ହୋବାର୍ଟ ଇଣ୍ଟରନ୍ୟାସ୍‌ନାଲ ସେମିରେ ସାନିଆ

ହୋବାର୍ଟ: ଭାରତୀୟ ମହିଳା ଟେନିସ୍ ତାରକା ସାନିଆ ମିର୍ଜା ପ୍ରତ୍ୟାବର୍ତନ ପରେ ବିଜୟ ଧାରା ଜାରି ରଖିଛନ୍ତି। ଶେଷ ଥର ପାଇଁ ୨୦୧୭ ଅକ୍ଟୋବରରେ ଚାଇନା ଓପନ୍‌ ଖେଳିଥିଲେ। ୨ ବର୍ଷରୁ ଅଧିକ ସମୟ ପରେ ଟେନିସ୍‌ କୋର୍ଟକୁ ଫେରିଥିବା ୩୩ ବର୍ଷ ବୟସ୍କା ସାନିଆ ଏଠାରେ ଚାଲିଥିବା ହୋବାର୍ଟ ଇଣ୍ଟରନ୍ୟାସ୍‌ନାଲ ପ୍ରତିଯୋଗିତାରେ ଲାଗ ଲାଗ ବିଜୟ ସହ ମହିଳା ଯୁଗଳ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଛନ୍ତି। ୟୁକ୍ରେନର ନାଦିଆ କିଚେନକଙ୍କୁ ସାଥୀ କରି ଖେଳୁଥିବା ସାନିଆ ମଙ୍ଗଳବାର ଜର୍ଜିଆ-ଜାପାନ ଯୋଡ଼ି ଓକ୍‌ସାନା କାଲାସିନିକୋଭା ଓ ମିୟୁ କାଟୋଙ୍କୁ ୨-୬, ୭-୬, ୧୦-୩ ସେଟ୍‌ରେ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଗୁରୁବାର କ୍ବାର୍ଟର ଫାଇନାଲ୍‌‌ରେ ସାନିଆ-ନାଦିଆ ୬-୨, ୪-୬ ଓ ୧୦-୪ ସେଟ୍‌ରେ ଆମେରିକା ଯୋଡ଼ି ଭାନିଆ କିଙ୍ଗ୍‌ ଓ କ୍ରିଷ୍ଟିନା ମ୍ୟାକ୍‌ହାଲେଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଇଛନ୍ତି। ଏହି ମୁକାବିଲା ଜିତିବା ପାଇଁ ପଞ୍ଚମ ମାନ୍ୟତାପ୍ରାପ୍ତ ସାନିଆ-ନାଦିଆ ଯୋଡ଼ି ୧ ଘଣ୍ଟା ୨୪ ମିନିଟ୍‌ ସମୟ ନେଇଥିଲେ। ସେମିଫାଇନାଲ୍‌ରେ ଏହି ଭାରତ-ୟୁକ୍ରେନ୍‌ ଯୋଡ଼ିର ମୁକାବିଲା ସ୍ଲୋଭେନିଆ-ଚେକ୍‌ ଗଣରାଜ୍ୟ ଯୋଡ଼ି ତାମାରା ଜିଦାନ୍‌ସେକ୍‌ ଓ ମାରି ବୁଜ୍‌କୋଭାଙ୍କ ସହ ହେବ।

ସମ୍ବନ୍ଧିତ ଖବର