ନୂଆଦିଲ୍ଲୀ: ସାମ୍ପ୍ରତିକ ମହାମାରୀ ପରିସ୍ଥିତି ସତ୍ତ୍ବେ ଟେନିସ୍ କୋର୍ଟକୁ ପ୍ରତ୍ୟାବର୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି ସାନିଆ ମିର୍ଜା। ଏପରିକି ଫାଙ୍କା ଷ୍ଟାଡିୟମ୍ରେ ଟେନିସ୍ ପ୍ରତିଯୋଗିତା ସପକ୍ଷରେ ବି ଯୁକ୍ତି ବାଢ଼ିଛନ୍ତି। ସ୍ପେନୀୟ କିଂବଦନ୍ତି ତାରକା ରାଫେଲ୍ ନାଦାଲଙ୍କ ପରେ ମଧ୍ୟ ଦ୍ବିତୀୟ ପ୍ରମୁଖ ଖେଳାଳି ଭାବେ ସାନିଆ ବିନା ଦର୍ଶକରେ ଟେନିସ୍ ପ୍ରତିଯୋଗିତା ଆୟୋଜନ ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ଫ୍ରେଞ୍ଚ୍ ଓପନ୍ ପରେ ୱିମ୍ବଲଡନ୍ ବାତିଲ ହୋଇଥିବା ବେଳେ ୟୁଏସ୍ ଓପନ୍ ଉପରେ ଖଣ୍ଡା ଝୁଲୁଛି। ଭିକାରୀଙ୍କ ପାଇଁ ବିକଳ୍ପ ନ ଥିବାଭଳି ପରିସ୍ଥିତି ରହିଛି। ଆମ ପାଖରେ ବି ଆଉ କିଛି ବାଟ ନାହିଁ। ତେଣୁ ବନ୍ଦ ଷ୍ଟାଡିୟମ୍ ଭିତରେ ଖେଳିବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ। ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା କିଛି ଅସୁବିଧା ନୁହେଁ। କିନ୍ତୁ ପ୍ରତିଯୋଗିତା ସ୍ଥଳକୁ ଯାତ୍ରା କରିବା ହିଁ ବଡ଼ ପ୍ରସଙ୍ଗ ବୋଲି କହିଛନ୍ତି ସାନିଆ। ଦୈନିକ ମୁଁ ଏବେ ୨ ଘଣ୍ଟା ଲେଖାଏଁ ଅଭ୍ୟାସ କରୁଛି। ପୁଅକୁ ଜନ୍ମ ଦେବା ପରେ ବି ଟେନିସ୍ କୋର୍ଟକୁ ଫେରିସାରିଛି। ତେଣୁ ଟେନିସ୍କୁ ଯଥା ସମ୍ଭବ ଦେବାକୁ ମୁଁ ସବୁକିଛି ପ୍ରୟାସ କରିବି ବୋଲି ସାନିଆ ପ୍ରକାଶ କରିଛନ୍ତି।
କରୋନା ମହାମାରୀ ଲାଗି ଚାଳିଥିବା ଗୃହାବଦ୍ଧ ସମୟରେ ଦେଶର କିଛି ଭାଗରେ ଘରୋଇ ହିଂସା ଦେଖା ଦେଇଥିବାରୁ ସାନିଆ ଏହାର ନିନ୍ଦା କରିଥିଲେ। ମୁଁ ଏହାର ଘୋର ନିନ୍ଦା କରୁଛି ଏବଂ ମାନସିକତାରେ ପରିବର୍ତନ ଆଣି ଆମ ସମସ୍ତଙ୍କୁ ଏକାଠି ଲଢ଼ିବାକୁ ହେବ ବୋଲି ସାନିଆ କହିଛନ୍ତି। ମହିଳାମାନଙ୍କୁ ସମାନ ଅଧିକାର ମିଳିବା ଉଚିତ୍। ମହିଳାମାନଙ୍କୁ ଏ କ୍ଷେତ୍ରରେ ଆଗକୁ ଆସିବାକୁ ପଡ଼ିବ। ସମ୍ମାନ ପାଇବା ଲାଗି ସେମାନଙ୍କୁ ନିର୍ଦେଶ କିମ୍ବା ଦାବି କରିବାକୁ ପଡ଼ିବ। କ୍ରୀଡ଼ା ଐତିହାସିକ ବୋରିଆ ମଜୁମଦାରଙ୍କ ସହିତ ଆଲୋଚନା ବେଳେ ସାନିଆ ଏଭଳି ମତ ରଖିଛନ୍ତି। ସାମ୍ପ୍ରତିକ ସମୟକୁ ଏକ ଜରୁରିକାଳୀନ ପରିସ୍ଥିତି ସହ ତୁଳନା କରିଥିଲେ ସାନିଆ। କରୋନା ପ୍ରପିଡ଼ୀତଙ୍କ ପାଇଁ ଆମେ ଗତ ମାସକ ଭିତରେ ୨.୫ କୋଟି ପାଣ୍ଠି ସଂଗ୍ରହ କରିପାରିଛୁ, ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ବି ବ୍ୟବସ୍ଥା କରିଛୁ। କିନ୍ତୁ ଏହା ବି ଯଥେଷ୍ଟ ନୁହେଁ ବୋଲି ସାନିଆ କହିଛନ୍ତି।