ସନ୍ଦୀପଙ୍କ ‘କ୍ରୀଡ଼ା ଆଘାତ’ ସଂଜୀବନୀ: ଆଗୁଆ ନିଦାନ, ଉପଯୁକ୍ତ ଚିକିତ୍ସା‌, ସଂଗଠିତ ପୁନର୍ବାସ ଉପରେ ଗୁରୁତ୍ବ

ଓଡ଼ିଶା ପାଇଁ ଲଣ୍ଡନ ଛାଡ଼ିଲେ

ଭୁବନେଶ୍ବର, ୩୧ା୫: ‘‘ସାଧାରଣ ଲୋକଙ୍କ ତୁଳନାରେ ଜଣେ ଖେଳାଳି ଆହତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥାଏ। ଏହା ତାଙ୍କ ଜୀବନର ଅଦରକାରୀ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶରୀର ଉପରେ ସବୁବେଳେ ଅତିରିକ୍ତ ଚାପ ପଡ଼ୁଥିବାରୁ ଅଧିକାଂଶ ଖେଳାଳିଙ୍କ ଖେଳ ଜୀବନର ଏହା ଅନ୍ୟତମ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଥାଏ। ତେବେ ସଠିକ୍ ପ୍ରତିଷେଧକ ବ୍ୟବସ୍ଥା ନେଇ ଆମେ ଏହାର ମାତ୍ରାକୁ ଆଶାତୀତ ଭାବେ କମାଇ ପାରିବା। ଆଗୁଆ ନିଦାନ, ଉପଯୁକ୍ତ ଚିକିତ୍ସା ଏବଂ ନିୟମିତ ବ୍ୟା‌ୟାମ ଦ୍ବାରା ଏହି ସମ୍ଭାବ୍ୟ ବିପଦକୁ ନିଶ୍ଚିତ ଭାବେ ଟାଳିହେବ। ଅଧିକାଂଶ କ୍ରୀଡ଼ା ଆଘାତ ପାଇଁ ଅସ୍ତ୍ରୋପଚାରର ଆବଶ୍ୟକତା ପଡ଼ି ନଥାଏ। ସଂଗଠିତ ପୁନର୍ବାସ ଓ ଆଧୁନିକ ଶାରୀରିକ ବିଜ୍ଞାନକୁ ଆଧାର କରି ଯେକୌଣସି ଆଘାତର ପରିଚାଳନା ବିନାଅସ୍ତ୍ରୋପଚାରରେ କରିହେବ। ଯେଉଁ କିଛି ହାତଗଣତି ମାମଲା ଅସ୍ତ୍ରୋପଚାର ଦରକାର କରେ, ତାହାକୁ ଅର୍ଥୋସ୍କୋପିକ୍ ସର୍ଜରିରେ କରିବା ଭଲ। ଏହା ଏମିତି ଏକ ଆଧୁନିକ ଅସ୍ତ୍ରୋପଚାର ପଦ୍ଧତି ଯେଉଁଥିରେ ଜଣେ ଖେଳାଳିଙ୍କ ଶରୀରରୁ ସର୍ବନିମ୍ନ ରକ୍ତ କ୍ଷରଣ ହେବା ସହ ସେ ପାରମ୍ପରିକ ଓପନ ସର୍ଜରି ତୁଳନାରେ ଦ୍ରୁତ ଆରୋଗ୍ୟ ଲାଭ କରି ପାରିବେ’’। ସ୍ଥାନୀୟ କେୟାର ହସ୍ପିଟାଲରେ ନୂଆକରି ସ୍ଥାପିତ ହୋଇଥିବା ପୂର୍ବଭାରତର ପ୍ରଥମ କ୍ରୀଡ଼ା ଆହତ ନିରାକରଣ ଓ ଚିକିତ୍ସା କେନ୍ଦ୍ର ‘କେୟାର ଡିପାର୍ଟମେଣ୍ଟ ଅଫ୍ ସ୍ପୋର୍ଟସ ଇଞ୍ଜୁରି ଆଣ୍ଡ୍‌ ରିହାବିଲିଟେସନ୍’ର ମୁଖ୍ୟ ଡାକ୍ତର ସନ୍ଦୀପ ସିଂହ ଏହା କହିଛନ୍ତି।

