ହାଇଦ୍ରାବାଦ: ଭାରତୀୟ ମହିଳା ଟେନିସର ସବୁଠାରୁ ବଡ଼ ନାଁ ତଥା ବିଶ୍ବ ମହିଳା ଯୁଗଳ ଟେନିସର ଅନ୍ୟତମ ସଫଳ ତାରକା ସାନିଆ ମିର୍ଜା ବୁଧବାର ନିଜ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନରୁ ଅବସର ଘୋଷଣା କରିଛନ୍ତି। ୨୦୨୨ ଋତୁ ତାଙ୍କ ଟେନିସ୍ ଜୀବନର ଶେଷ ଋତୁ ହେବ ବୋଲି ସୂଚନା ଦେଇଛନ୍ତି ସେ। ସାନିଆଙ୍କ ଅବସର ଘୋଷଣା ସହ ଭାରତୀୟ ଟେନିସରେ ଏକ ଯୁଗର ଅବସାନ ଘଟିଛି। ତା’ ସହ ସାନିଆ ତାଙ୍କ ଖେଳ ଜୀବନରେ କେତୋଟି ଟ୍ରଫି ଜିତିଛନ୍ତି, କେତେ ପୁରସ୍କାର ରାଶି ହାସଲ କରିଛନ୍ତି, ସେ କଥା ଜାଣିବାକୁ ପ୍ରଶଂସକଙ୍କ ମନରେ ଉତ୍ସୁକତା ବଢ଼ିଛି। ସାନିଆଙ୍କ କ୍ୟାରିୟର ପରିସଂଖ୍ୟାନ ଅନୁସାରେ ଖେଳ ଜୀବନରେ ସେ ଗୋଟିଏ ଏକକ ଟ୍ରଫି ଏବଂ ୪୩ ଯୁଗଳ ଟ୍ରଫି ଜିତିଛନ୍ତି। ସେଥିମଧ୍ୟରେ ପୁରସ୍କାର ବାବଦରେ ସାନିଆ ୭୦, ୩୦, ୯୯୭ ଡଲାର ବା ପାଖାପାଖି ୫୩ କୋଟି ଟଙ୍କା ପାଇଛନ୍ତି। ତେବେ ତାଙ୍କର ମୋଟ ରୋଜଗାର ଏହାର ବହୁଗୁଣ ହେବ। କାରଣ ପୁରସ୍କାର ରାଶି ସହ ବିଜ୍ଞପାନ ଜଗତରୁ ମଧ୍ୟ ସାନିଆ ବହୁ କୋଟି ଟଙ୍କା ରୋଜଗାର କରିଛନ୍ତି। ୩୫ ବର୍ଷୀୟା ସାନିଆ ୨୦୦୩ ମସିହାରେ ପେସାଦାର ଟେନିସ୍ ଦୁନିଆରେ ପାଦ ଥାପିଥିଲେ। ୨୦୦୪ରେ ଅର୍ଜୁନ ପୁରସ୍କାର ଲାଭ କରିବା ସହ ୨୦୦୬ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ୨୦୧୫ରେ ତାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିଥିଲା। ସେହିଭଳି ୨୦୧୬ରେ ପଦ୍ମବିଭୂଷଣ ପୁରସ୍କାର ମଧ୍ୟ ଲାଭ କରିଥିଲେ ସାନିଆ।
ସାନିଆଙ୍କ ପୁରସ୍କାର ଆୟ ୫୩ କୋଟି
/sambad/media/post_attachments/wp-content/uploads/2021/07/sania-mirza-file-afp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)