ସଞ୍ଜନାଙ୍କୁ ବାହା‌ହେବେ ବୁମ୍‌ରା; ମଡେଲ-ମିସ୍‌ଇଣ୍ଡିଆ

ଅହମଦାବାଦ: ଇଂଲଣ୍ଡ ବିପକ୍ଷ ମହତ୍ବପୂର୍ଣ୍ଣ ଚତୁର୍ଥ ତଥା ଶେଷ ଟେଷ୍ଟ୍‌ରୁ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ହଠାତ୍ ଓହରିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ବ୍ୟକ୍ତିଗତ କାରଣ ପାଇଁ ସେ ଏହି ଟେଷ୍ଟ୍‌ ଖେଳୁ ନଥିବା ବିସିସିଆଇ ଆନୁଷ୍ଠାନିକ ଭାବେ କହିଥିଲା। ବୁମ୍‌ରା ଏହି ମ୍ୟାଚ୍‌ରୁ ଓହରି ଯିବାର ପ୍ରକୃତ କାରଣ କିନ୍ତୁ ଏବେ ପଦାକୁ ଆସିଛି। ସତ କଥା ହେଲା ନିଜ ବାହାଘର ପାଇଁ ପ୍ରସ୍ତୁତି କରିବା ଲାଗି ବୁମ୍‌ରା ଏହି ଟେଷ୍ଟ୍‌ରୁ ଶେଷ ମୁହୂର୍ତ୍ତରେ ଓହରି ଯାଇଥିବା ଜଣାପଡ଼ିଛି। ସେ କାହାକୁ ଏବଂ କେବେ ବାହାହେବେ, ସେକଥା ମଧ୍ୟ ଉଜାଗର ହୋଇଛି। ୨୭ ବର୍ଷୀୟ ଗୁଜରାଟୀ କ୍ରିକେଟର୍‌ ବୁମ୍‌ରା କ୍ରୀଡ଼ା ଉପସ୍ଥାପିକା ସଞ୍ଜନା ଗଣେଶନ୍‌ଙ୍କୁ ଏଇ ମାର୍ଚ ୧୪ କିମ୍ବା ୧୫ ତାରିଖରେ ଜୀବନସାଥୀ ଭାବେ ଗ୍ରହଣ କରିବେ। ଉଭୟ ପକ୍ଷଙ୍କ ନିକଟତମ ବନ୍ଧୁ ଓ ପରିବାରବର୍ଗଙ୍କୁ ନେଇ ଏକ ନିରାଡ଼ମ୍ବର ଘରୋଇ ଉତ୍ସବରେ ଗୋଆରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ସଞ୍ଜନା ଜଣେ ଲୋକପ୍ରିୟ ଖେଳ ଉପସ୍ଥାପିକା ହୋଇଥିବା ବେଳେ ଏକାଧିକ ଟେଲିଭିଜନ୍ ଚ୍ୟାନେଲ୍‌ରେ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି। ସଂପ୍ରତି ନିଜ କର୍ମସ୍ଥଳୀରୁ କିଛି ଦିନ ପାଇଁ ଅବକାଶ ନେଇଛନ୍ତି ସେ। ଫଳରେ ବିବାହ ପାଇଁ ହିଁ ସେ ଛୁଟି ନେଇଥିବାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ବିବାହ ପାଇଁ ଖୁବ୍‌ଶୀଘ୍ର ବୁମ୍‌ରାଙ୍କ ମା’ ଗୋଆ ଯାତ୍ରା କରିବାର ଅଛି। ବିବାହ ଉତ୍ସବରେ ମାତ୍ର ୨୦ଜଣ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ଥିବା ମଧ୍ୟ ବୁମ୍‌ରାଙ୍କ ଜଣେ ବନ୍ଧୁ ସଙ୍କେତ ଦେଇଛନ୍ତି। ଭାରତୀୟ ଖେଳାଳିମାନେ ସଂପ୍ରତି ଇଂଲଣ୍ଡ ବିପକ୍ଷ ଦ୍ବିପାକ୍ଷିକ ଶୃଙ୍ଖଳାରେ ବ୍ୟସ୍ତ ଥିବାରୁ ଏହି ବିବାହ ଉତ୍ସବରେ ଯୋଗଦେଇ ପାରିବେନି। ବିବାହ ଭୋଜି ମଧ୍ୟ ପରବର୍ତ୍ତୀ ସମୟରେ ଆୟୋଜିତ ହେବ। ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହ ଓ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଯୋଗଦେବେ।

ମଡେଲ-ମିସ୍‌ଇଣ୍ଡିଆ
କ୍ରିକେଟର୍‌ମାନେ ମଡେଲ କିମ୍ବା ଅଭିନେତ୍ରୀଙ୍କୁ ବିବାହ କରିବାର ଲମ୍ବା ତାଲିକା‌ ରହିଛି। ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏହି ତାଲିକାର ସବୁଠାରୁ ଚର୍ଚ୍ଚିତ ଯୋଡ଼ି କହିଲେ କୌଣସି ଭୁଲ ହେବନି। ବୁମ୍‌ରା ଏବେ ଏହି ଧାରାରେ ସାମିଲ ହୋଇଛନ୍ତି। ସଞ୍ଜନା-ବୁମ୍‌ରା ବିବାହ ଖବର ପଦାକୁ ଆସିବା ପରେ କିନ୍ତୁ ଏହି ସଞ୍ଜନା କିଏ? ସେ ପ୍ରଶ୍ନ କ୍ରିକେଟ୍‌ପ୍ରେମୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଦେଇଛି।

ସଞ୍ଜନା ହେଉଛନ୍ତି ଜଣେ ମଡେଲ। ୨୦୧୪ ମସିହାରେ ମିସ୍ ଇଣ୍ଡିଆ ମୁକୁଟ ଜିତିଥିଲେ। ସେ ମଧ୍ୟ ଏମ୍‌ଟିଭିର ଲୋକପ୍ରିୟ ରିଅଲିଟି ସୋ’ ସ୍ପ୍ଲିଟ୍‌ସ୍‌ଭିଲ୍ଲାରେ ଅଂଶଗ୍ରହଣ କରିଥିଲେ। ୨୦୧୨ ମସିହାରେ ସଞ୍ଜନା ଫେମିନା ଷ୍ଟାଇଲ୍‌ ଡିଭା ଉପାଧି ଲାଭ କରିଥିଲେ। ଷ୍ଟାର ସ୍ପୋର୍ଟସ ପାଇଁ କାମ କରୁଥିବା ସଞ୍ଜନା କେବଳ କ୍ରିକେଟ୍ ନୁହେଁ ବହୁ ବ୍ୟାଡମିଣ୍ଟନ୍‌ ଓ ଫୁଟବଲ୍ ପ୍ରତିଯୋଗିତାର ଉପସ୍ଥାପିକା କାର୍ଯ୍ୟକୁ ସଫଳତାର ସହ ତୁଲାଇଛନ୍ତି। ୨୦୧୯ କ୍ରିକେଟ୍ ବିଶ୍ବକପ୍‌ରେ ମଧ୍ୟ ସେ ଭାରତୀୟ ଦଳ ପାଇଁ ଟିଭି ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର