ଇସଲାମାବାଦ୍: ପାକିସ୍ତାନୀ କ୍ରିକେଟର୍ ସୋଏବ ମଲ୍ଲିକ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ସଂପର୍କ ଛିନ୍ନ କରିବା ପରେ ଅଭିନେତ୍ରୀ ସନା ଜାଭେଦ୍ଙ୍କ ସହ ବିବାହ କରିଛନ୍ତି। ଉଭୟ ସୋଏବ ଓ ସନା ନିଜନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିବାହ ପରର ଫଟୋ ପୋଷ୍ଟ କରିଥିବାରୁ ସାନିଆଙ୍କ ସହ ବିବାହ ବିଚ୍ଛେଦ ହୋଇଥିବା ସ୍ପଷ୍ଟ ହୋଇଥିଲା। ସୋଏବ୍ ଓ ସନା ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟିଂ କରିଆସୁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଗତବର୍ଷ ସନାଙ୍କ ଜନ୍ମଦିନରେ ସୋଏବ୍ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ଚର୍ଚ୍ଚାକୁ ଅଧିକ ଖୋରାକ ମିଳିଥିଲା। ଏପରିକି ସୋଏବ ଉଭୟଙ୍କର ଫଟୋକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାପରଠୁ ସୋଏବ-ସାନିଆ ବିଚ୍ଛେଦ ଖବର ଚାରିଆଡ଼େ ପ୍ରଘଟ ହେବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ମୁଖ୍ୟାଂଶ ପାଲଟି ଯାଇଥିଲା।
ସାନିଆଙ୍କ ବାପା ଇମ୍ରାନ୍ ମିର୍ଜା ଶନିବାର ଗଣମାଧ୍ୟମକୁ କହିଛନ୍ତି ଯେ, ସୋଏବଙ୍କୁ ସାନିଆ ଏକପାଖିଆ ଭାବେ ଛାଡ଼ପତ୍ର ଦେଇଛନ୍ତି। ମୁସଲିମ୍ ମହିଳାଙ୍କୁ ଦିଆଯାଇଥିବା ଅଧିକାର ‘ଖୁଲା’ ଅନୁସାରେ ସାନିଆ ଏହି ଛାଡ଼ପତ୍ର ଦେଇଛନ୍ତି। ସ୍ବାମୀମାନେ ଯେପରି ‘ତିନିଥର ତଲାକ୍’ କହି ଛାଡ଼ପତ୍ର ଦେଉଛନ୍ତି, ଠିକ୍ ସେମିତି ସାନିଆ ‘ଖୁଲା’କହି ନିଜ ଅଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ୨୦୧୦ରେ ସୋଏବ ତାଙ୍କର ପ୍ରଥମ ପତ୍ନୀ ଆୟେଶା ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେଇ ସାନିଆଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାହ ହାଇଦ୍ରାବାଦରେ ହୋଇଥିଲା। ପରେ ପାକିସ୍ତାନର ସିଆଲ୍କୋଟ୍ରେ ୱାଲିମା ରୀତି ଶେଷ ହୋଇଥିଲା। ୨୦୧୮ରେ ଉଭୟଙ୍କର ପ୍ରଥମ ସନ୍ତାନ ଈଝାନ୍ ଜନ୍ମ ହୋଇଥିଲା। ଅନ୍ୟପକ୍ଷରେ ସନା ଜାଭେଦ୍ ଏହି ବିବାହ ପରେ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ନାମ ସନା ସୋଏବ୍ ମଲ୍ଲିକ ରଖିସାରିଲେଣି। ସନା ମଧ୍ୟ ପୂର୍ବରୁ କଣ୍ଠଶିଳ୍ପୀ ଉମର ଜୟସ୍ବାଲ୍ଙ୍କୁ ୨୦୨୦ରେ ବିବାହ କରିଥିଲା ବେଳେ ଗତବର୍ଷ ଉଭୟଙ୍କର ବିଚ୍ଛେଦ ଘଟିଥିଲା। ସନାଙ୍କ ସହ ସୋଏବ୍ଙ୍କ ସଂପର୍କ ବିଷୟରେ ଚର୍ଚ୍ଚା ଲାଗି ରହିଥିଲେ ମଧ୍ୟ ଉଭୟ ସାନିଆ ଓ ସୋଏବ ନିଜନିଜର ବ୍ୟକ୍ତିଗତ ଜୀବନ ସଂକ୍ରାନ୍ତରେ ନୀରବ ରହୁଥିଲେ। ଦୁବାଇରେ ଗତ ବର୍ଷ ପୁଅ ଈଝାନ୍ର ଜନ୍ମଦିନ ପାଳନ ସମୟରେ ଉଭୟଙ୍କର ବିଚ୍ଛେଦ ସଂପର୍କରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। କିନ୍ତୁ କେହି ଏହା ଉପରେ ପାଟି ଫିଟାଇ ନଥିଲେ। ବରଂ ‘ମିର୍ଜା-ମଲ୍ଲିକ’ ଟିଭି ସୋ’କୁ ଉଭୟ ପରିଚାଳନା କରୁଥିଲେ। କିନ୍ତୁ ଗତବର୍ଷ ଯେତେବେଳେ ଉଭୟ ନିଜନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବାୟୋକୁ ପରିବର୍ତ୍ତନ କରିଥିଲେ, ସେତେବେଳେ ବିଚ୍ଛେଦ ଖବର ଅଧିକ ଦୃଢ଼ ହୋଇଥିଲା। କିନ୍ତୁ ବୁଧବାର ସାନିଆଙ୍କ ଏକ ପୋଷ୍ଟ ବିଚ୍ଛେଦ ସଂକ୍ରାନ୍ତରେ ଖୋରାକ ଯୋଗାଇଥିଲା। ନିଜ ମନର ଭାବନାକୁ ସେ ଏକ ଇଂରାଜୀ କବିତା ମାଧ୍ୟମରେ ବର୍ଣ୍ଣନା କରିଥିଲେ। ଏପରିକି ସୋଏବ ଓ ସାନିଆ ସେମାନଙ୍କ ଆକାଉଣ୍ଟରୁ ପରସ୍ପରର ଫଟୋକୁ ହଟାଇ ଦେଇଥିବା ଦେଖିବାକୁ ମିଳିଛି।