ସଞ୍ଜୟ ବାଙ୍ଗର ଆର୍‌ସିବିର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ

ବେଙ୍ଗାଲୁରୁ: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ମଙ୍ଗଳବାର ଆସନ୍ତା ୨୦୨୨ ସଂସ୍କରଣ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରିଛି। ଗତ ଫେବ୍ରୁ୍ଆରି ମାସରେ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ବାଙ୍ଗରଙ୍କୁ ଆର୍‌ସିବି ପଦୋନ୍ନତି ଦେଇ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଅର୍ପଣ କରଛି। ବାଙ୍ଗର ଏବେ ଦଳର ଦ୍ବୈତ ଭୂମିକାରେ ଥିବା ମାଇକ୍‌ ହେସନ୍‌ଙ୍କଠୁ ଦାୟିତ୍ବ ଗ୍ରହଣ କରିବେ। ତେବେ ହେସନ ଦଳ ସହ ରହିବେ ଏବଂ ତାଙ୍କର ପୂର୍ବ ଦାୟିତ୍ବ ଡାଇରେକ୍ଟର ଅଫ୍‌ କ୍ରିକେଟ୍‌ ଅପରେସନ୍‌ ତୁଲାଇବେ। ‌କେବଳ ମୁଖ୍ୟ ପ୍ରଶିକ୍ଷକର ଅତିରିକ୍ତ ଦାୟିତ୍ବରୁ ମୁକ୍ତ ହୋଇଛନ୍ତି। ଆଜି ଆମେ ବାଙ୍ଗରଙ୍କୁ ପରବର୍ତୀ ଦୁଇ ବର୍ଷ ପାଇଁ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କଲୁ ବୋଲି ଆରସିବିର ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ହେସନ୍‌ ଭିଡିଓ ପୋଷ୍ଟ କରିଛନ୍ତି।

ବାଙ୍ଗର କହିଛନ୍ତି, ମୁଁ ଦଳର ଅଭିଜ୍ଞ ଓ ଦକ୍ଷ ଖେଳାଳିଙ୍କ ସହ କାର୍ଯ୍ୟ କରିଛି। ଏବେ ଦଳକୁ ପରବର୍ତୀ ସ୍ତରକୁ ନେବା ପାଇଁ ଆଉ ଅପେକ୍ଷା କରିପାରିବିନି ବୋଲି ବ୍ୟାକୁଳତା ପ୍ରକାଶ କରିଛନ୍ତି ବାଙ୍ଗର। ଭାରତ ପାଇଁ ୨୦୦୧ରୁ ୨୦୦୪ ମଧ୍ୟରେ ୧୨ ଟେଷ୍ଟ୍‌ ଏବଂ ୧୫ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବା ବାଙ୍ଗର ୨୦୧୪ରୁ ୫ ବର୍ଷ ପାଇଁ ଭାରତୀୟ ଦଳର ବ୍ୟାଟିଂ ପରାମର୍ଶଦାତା ଦାୟିତ୍ବ ତୁଲାଇଥିଲେ। ବିଶେଷକରି ରବି ଶାସ୍ତ୍ରୀ ଦଳର ନିର୍ଦ୍ଦେଶକ ରହିଥିଲା ବେଳେ ବାଙ୍ଗରଙ୍କୁ ଏହି ସୁଯୋଗ ମିଳିଥିଲା। ଆଇପିଏଲ୍‌ରେ ମଧ୍ୟ ବାଙ୍ଗରଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି। ୨୦୧୦ରେ ସେ କୋଚି ତସ୍କରର ବ୍ୟାଟିଂ ପରାମର୍ଶଦାତା ରହିଥିଲା ବେଳେ ୨୦୧୪ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବର ସହକାରୀ ପ୍ରଶିକ୍ଷକ ଥିଲେ। ସେହି ସଂସ୍କରଣରେ ସେ ଅଷ୍ଟ୍ରେଲୀୟ ତାରକା ଡାରେନ୍‌ ଲେମନ୍‌ଙ୍କଠୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଗ୍ରହଣ କରି ଦଳକୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସହାୟକ ହୋଇଥିଲେ। ତାଙ୍କ ଅଧୀନରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଉପବିଜେତା ହୋଇଥିଲା। ଆଉ ସେହିବର୍ଷ ସେ ଆର୍‌ସିବିର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର