ସନ୍ଦୀପ ସ୍ମାରକୀ ଟେନିସ୍‌ ଆଜିଠୁ

ଭୁବନେଶ୍ୱର: ଖୋର୍ଧା ଜିଲ୍ଲା ଟେନିସ୍‌ ସଂଘ (କେଡିଟିଏ) ଆନୁକୂଲ୍ୟରେ ମେଜର ସନ୍ଦୀପ ମହାପାତ୍ର ସ୍ମାରକୀ ଟେନିସ୍‌ ପ୍ରତିଯୋଗିତା ଗୁରୁବାରଠୁ ଭୁବନେଶ୍ୱର କ୍ଲବ୍‌ସ୍ଥିତ ଟେନିସ୍‌ କୋର୍ଟରେ ଖେଳାଯିବ। ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରତିଯୋଗିିିତାରେ ୧୭ ଜିଲ୍ଲାରୁ ୨୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଡିଟିଏର ସଭାପତି ତଥା ଓଡ଼ିଶା ଟେନିସ୍‌ ସଂଘ (ଓଟିଏ)ର ସମ୍ପାଦକ ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ଉଭୟ ହାର୍ଡ ଏବଂ କ୍ଲେ କୋର୍ଟରେ ମ୍ୟାଚ୍‌ ଖେଳାଯିବ। ପୁରୁଷ ଏକକ, ଯୁଗଳ ସାଙ୍ଗକୁ ମିଶ୍ରିତ ଯୁଗଳ ଏବଂ ଭେଟାରନ୍‌ ସ୍ତରରେ ୪୫, ୫୫ ଓ ୬୫ ବର୍ଷରୁ ଅଧିକ ବୟସ ବର୍ଗରେ କେବଳ ପୁରୁଷ ଯୁଗଳ ମ୍ୟାଚ୍‌ ଅନୁଷ୍ଠିତ ହେବ। ବିଜେତା ଏବଂ ଉପବିଜେତାଙ୍କ ପାଇଁ ଟ୍ରଫି ସହ ନଗଦ ରାଶି ଏବଂ କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଥିବା ଖେଳାଳିଙ୍କୁ ନଗଦ ରାଶି ପ୍ରଦାନ କରାଯିବ। ମୋଟ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କେଡିଟିଏର ସମ୍ପାଦକ ଅସିତ ପ୍ରଧାନ, ଉପସଭାପତି ଦାମ ପ୍ରଧାନୀ ଏବଂ କେଡିଟିଏର ସଭ୍ୟ ରବୀନ୍ଦ୍ର ସେନାପତି ସମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଯତୀନ୍‌ ବତ୍ସ୍ୟ ପ୍ରତିଯୋଗିିିତାର ରେଫରି ଏବଂ ଅନୂପ କୁମାର ନାୟକ (ଆଇଏଫ୍‌ଏସ୍‌) ନିର୍ଦେଶକ ରହିଛନ୍ତି।

ସମ୍ବନ୍ଧିତ ଖବର