ବିବାଦୀୟ ବିଶ୍ବକପ୍ ଭିଡିଓକୁ ସାନିଆଙ୍କ ସମାଲୋଚନା

ଭାରତ-ପାକ୍ ଲଢ଼େଇ ପୂର୍ବରୁ ବିଜ୍ଞାପନ ଯୁଦ୍ଧ

ନୂଆଦିଲ୍ଲୀ: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆସନ୍ତା ୧୬ ତାରିଖରେ ବିଶ୍ବକପ୍ ମୁକାବିଲା ହେବ। ଏହି ଲଢ଼େଇକୁ ଉଭୟ ଦେଶର କ୍ରିକେଟ୍ ପ୍ରେମୀ ପ୍ରତୀକ୍ଷା କରି ରହିଛନ୍ତି। ତେବେ ମାଞ୍ଚେଷ୍ଟରରେ ଖେଳା ଯିବାକୁ ଥିବା ଏହି ମହାମୁକାବିଲା ପୂର୍ବରୁ ଦୁଇ ଦେଶର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଆଉ ଏକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଉଭୟ ଦେଶର କ୍ରିକେଟ୍ ପ୍ରେମୀ ପରସ୍ପରକୁ ନ୍ୟୁନ ଦେଖାଇବା ଲାଗି ଭିଡିଓ ପ୍ରସ୍ତୁତ କରି ଏହାକୁ ସାମାଜିକ ଗଣମାଧ୍ୟମରେ ପ୍ରକା‌ଶ କରୁଛନ୍ତି। କିଛି ଟେଲିଭିଜନ୍ ଚ୍ୟାନେଲ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି।

ପାକିସ୍ତାନର କିଛି ଗଣମାଧ୍ୟମ ମ୍ୟାଚ୍‌କୁ ନେଇ ବ୍ୟଙ୍ଗାତ୍ମକ ଭିଡିଓ ପ୍ରସ୍ତୁତ କରିବା ସହ ଏହାକୁ ନିୟମିତ ପ୍ରସାରଣ କରୁଛନ୍ତି। ମଙ୍ଗଳବାର ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ନେଇ କିଛି ପାକ୍ କଳାକାର ଏକ ଅପମାନଜନକ ଭିଡିଓ ପ୍ରକାଶ କରିବା ପରେ ବଡ଼ ବିବାଦ ମୁଣ୍ଡ ଟେକିଛି। ଏଭଳି ଭିଡିଓକୁ କିନ୍ତୁ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ସମାଲୋଚନା କରିଛନ୍ତି। ଏହି ଭିଡିଓଗୁଡ଼ିକ ଲଜ୍ଜାଜନକ ଏବଂ ଅଦ୍ଭୁତ ବୋଲି ସାନିଆ କହିଛନ୍ତି। ସାନିଆ ଟ୍ବିଟ୍ କରି ଏଥିନେଇ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି। ସୀମାର ଉଭୟ ପାର୍ଶ୍ବରେ ଲଜ୍ଜାଜନକ ସାମଗ୍ରୀ ଥିବା ବିଜ୍ଞାପନ, ସୁଧୁରି ଯାଆନ୍ତୁ। ଏଭଳି ବେକାରିଆ ଜିନିଷ ଦେଖାଇ ମ୍ୟାଚ୍‌କୁ ଅଧିକ ଚର୍ଚିତ କରିବାର କୌଣସି ଆବଶ୍ୟକତା ନାହିଁ। ସେମିତି ବି ଏହି ମ୍ୟାଚ୍ ଉପରେ ଅସଂଖ୍ୟ ଲୋକ ନଜର ରଖିଛନ୍ତି। ଭଗବାନଙ୍କ ପାଇଁ ଏହାକୁ ଏକ କ୍ରିକେଟ୍ ମ୍ୟାଚ୍ ଭଳି ଦେଖନ୍ତୁ। ପାକିସ୍ତାନ ବିଜ୍ଞାପନରେ ଅଭିନନ୍ଦନକୁ ଅପମାନ ଦିଆଯାଉଥିଲା ବେଳେ ଏକ ଘରୋଇ ଭାରତୀୟ ଚ୍ୟାନେଲରେ ପ୍ରସାରିତ ବିଜ୍ଞାପନରେ ମଧ୍ୟ ପାକିସ୍ତାନକୁ ନୀଚ ଦେଖାଇବାକୁ ଚେଷ୍ଟା କରାଯାଇଛି। ସଂପୃକ୍ତ ବିଜ୍ଞାପନରେ ଜଣେ ଭାରତୀୟ ସମର୍ଥକ ନିଜକୁ ପାକିସ୍ତାନର ପିତା ବୋଲି ପରିଚୟ ଦେଉଛନ୍ତି। ଏହି ଭିଡିଓ ବିଶ୍ବକପ୍‌ରେ ପାକିସ୍ତାନ ଉପରେ ଭାରତର ଦବ୍‌ଦବାକୁ ଦର୍ଶାଉଛି।

ସମ୍ବନ୍ଧିତ ଖବର