ଲାହୋର ବସ୍ ଆକ୍ରମଣକୁ ମନେ ପକାଇଲେ ସାଙ୍ଗାକାରା ‘ପାକିସ୍ତାନ ପ୍ରତିଶ୍ରୁତି ପାଣିର ଗାର ଥିଲା’

ବସ୍ କାଚ କାନ୍ଧରେ ପଶି ଯାଇଥିଲା, ପରଣବିତନାଙ୍କ ଛାତିରୁ ରକ୍ତ ଧାରଧାର ‌ବୋହିଥିଲା, ବସ୍ ଚାଳକଙ୍କ ସାହସିକତା ପାଇଁ ବଞ୍ଚିଯାଇଥିଲୁ

କଲମ୍ବୋ: ୨୦୦୯ ମସିହାର ଲାହୋର ଆତଙ୍କବାଦୀ ଆକ୍ରମଣ ଘଟଣା ସମଗ୍ର କ୍ରିକେଟ୍ ଜଗତକୁ ଦୋହଲାଇ ଦେଇଥିଲା। ପାକିସ୍ତାନ ଗସ୍ତରେ ଯାଇଥିବା ଶ୍ରୀଲଙ୍କା ଦଳର ବସ୍‌ ଉପରକୁ ଲାହୋରର ଗଦ୍ଦାଫି ଷ୍ଟାଡିୟମର ଠିକ୍ ପୂର୍ବରୁ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଲୋମଟାଙ୍କୁରା ଘଟଣାକୁ ମନେ ପକାଇଛନ୍ତି ଶ୍ରୀଲଙ୍କା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା। ଗୁରୁବାର ସ୍କାଏ ସ୍ପୋର୍ଟସ କ୍ରିକେଟ୍‌କୁ ସାକ୍ଷାତକାର ଦେଇ ସାଙ୍ଗାକାରା ସେହି ଭୟଙ୍କର ଘଟଣାକୁ ମନେ ପକାଇଛନ୍ତି। ସେ କହିଛନ୍ତି, ‘‘ସେତେବେଳର ପାକିସ୍ତାନ ଗସ୍ତରେ ସୁରକ୍ଷା ଏକ ମହତ୍ବପୂର୍ଣ୍ଣ ପ୍ରଶ୍ନ ଥିଲା। ଆମେ ମଧ୍ୟ ଏଥିନେଇ ପତ୍ର‌ ଲେଖି ଚିନ୍ତା ଜାହିର କରିଥିଲୁ। କିଛି ଘଟଣା ଘଟିବାର ଆଶଙ୍କାରେ ଖେଳାଳିଙ୍କ ପାଇଁ ବୀମା କରିବା ବିକଳ୍ପକୁ ବିଚାରକୁ ନେଇଥିଲୁ। ହେଲେ ସେମାନେ(ପାକିସ୍ତାନ କ୍ରିକେଟ୍ ବୋର୍ଡ) ନମ୍ରତାର ସହ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ସୁରକ୍ଷା ପାଇଁ କ୍ଷେତ୍ରପ୍ରସ୍ତୁତି ସରିଛି ଏବଂ କୌଣସି ପରିସ୍ଥିତିରେ ଏହା ଏକ ସମସ୍ୟା ହେବ ନାହିଁ ବୋଲି ସେମାନେ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ଆମେ ସେଠାକୁ ଯାଇଥିଲୁ।’’