ଓଡ଼ିଶା ପାଇଁ ଲଣ୍ଡନ ଛାଡ଼ିଲେ

ଲଣ୍ଡନର ଲୋଭନୀୟ ଚାକିରି ଛାଡ଼ି ଓଡ଼ିଶା ଆସି ସ୍ପୋର୍ଟସ ଇଞ୍ଜୁରିରେ ସ୍ଥାନୀୟ ଖେଳାଳିଙ୍କୁ ବିଶ୍ବସ୍ତରୀୟ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିବା ସନ୍ଦୀପ ବିଦେଶର ଏକ ପ୍ରତିଷ୍ଠିତ ଅସ୍ଥିଶଲ୍ୟ ଡାକ୍ତରଖାନାରେ ହାସଲ କରିଥିବା ଅଭିଜ୍ଞତାକୁ ବର୍ଣ୍ଣନା କରି ଆହୁରି କହିଛନ୍ତି ଯେ ଆପଣ ଜାଣନ୍ତି ଜଣେ ଖେଳାଳିଙ୍କର ଏକ ସୀମିତ ଖେଳଜୀବନ ଥାଏ। ଆଘାତ ସମସ୍ୟାରୁ ସେ ଯେତେ ଶୀଘ୍ର ମୁକୁଳି ପାରିବେ, ତାଙ୍କ ଖେଳ ଜୀବନ ସେତେ ଲମ୍ବା ଓ ଦୀର୍ଘସ୍ଥାୟୀ ହେବ। ଯଦି ୪ ମାସରେ ଠିକ୍ ହେବା ଆଘାତ ଜନିତ ସମସ୍ୟାରୁ ସେ ଦୁଇବର୍ଷରେ ମୁକୁଳନ୍ତି, ତାହାଲେ ଏହାର ତାଙ୍କ ଖେଳ ଜୀବନକୁ ସଂକ୍ଷିପ୍ତ କରିଦିଏ। ଏଣୁ ନିଜ ପ୍ରଦର୍ଶନ ସହ ଆମ ଖେଳାଳିମାନଙ୍କୁ ଆଘାତ ଜନିତ ସମସ୍ୟା ପରିଚାଳନାକୁ ବି ଗୁରୁତ୍ବ ଦେବାକୁ ହେବ। ପ୍ରତିଷେଧକ ବ୍ୟବସ୍ଥା ନେଇ ଯତ୍ନଶୀଳ ରହିବାକୁ ପଡ଼ିବ। ଇଂଲଣ୍ଡରେ ଏଥିନେଇ ବହୁତ ଭଲ ବ୍ୟବସ୍ଥା ଅଛି। ଗୋଟିଏ ଛାତ ତଳେ ଖେଳାଳି ସବୁପ୍ରକାର ଚିକତ୍ସା ପାଇ ଯାଆନ୍ତି। ଆମେ ଓଡ଼ିଶାରେ ଏଭଳି ବ୍ୟବସ୍ଥା କରିବାକୁ ଯାଉଛୁ। ସେହିଭଳି ଘରୋଇ ସ୍ତରରେ ଏବଂ ସରକାର ଚାହିଲେ ଆମେ ବିଭିନ୍ନ ଜିଲ୍ଲୀ ଓ କ୍ରୀଡ଼ା କେନ୍ଦ୍ରକୁ ଯାଇ ଆଘାତ ପରିଚାଳନା ଓ ନିରାକରଣ ଉପରେ ସଚେତନତା ବି ସୃଷ୍ଟି କରି ପାରିବୁ। ଖେଲୋ ଇଣ୍ଡିଆ ସ୍ପୋର୍ଟସ ସେଣ୍ଟର ସହ ଏଥିନେଇ ଆମର କଥା ଚାଲିଛି। ସବୁଠାରୁ ବଡ଼ କଥା ହେଲା ଆମ ପାଖରେ ଏକ ୭ ଜଣିଆ ଉତ୍ସଗୀକୃତ ଚକିତ୍ସକ ମଣ୍ଡଳି ଅଛି। ଆଘାତ ଜନିତ ସମସ୍ୟା ନିକରାରଣ ଓ ନିଦାନ, ପ୍ରେରଣା, ବ୍ୟାୟାମ ଓ ଡାଏଟ୍ ସହ ମାନସିକ ସ୍ଥିତି, ଏସବୁକିଛିକୁ ଅନୁଧ୍ୟାନ କରି ଆମେ ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରୁ। କିନୋମେଟିକ୍ ଷ୍ଟଡି, ଗେଟ୍ ଆନାଲିସିସ୍ ଭଳି ଚିକିତ୍ସା ପଦ୍ଧତି ଆମେ ପୂର୍ବ ଭାରତକୁ ପ୍ରଥମ ଥର ଆଣିଛୁ। ସେହିଭଳି ଖେଳାଳି ଯେମିତି ଡୋପ୍ ସମସ୍ୟାର ସମ୍ମୁଖୀନ ନହୁଏ, ତା ଉପରେ ବି ଆମେ ଧ୍ୟାନ ଦେଉଛୁ। ରାଉରକେଲାର ପିଲାବେଳ କଟିଥିବା ସନ୍ଦୀପ ଏକ ଡାକ୍ତର ପରିବାରରୁ ଆସିଥିଲା ବେଳେ ତାଙ୍କ ପିତା ହରଦୀପ ସିଂହ, ମା ଓ ସାନ ଭାଇ ମଧ୍ୟ ରୋଗି ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏମବିବିଏସ୍ ସହ ଅସ୍ଥିଶଲ୍ୟରେ ଏମଏସ୍ କରିବା ପରେ ଲଣ୍ଡନରେ ଗତ ୪ବର୍ଷ ଧରି ବିଶ୍ବର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ଆଘାତ ପରିଚାଳନା ସଂସ୍ଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟସ ଏକ୍ସରସାଇଜ୍ ଓ ହେଲ୍ଥରେ ଚାକିରି କରିଥିଲେ ସନ୍ଦୀପ। ସେ ମଧ୍ୟ ସେଠାକାର ଅନ୍ୟତମ ଶ୍ରେଷ୍ଠ ସଂସ୍ଥା ‘ୟୁନିଭର୍ସିଟି କଲେଜ ଅଫ୍ ଲଣ୍ଡନ ହସ୍ପିଟାଲ’ ସହ ଜଡ଼ିତ ଥିଲେ। ଓଡ଼ିଶା ସରକାରୀଙ୍କ କ୍ରୀଡ଼ା ପ୍ରୋତ୍ସାହନ ନୀତିରେ ଆକର୍ଷିତ ‌ହୋଇ ସଂପ୍ରତି ସେ ନିଜ ରାଜ୍ୟକୁ ଫେରି ଆସିଛନ୍ତି। କରୋନା କାଳର ଅସ୍ବାଭାବିକ ସମୟରେ ଖେଳାଳିଙ୍କୁ ସେ ତ୍ରିସୂତ୍ରୀ ଚକିତ୍ସା ବ୍ୟବସ୍ଥାର ପରାମର୍ଶ ଦେଇଛନ୍ତି।

