ଦୁବାଇ : ଭାରତୀୟ ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା ଏଠାରେ ଚାଲିଥିବା ଦୁବାଇ ଓପନ୍ ମହିଳା ଯୁଗଳ ପ୍ରିକ୍ବାର୍ଟର ଫାଇନାଲ୍ରେ ପହଞ୍ଚି ଯାଇଛନ୍ତି। ଫ୍ରାନ୍ସର କାରୋଲିନେ ଗାର୍ସିଆଙ୍କୁ ସାଥୀ କରିଥିବା ସାନିଆ ମଙ୍ଗଳବାର ପ୍ରଥମ ରାଉଣ୍ଡ୍ ମୁକାବିଲାରେ ରୁଷିଆର ଆଲ୍ଲା କୁଦ୍ରେତ୍ସୋଭା ଓ ସ୍ଲୋଭେନିଆର କାଟାରିନା ସ୍ରେବୋତ୍ନିକ୍ ଯୋଡ଼ିକୁ ୬-୪, ୪-୬ ଓ ୧୦-୮ ଟାଇକ୍ରେବର୍ ସେଟ୍ରେ ପରାସ୍ତ କରିଛନ୍ତି। ଏହି ଭାରତ-ଫ୍ରାନ୍ସ ଯୋଡ଼ି ପ୍ରିକ୍ବାର୍ଟର ଫାଇନାଲ୍ରେ ପଞ୍ଚମ ମାନ୍ୟତାପ୍ରାପ୍ତ ଚୀନ୍-ଚେକ୍ ଗଣରାଜ୍ୟ ଯୋଡ଼ି ସାଇସାଇ ଝେଙ୍ଗ୍ ଓ ବାର୍ବୋରା କ୍ରେସିକୋଭାଙ୍କୁ ଭେଟିବେ।
ଏଠାରେ ସୂଚନାଯୋଗ୍ୟ, ମାତୃତ୍ବ ପାଇଁ ୨ ବର୍ଷର ବିରତି ନେବା ପରେ ଟେନିସ୍ କୋର୍ଟକୁ ଫେରିଥିଲେ ୩୩ ବର୍ଷ ବୟସ୍କା ସାନିଆ। ହେଲେ ପ୍ରତ୍ୟାବର୍ତନ ପରେ ଗତ ଜାନୁଆରିରେ ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଅଷ୍ଟ୍ରେଲିଆନ୍ ଓପନ୍ ଖେଳିଥିଲେ। କିନ୍ତୁ ଆହତ ଯୋଗୁଁ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଯୁଗଳ ପ୍ରଥମ ରାଉଣ୍ଡ୍ରୁ ହିଁ ଓହରିଯିବାକୁ ପାଧ୍ୟ ହୋଇଥିଲେ। ଏବେ ପୁଣି ସୁସ୍ଥ ହେବା ପରେ ଦୁବାଇ ଓପନ୍ ଜରିଆରେ କୋର୍ଟକୁ ଫେରିଛନ୍ତି।