ବସ୍ କାଚ କାନ୍ଧରେ ପଶି ଯାଇଥିଲା,
ପରଣବିତନାଙ୍କ ଛାତିରୁ ରକ୍ତ ଧାରଧାର ‌ବୋହିଥିଲା
ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ପରୋକ୍ଷ ସମାଲୋଚନା କରିଥିବା ସାଙ୍ଗାକାରା ଆକ୍ରମଣ ପୂର୍ବରୁ ବସ୍ ଭିତରେ ଥିବା ପରିବେଶକୁ ବର୍ଣ୍ଣନା କରି କହିଥିଲେ ଯେ ବସ୍ ଭିତରେ ଆମେ ଚିରାଚରିତ ଭାବେ ହସ ଖୁସି କରୁଥିଲୁ। ସଂଧ୍ୟା ସମୟକୁ କେମିତି କଟାଇବେ, ସେ ଯୋଜନା କିଛି ଲୋକ କରୁଥିଲେ। ଆମ ଦଳର ଜଣେ ଦ୍ରୁତ ବୋଲର କହିଥିଲେ, ‘ଏଠାକାର ୱିକେଟ୍ ପଟା‌ ଭଳି ସମତଳ, ଏଣୁ ମୋର ହାଡ଼ ଭାଙ୍ଗିବା କିମ୍ବା ସେମିତି କିଛି ଘଟିବାର ଆଶଙ୍କା ରହିଛି। କୌଣସି କାରଣରୁ ଏକ ବୋମା ଫୁଟି ଯାଆନ୍ତା କି, ଏହା ହେଲେ ଆମେ ଶୀଘ୍ର ଘରକୁ ଫେରିପାରନ୍ତେ’ ଏହାର ମାତ୍ର ୨୦ ସେକେଣ୍ଡ ପରେ ଏହି ଘଟଣା ଘଟିଲା। ଆମ ମାଲିସବାଲା ସେତେବେଳେ ବସ୍‌ର ଆଗ ସିଟ୍‌ରେ ବସିଥିଲେ। ହଠାତ୍ ଆମେ ସମସ୍ତେ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲୁ। ସେତେବେଳେ ଆମେ ଭାବିଥିଲୁ ବାହାରେ କେହି ତାଳଫୋଟକା ଫୁଟାଉଛନ୍ତି। ସେ କିନ୍ତୁ ହଠାତ୍ ଉଠିଯାଇ ‘ତଳେ ବସିପଡ଼, ସେମାନେ ବସ୍ ଉପରକୁ ଗୁଳି କରୁଛନ୍ତି’ ବୋଲି ଚିତ୍କାର କରିଥିଲେ। ଦିଲସାନ ତାଙ୍କ ପାଖରେ ବସିଥିଲେ। ମୁଁ ମଝିରେ ଥିଲି। ମାହେଲା ସବାପଛ‌ ସିଟ୍‌ରେ ବସିଥିଲେ। ମୁରଲୀ ମୋର ଠିକ୍ ପଛରେ ବସିଥିଲେ, ଥିଲାନ ସମରବୀରଙ୍କୁ ବାଟରେ ଚିଡ଼ାଇବା ଲାଗି ସେ ଏଭଳି କରିଥି‌ଲେ। ମୋର ଆଜି ବି ପୂରା ମନେ ଅଛି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଥରଙ୍ଗା ପରଣବିତନା ମଧ୍ୟ ଆଗ ସିଟ୍‌ରେ ବସିଥିଲେ। ଆମେ ସମସ୍ତେ କିନ୍ତୁ ଅଚାନକ ଆକ୍ରମଣ ପରେ ଅବାକ ହୋଇଯାଇଥିଲୁ। ବସ୍‌ର ମଝି ଗଳିରେ ଜଣକ ଉପରେ ଜଣେ ଲୁଚି ଯାଇଥିଲୁ। ଏହାର ଠିକ୍ ପରେ ଗୁଳି ବର୍ଷଣ ଆରମ୍ଭ ହୋଇ ଯାଇଥିଲା। ବସ୍ ଉପରକୁ ସେମା‌ନେ ମନଇଚ୍ଛା ଗୁଳି ବର୍ଷଣ କରିଥିଲେ। ସେମାନେ ମଧ୍ୟ ହାତ ଗୋଳା ଓ ରକେଟ୍ ଲଞ୍ଚର ମାଡ଼ କରିଥିଲେ। ଥିଲାନ ଆହତ ହୋଇଥିଲେ, ଛୁରି ଭଳି ଏଣେ ତେଣେ ଉଡ଼ୁଥିବା ବସ୍ କାଚ ମୋ କାନ୍ଧରେ ପଶି ଯାଇଥିଲା। ଅଜନ୍ତା ମେଣ୍ଡିସ୍ ଆହତ ହୋଇଥିଲେ। ପରଣବିିତନା ଠିଆ ହେଲା ବେଳକୁ ତାଙ୍କ ଛାତିରୁ ରକ୍ତ ବୋହୁଥିଲା। ମୋତେ ଗୁଳି ବାଜିଛି କହି, ସେ ବେହୋସ ହୋଇ ଯାଇଥିଲେ। ବସ୍ ଭିତରେ କେବଳ ଯନ୍ତ୍ରଣା ଜନିତ ଚିତ୍କାର ଓ ରଡ଼ି ଶୁଣା ଯାଉଥିଲା। ପଲ୍ ଫାରବ୍ରେସ୍‌ଙ୍କ ହାତରେ ଳୁହା ଛଡ଼ ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା। ବହୁ କଷ୍ଟରେ ଆମେ ପଡ଼ିଆରେ ପହଞ୍ଚିଥିଲୁ, ଯାହା ଘଟଣା ସ୍ଥଳରୁ ମାତ୍ର ୫୦୦ ମିଟର ଦୂରରେ ଥିଲା। ଅତି ସାଧାରଣ ସୁରକ୍ଷା ବ୍ୟବସ୍ଥା ଥିଲା। ଦୁର୍ଭାଗ୍ୟଜନକ ଭାବେ ଆମ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାଂଶ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ହୋଇ ଯାଇଥିଲା।