ସତର୍କ ରୁହନ୍ତୁ ଖେଳାଳି
 କୋଭିଡ୍ ପଜିଟିଭ୍ ଥିଲେ, ରିପୋର୍ଟକୁ ଅପେକ୍ଷା କରିଥିଲେ କିମ୍ବା କୋଭିଡ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂପର୍କରେ ଆସିଥିଲେ ବାହାରକୁ ନଯାଇ ଘର ଭିତରେ ରୁହନ୍ତୁ।
 ସବୁବେଳେ ନିଜ ଓ ବ୍ୟକ୍ତିଗତ ଉପକରଣ ଯେମିତି କି ଗ୍ଲୋଭ୍ସ, ହେଡ୍ ଗିୟର, ହେଲମେଟ୍, ପାଣି ବୋତଲ ଓ ବ୍ୟାଟ୍ ବ୍ୟବହାର କରନ୍ତୁ। ଏହାକୁ ଅନ୍ୟ କାହା ସହ ବାଣ୍ଟନ୍ତୁ ନାହିଁ।
 ଅନ୍ୟ ଖେଳାଳିଙ୍କଠାରୁ ଅନ୍ୟୂନ ୬ ଫୁଟ ଦୂରରେ ରୁହନ୍ତୁ, ଅଭ୍ୟାସ, ଖେଳ ଏବଂ ଉପକରଣ ଉପଯୋଗ କରିବା ପୂର୍ବରୁ ହାତ ଧୁଅନ୍ତୁ।
 ମାସ୍କରେ ନିଜ ନାକ ଓ ମୁହଁକୁ ଘୋଡ଼ାଇ ରଖନ୍ତୁ, ଅସୁସ୍ଥ ଅନୁଭବ କଲେ ତୁରନ୍ତ ପ୍ରଶିକ୍ଷକ କିମ୍ବା ଅଧିକାରୀଙ୍କୁ କୁହନ୍ତୁ।

