ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲ୍ଲିକଙ୍କ ବୈବାହିକ ଜୀବନ ଏବେ ଦୋ’ଛକିରେ ପହଞ୍ଚିଛି ବୋଲି ନିକଟରେ ଖବର ପ୍ରକାଶ ପାଇଥିଲା। ସେ ଦୁହେଁ ପରସ୍ପରଙ୍କଠାରୁ ଛାଡ଼ ପତ୍ର ନେବେ ଓ ସୋଏବ ତାଙ୍କ ଅଭିନେତ୍ରୀ ପ୍ରେମିକା ଆୟେଶା ଓମାରଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା।
ସେହି ପ୍ରସଂଗକୁ ନେଇ ଏବେ ନିଜର ମତ ରଖିଛନ୍ତି ପାକ୍ ଅଭିନେତ୍ରୀ ଆୟେଶା। ତାଙ୍କୁ ସୋସିଆଲ୍ ମିଡିଆରେ ଜଣେ ବ୍ୟବହାରକାରୀ ପ୍ରଶ୍ନ କଲେ ଯେ ଆପଣ ସୋଏବଙ୍କୁ ବିବାହ କରିବାକୁ ଯାଉଛନ୍ତି କି? ଯାହାରର ଉତ୍ତରରେ ଆୟେଶା କହିଛନ୍ତି, ‘ଆଜ୍ଞା ନା, ବିଲ୍କୁଲ୍ ବି ନୁହେଁ। ସୋଏବ ବିବାହିତ ଓ ସେ ତାଙ୍କ ପତ୍ନୀଙ୍କ ସହ ବେଶ୍ ଖୁସିରେ ଅଛନ୍ତି। ଆମେ ଦୁହେଁ ବେଶ୍ ଭଲ ବନ୍ଧୁ। ଏପରି ଏକ ସଂପର୍କ ବି ଅଛି ଦୁନିଆରେ। ମୁଁ ଉଭୟ ସୋଏବ ଓ ତାଙ୍କ ପତ୍ନୀ ସାନିଆଙ୍କୁ ସମ୍ମାନ କରେ। ଆମେ ସୋଏବ ଓ ମୁଁ ପରସ୍ପରଙ୍କ ପ୍ରତି ବେଶ୍ ଯତ୍ନବାନ। ଏହା ବନ୍ଧୁତ୍ବ କେବଳ।’
ସାନିଆ ଓ ସୋଏବ୍ ୨୦୧୦ ଏପ୍ରିଲ୍ ୧୨ ତାରିଖରେ ହାଇଦ୍ରାବାଦସ୍ଥିତ ତାଜ୍ କ୍ରିଷ୍ଣା ହୋଟେଲରେ ପାରମ୍ପରିକ ହାଇଦ୍ରାବାଦୀ ମୁସଲିମ୍ ରୀତିରେ ବିବାହ କରିଥିଲେ। ୨୦୧୮ରେ ସାନିଆ ପୁତ୍ର ସନ୍ତାନ ଇଝାନଙ୍କୁ ଜନ୍ମ ଦେଇଥିଲେ। ନିକଟ ଅତୀତରେ ଚର୍ଚ୍ଚା ହେଉଥିଲା ଯେ ସାନିଆ ଓ ସୋଏବ୍ ଖୁବଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ତେବେ ସାନିଆ ଓ ସୋଏବ ଏଯାଏ ସେମାନଙ୍କ ବିଚ୍ଛେଦ ପ୍ରସଂଗରେ ମତ ରଖିନାହାନ୍ତି।