DNA India

୩ ମାର୍ଚ ୨୦୦୯: କ୍ରିକେଟ୍‌ର ସେହି କଳା ଦିନ
କ୍ରିକେଟରଙ୍କ ଉପରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣା ୨୦୦୯ ମସିହା ମାର୍ଚ ୩ ତାରିଖରେ ଘଟିଥିଲା। କ୍ରିକେଟ୍ ପାଇଁ ଏହା କଳା ଏକ କଳା ଦିବସ ଥିଲା। ଶ୍ରୀଲଙ୍କା ଖେଳାଳିମାନେ ସେତେବେଳେ ଶୃଙ୍ଖଳା ଖେଳିବା ଲାଗି ପାକିସ୍ତାନ ଯାଇଥିଲେ। ପ୍ରଥମ ଟେଷ୍ଟ୍ ଅମୀମାଂସିତ ରହିବା ପରେ ଦ୍ବିତୀୟ ଟେଷ୍ଟର ତୃତୀୟ ଦିନର ଖେଳ ଲାଗି ଶ୍ରୀଲଙ୍କା ଖେଳାଳିମାନେ ସେତେବେଳେ ଦଳୀୟ ହୋଟେଲରୁ ଷ୍ଟାଡିୟମକୁ ଯାଉଥିଲେ। ପ୍ରଥମ ପାଳିରେ ୬୦୬ ରନ୍‌ କରି ଶ୍ରୀଲଙ୍କା‌ ଦୃଢ଼ ସ୍ଥିତିରେ ଥିଲା। ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ପାକିସ୍ତାନ ଗୋଟିଏ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା। ତୃତୀୟ ଦିନର ଖେଳ ବେଶ୍ ରୋମାଞ୍ଚକର ହେବ ବୋଲି ପ୍ରଶଂସକ ଆଶା ରଖିଥିଲେ। ଆତଙ୍କବାଦୀମାନେ କିନ୍ତୁ ଭିନ୍ନ ଯୋଜନାରେ ଥିଲେ। ଶ୍ରୀଲଙ୍କା ଦଳକୁ ସଂପୂର୍ଣ୍ଣ ନିପାତ କରି ଏକ ବଡ଼ ଧରଣର ଆଲୋଡ଼ନ ସୃଷ୍ଟି କରିବା ଲକ୍ଷ୍ୟରେ ସେମାନେ ଥିଲେ। ଏଣୁ ସିଂହଳୀ ଖେଳାଳିଙ୍କ ବସ୍‌କୁ ଜଣେ କିମ୍ବା ଦୁଇ ଜଣ ନୁହଁ, ୧୨ ଜଣ ବନ୍ଧୁକଧାରୀ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏଥିରେ ୬ ଜଣ ପାକିସ୍ତାନୀ ପୁଲିସ ଓ ଦୁଇ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କା କ୍ରିକେଟ୍ ଦଳର ୬ ଜଣ ଖେଳାଳି ଆହତ ହୋଇଥିଲେ। ବସ୍ ଚାଳକଙ୍କ ସାହସିକ ଓ ସମୟ ଉପଯୋଗୀ ପଦକ୍ଷେପ ପାଇଁ ସୌଭାଗ୍ୟବଶତଃ ସମସ୍ତ ଖେଳାଳି ଓ ଅଧିକାରୀଙ୍କ ଜୀବନ ବଞ୍ଚି ଯାଇଥିଲା। ଲସ୍କର-ଏ-ଝାଙ୍ଗଭୀ ନାମକ ଏକ ଆତଙ୍କବାଦୀ ସଂଗଠନ ଏହି କାରନାମା କରିଥିବା ତଦନ୍ତରୁ ଜଣାପଡ଼ିଥିଲା। ଘଟଣାର ୭ ବର୍ଷ ପରେ ଅର୍ଥାତ୍ ୨୦୧୬ ମସିହା ଅଗଷ୍ଟ ମାସରେ ଏହି ବର୍ବରୋଚିତ କାଣ୍ଡ ଘଟାଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣ ପୁଲିସ ଗୁଳିରେ ପ୍ରାଣ ହରାଇଥିଲେ। ସେହିବର୍ଷ ଅକ୍ଟୋବରରେ ମାମଲାର ମାଷ୍ଟରମାଇଣ୍ଡ ଆଫଗାନିସ୍ତାନ ସୀମାରେ ନିପାତ ହୋଇଥିଲା। ଏହି ମର୍ମନ୍ତୁଦ ଘଟଣାର ଏକ ଦଶନ୍ଧି ପର୍ଯ୍ୟନ୍ତ ଶ୍ରୀଲଙ୍କା କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରି ନଥିଲା। ଶେଷରେ କଡ଼ା ସୁରକ୍ଷା ଭିତରେ ୨୦୧୯ ଡିସେମ୍ବର ମାସରେ ଦୁଇ ଟିକିଆ ଟେଷ୍ଟ୍ ଖେଳିବାକୁ ପାକିସ୍ତାନ ଯାଇଥିଲା।