ବିପଦ କମାଇବା ଲାଗି ଯୋଜନା କରନ୍ତୁ
 ଦଳଗତ କ୍ରୀଡ଼ା ପାଇଁ ଖୋଲା ପଡ଼ିଆରେ ଅଭ୍ୟାସ କରନ୍ତୁ, ସାଥୀ ଖେଳାଳିଙ୍କଠାରୁ ନିର୍ଦ୍ଦିଷ୍ଟ ଦୂରତା ରଖନ୍ତୁ।
 ସମ୍ଭବ ହେଲେ ବଡ଼ ଆକାରର ପଡ଼ିଆ ବାଛନ୍ତୁ, ଏପରି ହେଲେ ଆପଣ ଆବଶ୍ୟକ ଦୂରତା ରଖି ପାରିବେ।
 ଅଧିକ ଶକ୍ତି ଓ ସାମର୍ଥ୍ୟଭରା ବ୍ୟାୟାମ ଓ ଅଭ୍ୟାସ ଖୋଲା ଆକାଶ ତଳେ କରନ୍ତୁ।
 ଆବଶ୍ୟକତା ନଥିଲେ ବାହାରକୁ ବାହରନ୍ତୁ ନାହିଁ।
 ଘର ଭିତରେ ଅଭ୍ୟାସ କରୁଥିଲେ ଉଚ୍ଚରେ ଛାତଥିବା ଓ ସହଜରେ ପବନ ଚଳାଚଳ କରୁଥିବା ସ୍ଥାନକୁ ବାଛନ୍ତୁ।
 ନିଜ କ୍ରୀଡ଼ା ଉପକରଣ, ଚଟାଣ ଓ ବ୍ୟାୟାମଶାଳାକୁ ବାରମ୍ବାର ବିଶୋଧନ କରନ୍ତୁ।
 ୬୦ ପ୍ରତିଶତ ଆଲକୋହଲ୍ ଥିବା ସାନିଟାଇଜର ବ୍ୟବହାର କରନ୍ତୁ।
 ବେଶି ସମୟ ବାହାରେ ନରହି, କମ୍ ଲୋକଙ୍କ ସହ ମିଶିବାକୁ ସୁନିଶ୍ଚିତ କରନ୍ତୁ।

ଖେଳିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା କରନ୍ତୁ

 କୌଣସି କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପୂର୍ବରୁ ଅତିରିକ୍ତ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ପାଖରେ ରଖନ୍ତୁ
 ଇନ୍‌ଡୋର ଗେମ୍ ଅପେକ୍ଷା ଆଉଟ୍‌ଡୋରରେ ଖେଳିବାକୁ ଅଗ୍ରାଧିକାର ଦିଅନ୍ତୁ, ଯଥା ସମ୍ଭବ ନିଜ ଅଞ୍ଚଳର ସୀମା ଭିତରେ ହିଁ ସୀମିତ ରୁହନ୍ତୁ।
 ଇନ୍‌ଡୋର ଖେଳ ଖେଳୁଥିଲେ ପୂର୍ବରୁ ଅଭ୍ୟାସ କରୁଥିବା ଖେଳାଳି ପ୍ରସ୍ଥାନ କରିବା ପରେ ସେହି ସ୍ଥାନରେ ପ୍ରବେଶ କରନ୍ତୁ।
 ସମ୍ଭବ ହେଲେ କ୍ରୀଡ଼ା ଭିତ୍ତିଭୁମି ସାନିଟାଇଜ୍ ହେବା ପରେ ଯାଇ ସେଠାକୁ ଯାଆନ୍ତୁ।
 କୋଭିଡ୍ ନିୟମାବଳୀ ଯେଭଳି କଡ଼ାକଡ଼ି ଭାବେ ପାଳନ ହେଉଥାଏ, ତାକୁ ସୁନିଶ୍ଚିତ କରନ୍ତୁ।
 ପୂର୍ବରୁ ଅସୁସ୍ଥ ଥିଲେ ଅତିରିକ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରନ୍ତୁ।

ସମ୍ବନ୍ଧିତ ଖବର