ବୁମ୍‌ରାଙ୍କ ପାଇଁ ସଞ୍ଜନା ନୀଳପରୀ

ବିବାହ ପୂର୍ବରୁ କୋହଲି, ପରେ ବି କୋହଲି

ଚେନ୍ନାଇ : ଆଇପିଏଲ୍‌ର ଅନ୍ୟତମ ଟିଭି ଉପସ୍ଥାପିକା ସଞ୍ଜନା ଗଣେଶନ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା କିଛି ଦିନ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ପରେ ଚଳିତ ଆ‌ଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍ ବୁମ୍‌ରାଙ୍କ ପ୍ରଥମ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ମ୍ୟାଚ୍ ଥିଲା। ସଞ୍ଜନା ମଧ୍ୟ ଏହି ମ୍ୟାଚ୍‌ରେ ନିଜ କର୍ମସ୍ଥଳକୁ ଫେରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଷ୍ଟାର ସ୍ପୋର୍ଟସ ଚ୍ୟାନେଲ୍‌ରେ ଉପସ୍ଥାପିକା ଦାୟିତ୍ବ ତୁଲାଉଥିଲା ବେଳେ ସଞ୍ଜନା ଏକ ନୀଳ ରଙ୍ଗର ଆକର୍ଷଣୀୟ ଅଫ୍‌ସୋଲଡର ପୋଷାକ ପିନ୍ଧିଥିଲେ। କ୍ରିକେଟ୍‌ପ୍ରେମୀ ତାଙ୍କୁ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ ଅନେକ କୌତୁକିଆ ମିମ୍ ଛାଡ଼ିଥିଲେ। ବୁମରାଙ୍କୁ ଉତ୍ସାହିତ କରିବା ଲାଗି ସଞ୍ଜନା ମୁମ୍ବାଇ ଇଣ୍ଡିଆନ୍ସ ଦଳକୁ ମ୍ୟାଚ୍ କରି ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ ବୋଲି କେହି କେହି ଲେଖିଥିଲେ। ତେବେ ଦୁର୍ଭାଗ୍ୟଜନକ ଭାବେ ଏହି ମ୍ୟାଚ୍‌କୁ ମୁମ୍ବାଇ ହାରି ଯାଇଥିଲା। ଫଳରେ ଗତ ୭ଟି ଋତୁରେ ନିଜ ପ୍ରଥମ ମ୍ୟାଚ୍ ହାରିବାର ଆଲୋଡ଼ା ରେକର୍ଡ ହାସଲ କରିଥିଲା। ସଞ୍ଜନା ଉଭୟ ହିନ୍ଦୀ ଓ ଇଂରାଜୀ ଚ୍ୟାନେଲ୍ ପାଇଁ ମ୍ୟାଚ୍ ବିବରଣୀ ଦେବା ସହ ତତ୍‌ସଂପର୍କିତ ଆଲୋଚନା ଓ ସମୀକ୍ଷା କରୁଥିବାରୁ ଏକାଧିକ ପ୍ରଶଂସକ ଜଗିଂ କରୁଥିବାର ମିମ୍ ପ୍ରକାଶ କରିଥିଲେ। ସଞ୍ଜନା ମଧ୍ୟ ଏହି ମିମ୍‌କୁ ‌ବେଶ୍ ପସନ୍ଦ କରିଥିଲେ। ଏପରିକି ଷ୍ଟୁଡିଓ ଭିତରେ ତାଙ୍କ ଜୀବନ ଠିକ୍ ଭଳି ବୋଲି ଉତ୍ତର ଦେଇଥିଲେ।

ବିବାହ ପୂର୍ବରୁ କୋହଲି, ପରେ ବି କୋହଲି
ସଞ୍ଜନାଙ୍କ ଫଟୋ ଉପରେ ଦିଲୀପ ମହାନ୍ତି ନାମକ ଜଣେ କ୍ରିକେଟ୍ ଲେଖକ ପ୍ରକାଶ କରିଥିବା ପରିସଂଖ୍ୟାନ କିନ୍ତୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେ ଲେଖିଥିଲେ ବିବାହ ପୂର୍ବରୁ ୨୦୧୩ରେ ଖେଳିଥିବା‌ ନିଜ ପ୍ରଥମ ଆଇପିଏଲ୍ ମ୍ୟାଚ୍‌ରେ ବୁମ୍‌ରା‌ ୮ ବର୍ଷ ତଳେ ଆର୍‌ସିବି ଅଧିନାୟକ ବିରାଟ କୋହଲିଙ୍କୁ ନିଜ ପ୍ରଥମ ଶିକାର କରିଥିଲେ। ବିବାହ ପରର ପ୍ରଥମ ୱିକେଟ୍ ଭାବେ ମଧ୍ୟ ସେହି କୋହଲିଙ୍କୁ ପ୍ୟାଭିଲିୟନ ଫେରାଇଥିଲେ। ସୂଚନାଯୋଗ୍ୟ ଯେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍-୧୪ର ପ୍ରଥମ ମୁକାବିଲାରେ କୋହଲିଙ୍କୁ ବୁମ୍‌ରା ୩୩ ରନ୍‌ରେ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ଏବର୍ଷ ଆଇପିଏଲ୍‌ରେ ଏହା ତାଙ୍କର ପ୍ରଥମ ୱିକେଟ୍ ଥିଲା। ସଂଯୋଗ ବଶତଃ ବୁମ୍‌ରା ମାତ୍ର ୧୯ ବର୍ଷ ବୟସରେ ନିଜ ଆଇପିଏଲ୍ ଜୀବନ ୨୦୧୩ରେ ସେହି ଆର୍‌ସିବି ବିପକ୍ଷରେ ଆରମ୍ଭ କରିଥିଲେ। ନିଜ ପ୍ରଥମ ଓଭରରେ କୋହଲିଙ୍କୁ ଆଉଟ୍ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ସେହି ମ୍ୟାଚ୍‌ରେ ସେ ୩୨ ରନ୍ ଦେଇ ୩ ୱିକେଟ୍ କରାୟତ୍ତ କରିଥିଲେ। କୋହଲି ୨୪ ରନ୍ କରିଥିଲେ। ସେଥର ବି କୋହଲି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ସେବର୍ଷର ଦ୍ବିତୀୟ ମ୍ୟାଚ୍‌ରେ ଅବଶ୍ୟ ବୁମ୍‌ରା ୱିକେଟ୍ ଶୂନ୍ୟ ରହିଥିଲେ। ସେହି ଋତୁରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ମାତ୍ର ଦୁଇଟି ମ୍ୟାଚ୍ ଖେଳି ସେ ମୋଟ ୩ ୱିକେଟ୍ ନେଇଥିଲେ।

ସମ୍ବନ୍ଧିତ ଖବର