ବସ୍ ଚାଳକଙ୍କ ସାହସିକତା ପାଇଁ ବଞ୍ଚିଯାଇଥିଲୁ
ସାଙ୍ଗାକାରା ଏହି ଅବସରରେ ପାକିସ୍ତାନୀ ବସ୍ ଚାଳକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘‘ ସେମାନେ ବସ୍ ଚାଳକଙ୍କୁ ଗୁଳି କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଇଞ୍ଚେ ଦୁଇ ଇଞ୍ଚ ବ୍ୟବଧାନରେ ସେ ବଞ୍ଚି ଯାଇଥିଲେ। ସତରେ ସେ ଜଣେ ସାହସିକ ବ୍ୟକ୍ତି ଥିଲେ। ଆମ ଜୀବନ କେବଳ ତାଙ୍କ ପାଇଁ ବଞ୍ଚି ଯାଇଥିଲା। ସେ ଜୀବନ ମରଣ ସମୟରେ ବି ଆମକୁ ସୁରକ୍ଷିତ ଭାବେ ଷ୍ଟାଡିୟମ୍ ନେଇଯାଇଥିଲେ। ପୂର୍ବରୁ ପ୍ରତିଦିନ ସେ ଆମକୁ ତିନି ଚାରିଟି ଅଣଓସାରିଆ ଗଳି ଦେଇ ଷ୍ଟାଡିୟମ୍ ନିଅନ୍ତି। ସେଦିନ କିନ୍ତୁ ସିଧା ଷ୍ଟାଡିୟମକୁ ନେଇଥିଲେ। ‌ଷ୍ଟାଡିୟମ୍ ଭିତରେ ପହଞ୍ଚିବା ପରେ ଆମେ ସମସ୍ତେ କଷ୍ଟେମଷ୍ଟେ ତଳକୁ ଓହ୍ଲାଇଥିଲୁ। ପରଣବିତନାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଆମେ ଭାବିଥିଲୁ। ହେଲେ ସେ ନିଜେ ଉଠି ତାଙ୍କ ପିଠିରେ ଗୁଳି ବାଜି ନଥିବା କହିଥିଲେ। ଏହା ପରେ ଆମେ ପଡ଼ିଆ ଭିତରକୁ ଯାଇଥିଲୁ। ସମରବୀରାଙ୍କ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତ ବୋହୁଥାଏ। ତାଙ୍କୁ ଏକ ଅମ୍ବୁଲାନ୍ସରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଅଜନ୍ତା ମେଣ୍ଡିସ୍ ଓ ମୁଁ ସେଥିରେ ବସିବାର ଥିଲା। ହେଲେ ଆତଙ୍କବାଦୀମାନେ ଆମ୍ବୁଲାନ୍ସକୁ ଲକ୍ଷ୍ୟ କରି ପୁଣି ଥରେ ଗୁଳି ବର୍ଷା କରିଥିଲେ। ସେଥିପାଇଁ ପଡ଼ିଆ ଭିତରେ ରହିବାକୁ ଆମେ ନିଷ୍ପତ୍ତି ନେଇଥିଲୁ। ହଠାତ୍ ଆମେ ସବୁ ପୁଣି ଥରେ ଖୁସି ଗପ କରିବା ଆରମ୍ଭ କରି ଦେଇଥିଲୁ। ଆମେ ନିଜ ପାଇଁ କେବେ ଦୁଃଖ ଅନୁଭବ କରି ନଥିଲୁ। ଆମ ଉପରକୁ କାହିଁକି ଏହି ଆକ୍ରମଣ ହେଲା ବୋଲି କେହି ଭାବି ନଥିଲେ।

ସମ୍ବନ୍ଧିତ ଖବର