍ଣାଟକ ସହ ସମଗ୍ର ଭାରତୀୟ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର