ବେଙ୍ଗାଲୁରୁ : ଗତ ମାସରେ କ୍ୟାରିୟରର ଶେଷ ଗ୍ରାଣ୍ଡ ସ୍ଲାମ୍‌ ଖେଳିଥିବା ଭାରତର ଟେନିସ ସୁନ୍ଦରୀ ସାନିଆ ମିର୍ଜା ଆଗାମୀ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲୁପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)ର ମେଣ୍ଟର ନିଯୁକ୍ତ ହୋଇଛନ୍ତି। ୬ ଗ୍ରାଣ୍ଡ ସ୍ଲାମ୍‌ ଓ ୪୩ ଡବ୍ଲୁଟିଏ ମୁକୁଟ କରାୟତ୍ତ କରିଥିବା ସାନିଆ ଅଷ୍ଟ୍ରେଲିଆନ୍‌ ଓପନ୍‌ ମିଶ୍ରିତ ଯୁଗଳରେ ସାଥୀ ରୋହନ ବୋପାନ୍ନାଙ୍କ ସହ ଉପବିଜେତା ହେବାପରେ ଟେନିସରୁ ଅବସର ନେଇଥିଲେ। ଚଳିତ ମାସରେ ନିଜର ଶେଷ ପ୍ରତିଯୋଗିତା ଏଟିପି ଦୁବାଇ ଓପନ୍‌ ଖେଳିବା ପରେ ସେ ଆର୍‌ସିବିରେ ଯୋଗଦେବେ। ‘‘ଆର୍‌ସିବିର ମେଣ୍ଟର ଭାବେ ନିଯୁକ୍ତି ପାଇଥିବାରୁ ବହୁତ ଖୁସି। ମହିଳା ପ୍ରିମିୟର ଲିଗ୍‌ ଭାରତୀୟ ମହିଳା କ୍ରିକେଟ୍‌କୁ ବହୁ ଆଗକୁ ନେବ’’ ବୋଲି ସାନିଆ କହିଛନ୍ତି।

Advertisment

ଆର୍‌ସିବି ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ଭାବେ ସଂପ୍ରତି ନ୍ୟୁଜିଲାଣ୍ଡ ମହିଳା ଦଳର ପ୍ରଶିକ୍ଷକ ଥିବା ଅଷ୍ଟ୍ରେଲିଆର ବେନ୍‌ ସୟେରଙ୍କୁ ନିଯୁକ୍ତ କରିଛି। ୪୫ ବର୍ଷୀୟ ସୟେର ଦ ହଣ୍ଡ୍ରେଡ୍‌ରେ ବର୍ମିଂହାମ ଫୋଏନିକ୍ସର ପ୍ରଶିକ୍ଷକ ଥିଲା ବେଳେ ମହିଳା ବିଗ୍‌ ବାସ୍‌ ଲିଗ୍‌ରେ ସିଡ୍‌ନି ସିକ୍ସରର ମୁଖ୍ୟ ପ୍ରଶିକ୍ଷକ ଭାବେ କାମ କରିଛନ୍ତି। ଏଥିସହ ସେ ମଧ୍ୟ ଅଷ୍ଟ୍ରେଲିଆ ଦଳର ସହଯୋଗୀ ପ୍ରଶିକ୍ଷକ ରହିଥିଲେ। ସୟେରଙ୍କୁ ମାଲୋରାନ ରଙ୍ଗରାଜନ (ସହଯୋଗୀ ପ୍ରଶିକ୍ଷକ), ଭିଆର୍‌ ବନିତା (ଫିଲ୍‌ଡିଂ ପ୍ରଶିକ୍ଷକ) ଓ ଆର୍‌ଏକ୍ସ ମୁରଲୀ (ବ୍ୟାଟିଂ ପ୍ରଶିକ୍ଷକ) ସହଯୋଗ କରିବେ।