ନୂଆଦିଲ୍ଲୀ: ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ ପୁଣି ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଛନ୍ତି। ଶୋଏବଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ବିବାହ ଖବର ସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଛନ୍ତି। ସନାଙ୍କ ସହ ବିବାହ ବିଷୟରେ ସୂଚନା ଦେଇ ଶୋଏବ ନିଜେ ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହା ପରେ ନିଶ୍ଚିତ ହୋଇଯାଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି।
ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଶୋଏବ ମଲିକଙ୍କ ପରିବାର ତାଙ୍କ ତୃତୀୟ ବିବାହରେ ଖୁସି ନୁହଁନ୍ତି। କ୍ରିକେଟରଙ୍କ ଭଉଣୀମାନେ ମଧ୍ୟ ତାଙ୍କ ଛାଡପତ୍ରକୁ ନେଇ ଶୋଏବଙ୍କ ଉପରେ ରାଗିଛନ୍ତି ଏବଂ ସନାଙ୍କ ସହ ବିବାହକୁ ବିରୋଧ କରି ବିବାହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନାହାଁନ୍ତି। ତେବେ ଶୋଏବଙ୍କ ସାନଭାଇ ଆଦିଲ ମଲିକ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁହିଁଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଛି।
କୁହାଯାଉଛି ଯେ, ଶୋଏବଙ୍କ ଅନୈତିକ ସମ୍ପର୍କ ପାଇଁ ସାନିଆ ତାଙ୍କଠାରୁ ଛାଡ଼ପତ୍ର ନେଇଥିଲେ। କିଛି ମାସ ତଳେ ଦୁହିଁଙ୍କ ଛାଡ଼ପତ୍ର ହୋଇଥିଲା।