ଗୋ ହତ୍ୟା ଅଭିଯୋଗକୁ ସାନିଆଙ୍କ ଖଣ୍ଡନ

ହାଇଦ୍ରାବାଦ: ତେଲେଙ୍ଗାନାର ବିବାଦୀୟ ଭାରତୀୟ ଜନତା ପାର୍ଟି ‌ବିଧାୟକ ରାଜା ସିଂହ ୬ ଥର ଗ୍ରାଣ୍ଡ ସ୍ଲାମ ବିଜୟିନୀ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ‌ବିରୋଧରେ ଗୋ ହତ୍ୟା ଅଭିଯୋଗ ଆଣିଛନ୍ତି। ସାନିଆ ୫ ଦିନ ତଳେ ଡାମାଗୁଡେମ ସଂରକ୍ଷିତ ଜଙ୍ଗଲରେ ଏକ ବାଛୁରୀକୁ ଗୁଳି କରି ହତ୍ୟା କରିଥିବା ସେ ଅଭିଯୋଗ କରିଛନ୍ତି। ସାନିଆଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ସହ ତଦନ୍ତ କରିବାକୁ ସେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସାନିଆ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ମିଥ୍ୟା ଏବଂ ଅପପ୍ରଚାର ବୋଲି କହିଛନ୍ତି।

ଗାଈଟି ଭିଖରାବାଦ ଜିଲ୍ଲାର ପାରିଗିସ୍ଥିତ ଏକ ଫାର୍ମରେ ମୃତ୍ୟୁବରଣ କରିଥିଲା ବେଳେ କେତକ ଗଣମାଧ୍ୟମ ଏହାକୁ ମୋ ସହ ଯୋଡ଼ୁଛନ୍ତି ବୋଲି ଗୁରୁବାର ଏକ ପ୍ରେସ ବିଜ୍ଞପ୍ତିରେ ସାନିଆ କହିଛନ୍ତି। ମୁଁ ଏହି ମିଥ୍ୟା ସମ୍ବାଦକୁ ବିଶ୍ବାସ କରୁନି। ଶୀଘ୍ର ଏହାର ସତ୍ୟତା ଜଣାଇବି। ମୁଁ କୌଣସି ପାରିଗି ଫାର୍ମ ହାଉସ୍‌କୁ ଜାଣିନି କି ଗଣମାଧ୍ୟମ ପ୍ରଚାର ହେଉଥିବା କର୍ମଚାରୀକୁ ବି ଚିହ୍ନିନି। ମୁଁ ସେପ୍ଟେମ୍ବର ପ୍ରାରମ୍ଭରୁ ଦେଶ ବାହାରେ ରହିଛି ‌ବୋଲି ସାନିଆ କହିଛନ୍ତି।

ସମ୍ବନ୍ଧିତ ଖବର