ମା’ ହେଲେ ସାନିଆ

ହାଇଦ୍ରାବାଦ,: ଭାରତୀୟ ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏହି ଗ୍ରାଣ୍ଡ ସ୍ଲାମ ଯୁଗଳ ଟ୍ରଫି ବିଜୟିନୀ ମଙ୍ଗଳବାର ମାତୃତ୍ବ ଲାଭ କରିଛନ୍ତି। ବିବାହର ସାଢ଼େ ୮ ବର୍ଷ ପରେ ସାନିଆଙ୍କୁ ଏହି ସୌଭାଗ୍ୟ ମିଳିଛି। ୨୦୧୦ ମସିହା ଏପ୍ରିଲ ୧୨ ତାରିଖରେ ସାନିଆ ପାକିସ୍ତାନ କ୍ରିକେଟର୍‌ ସୋଏବ୍‌ ମଲ୍ଲିକଙ୍କୁ ବିବାହ କରିଥିଲେ। ସାନିଆ ମଙ୍ଗଳବାର ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଉଭୟ ମା ଓ ନବଜାତକ ପୁତ୍ର ସୁସ୍ଥ ଅଛନ୍ତି। ଏଥି ସହିତ ଏହି ସେଲିବ୍ରିଟି କ୍ରୀଡ଼ା ଦମ୍ପତି ଏବେ ମାତା ଓ ପିତା ପାଲଟିଛନ୍ତି। ଉଭୟ ପୁତ୍ର ସନ୍ତାନର ନାମ ଇଜ୍‌ହାନ୍‌ ମିର୍ଜା-ମଲ୍ଲିକ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପୁତ୍ର ସନ୍ତାନ ପାଇ ଖୁବ୍‌ ଖୁସି ହୋଇପଡ଼ିଛନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏହି ଖବର ଦୁହେଁ ସାମାଜିକ ଗଣମାଧ୍ୟମରେ ଜରିଆରେ ହିଁ ଘୋଷଣା କରିଥିଲେ। ଏଭଳି ମୁହୂର୍ତ ପାଇଁ ଆମେ ଗତ କିଛି ଦିନ ଧରି ଅପେକ୍ଷା କରିଥିଲୁ। ଏବେ ସେ ସମୟ ଆସିଯାଇଥିବାରୁ ଖୁବ୍‌ ଆନନ୍ଦିତ ବୋଲି ସୋଏନିଆ କହିଛନ୍ତି। ମଙ୍ଗଳବାର ପ୍ରତ୍ୟୁଷରୁ ପୁତ୍ର ସନ୍ତାନ ଜନ୍ମ ହେବା ପରେ ଉଭୟଙ୍କ ନିକଟକୁ ଚାରିଆଡୁ ଅଭିନନ୍ଦନର ସୁଅ ଛୁଟିଛି। ପୂର୍ବତନ ପାକିସ୍ତାନୀ ଅଧିନାୟକ ତଥା ଭାଷ୍ୟକାର ୱାସିମ୍‌ ଆକ୍ରମ୍‌ଙ୍କ ପତ୍ନୀ ସାନିଏରା ଆକ୍ରମ୍‌ ଅଭିନନ୍ଦନ ଜଣାଇବା ସହିତ ନବଜାତକ ପାଇଁ ଉଭୟ ପାକିସ୍ତାନ ଓ ଭାରତବାସୀଙ୍କ ଆଶୀର୍ବାଦ ରହିଛି ବୋଲି କହିଥିଲେ।
ଉଭୟଙ୍କ ଘନିଷ୍ଠ ବନ୍ଧୁ ସିରିଶ କୁନ୍ଦେର, ସାନିଆଙ୍କ ବନ୍ଧୁ ତଥା କଣ୍ଠଶିଳ୍ପୀ ନୀତି ‌େମାହନ, ଭାରତୀୟ କୁସ୍ତି ଯୋଦ୍ଧା ରିତୁ ଫୋଗତ, ଚଳଚ୍ଚିତ୍ର ନିର୍ଦେଶିକା ଫାରା ଖାନ୍‌ ଏବଂ ଅଭିନେତ୍ରୀ ରବିନା ଟଣ୍ଡନ ପ୍ରମୁଖ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ କ୍ରୀଡ଼ା ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ପରିବାରର ନୂଆ ସଦସ୍ୟଙ୍କୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର