ଚୟନକର୍ତାଙ୍କ ସହ ପାଟିତୁଣ୍ଡ କରିଥିଲେ ବାଙ୍ଗର

ମୁମ୍ବାଇ : ୱେଷ୍ଟଇଣ୍ଡିଜ୍ ଗସ୍ତ ଶେଷ ହେବାର ଦୁଇ ସପ୍ତାହ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ସେତେବେଳର ବ୍ୟାଟିଂ ପ୍ରଶିକ୍ଷକ ତଥା ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜୟ ବାଙ୍ଗର ଚୟନକର୍ତା ଦେବାଙ୍ଗ ଗାନ୍ଧୀଙ୍କୁ ଅପମାନିତ କରିଥିଲେ। ଏପରିକି ଦେବାଙ୍ଗଙ୍କ ହୋଟେଲ ରୁମ୍‌କୁ ପଶି ତାଙ୍କ ସହ ଢେର ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ କରିଥିଲେ। ଭାରତର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ତାଙ୍କୁ କାହିଁକି କାଢ଼ି ଦିଆଗଲା ବୋଲି ବାଙ୍ଗର ସେତେବେଳେ ଦେବାଙ୍ଗଙ୍କଠାରୁ ଜାଣିବାକୁ ଚାହିଁଥିଲେ। ତାଙ୍କୁ ପଦରୁ ହଟାଗଲେ ଭାରତୀୟ ଖେଳାଳିମାନେ ବିଦ୍ରୋହ କରିବେ ବୋଲି ମଧ୍ୟ ଦେବାଙ୍ଗକୁ ବାଙ୍ଗର ଚେତାବନୀ ଦେଇଥିଲେ। ବ୍ୟାଟିଂ ପ୍ରଶିକ୍ଷକ ନ ରଖିଲେ ବେଙ୍ଗାଲୁରୁରେ ଥିବା ଜାତୀୟ କ୍ରିକେଟ୍ ଏକାଡେମିର କୌଣସି ପଦରେ ତାଙ୍କୁ ଥଇଥାନ କରିବାକୁ ମଧ୍ୟ ବାଙ୍ଗର ଏହି ଅବସରରେ କହିଥିଲେ। ଏହି ଘଟଣା ଜାତୀୟ ଚୟନସମିତି ବିଭିନ୍ନ ସହକାରୀ ପ୍ରଶିକ୍ଷକ ପଦ ପାଇଁ ସାକ୍ଷାତକାର ନେଉଥିଲା ବେଳେ ଘଟିଥିଲା ବୋଲି ଜଣାପଡ଼ିଛି।

ପ୍ରବନ୍ଧକ ଓ ପ୍ରଶିକ୍ଷକ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ

ବାଙ୍ଗରଙ୍କ ଉଗ୍ର ବ୍ୟବହାର ବିସିସିଆଇ ପାଖରେ ମଧ୍ୟ ପହଞ୍ଚିଛି। ତେବେ ଏଥିନେଇ ଦଳୀୟ ପ୍ରବନ୍ଧକ ଏବଂ ମୁଖ୍ୟ ପ୍ରଶିକ୍ଷକ ଆନୁଷ୍ଠାନିକ ଭାବେ ଅଭିଯୋଗ କରିବା ପରେ ହିଁ ବିସିସିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ନିଜ ନାମ ଗୋପନ ରଖି ସଂପୃକ୍ତ ଅଧିକାରୀ ଜଣକ କହିଛନ୍ତି ଯେ ଏଭଳି ଘଟଣାରେ ଆମେ ପ୍ରଚଳିତ ନିୟମ ଅନୁସାରେ ପଦକ୍ଷେପ ନେଇଥାଉ। ପ୍ରଥମେ ଦେବାଙ୍ଗଙ୍କୁ ଏହି ବିଷୟରେ ବିସିସିଆଇର ଧ୍ୟାନ ଆକର୍ଷଣ କରିବାକୁ ପଡ଼ିବ। ତା’ ପରେ ମୁଖ୍ୟ ପ୍ରଶିକ୍ଷକ ଏବଂ ପ୍ରବନ୍ଧକଙ୍କୁ ମଧ୍ୟ ନିଜ ନିଜର ରିପୋର୍ଟ ଦେବାକୁ ହେବ। ଏସବୁର ତର୍ଜମା ପରେ ଯାଇ ବିସିସିଆଇ କିଛି କରି ପାରିବ। ସୂଚନାଯୋଗ୍ୟ ଯେ ପୁରୁଣା ପ୍ରଶିକ୍ଷକ ମଣ୍ଡଳିର ଅଧିକାଂଶ ସହକାରୀ ସଦସ୍ୟଙ୍କୁ ଏମ୍‌ଏସ୍‌କେ ପ୍ରସାଦଙ୍କ ନେତୃତ୍ବାଧୀନ ଜାତୀୟ ଚୟନ ସମିତି ପୁନଃ ନିଯୁକ୍ତି ଦେଇଥିଲା ବେଳେ ବାଙ୍ଗରଙ୍କୁ ସୁଯୋଗ ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର