ଇତି ଊଣେଇଶ (ଖେଳ) : ବାପାଙ୍କ ପରେ ପୁଅ

ବିଦାୟୀ ବର୍ଷ ଏକାଧିକ ରାଜ୍ୟ ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା କ୍ରିକେଟ୍ ସଂଘରେ ଆଶୀର୍ବାଦ ବେହେରାଙ୍କ ଯୁଗର ଅବସାନ ଘଟିଥିଲେ ମଧ୍ୟ ତାଙ୍କ ସୁପୁତ୍ର ସଂଜୟ ବେହେରା ନୂଆ ସମ୍ପାଦକ ନିର୍ବାଚିତ ହୋଇଥିଲେ। ପଙ୍କଜ ଲୋଚନ ମହାନ୍ତି ହୋଇଥିଲେ ସଭାପତି। ଓଡ଼ିଶା ରାଇଫଲ୍ ସଂଘରେ ଅନଙ୍ଗ ଉଦୟ ସିଂହଦେଓ-ହରି ପ୍ରସାଦ ପଟ୍ଟନାୟକ, ଓଡ଼ିଶା ଭାରୋତ୍ତୋଳନ ସଂଘରେ ଚିତ୍ତରଂଜନ ସ୍ବାଇଁ-ନାରାୟଣ ସାହୁ, ଓଡ଼ିଶା ଖୋ ଖୋ ସଂଘରେ ନାରାୟଣ ପାତ୍ର-ପ୍ରଦ୍ୟୁମ୍ନ ମିଶ୍ର, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘରେ ସନ୍ଦୀପ ମିଶ୍ର-ସମ୍ବିତ ମହାପାତ୍ର ଯଥାକ୍ରମେ ସଭାପତି ଓ ସମ୍ପାଦକ ନିର୍ବାଚିତ ହୋଇଥିଲେ।

ରାଜେଶ-ବସନ୍ତ ଋତୁ
ଓଡ଼ିଶା କ୍ରିକେଟ୍‌ର ଦଳଗତ ସ୍ଥିତି ତଳମୁହାଁ ହୋଇଥିଲା। ବ୍ୟକ୍ତିଗତ ସ୍ତରରେ କିନ୍ତୁ ମହିଳାମାନେ ଆଗକୁ ବଢ଼ିଯାଇଥିଲେ। ରୀମାଲକ୍ଷ୍ମୀ ଏକ୍କା, ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ, ମାଧୁରୀ ମେହେଟା, ପୁନମ ନାୟକ, ଶ୍ବେତା ବେଉରା, ଶୁଭ୍ରା ସ୍ବାଇଁ, ତରାନ୍ନା ପ୍ରଧାନ ଏକାଧିକ ସୁଯୋଗ ପାଇଥିଲେ। ସୁଶ୍ରୀ ଚାଲେଞ୍ଜର୍ ଟ୍ରଫିରେ ଗ୍ରିନ୍ ଦଳର ନେତୃତ୍ବ ନେଇଥିଲେ। ୧୯ ବର୍ଷରୁ କମ୍ ମହିଳା ଦଳ ଗ୍ରୁପ୍ ବିଜେତା ହୋଇଥିଲେ। ଦୃଷ୍ଟିହୀନ ଦଳ ନଗେଶ ଟ୍ରଫି ଜିତିଥିଲା। ରାଜେଶ ମହାନ୍ତି ବୋର୍ଡ ଏକାଦଶ ଦଳରୁ ଖେଳିବା ସହ ପଦାର୍ପଣ ରଣଜୀ ଋତୁରେ ୪୦ ୱିକେଟ୍‌, ଏମ୍ଆର୍‌ଏଫ୍‌ ପେସ୍‌ ଫାଉଣ୍ଡେସନ୍‌ରେ ପାଇଥିଲେ ସୁଯୋଗ। ଗତବର୍ଷ ଭଳି ନୂଆ ଋତୁରେ ମଧ୍ୟ ବସନ୍ତ ମହାନ୍ତି ଦୁଇ ଥର ୫ ୱିକେଟ୍‌ ସଫଳତା ନେଇ ଓଡ଼ିଶା ବିଜୟର କର୍ଣ୍ଣଧାର ସାଜିଛନ୍ତି। ଦୁଇ ପୂର୍ବତନ ଅଧିନାୟକ ନଟରାଜ ବେହେରା ଏବଂ ହଳଧର ଦାସ ଅବସର ନେଇଥିଲେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ। ଦୂର୍ଗାଦତ୍ତ ଦାଶ ବିସିସିଆଇ ପ୍ୟାନେଲ୍ ଅମ୍ପାୟାର୍‌ ହେବା ବଡ଼ କଥା ଥିଲା।

ଫୁଲୁଛି ଫୁଟ୍‌ବଲ୍‌
ଓଡ଼ିଶାରେ ଫୁଟ୍‌ବଲ୍‌ କ୍ରମେ ପ୍ରାଧାନ୍ୟ ପାଇବାରେ ଲାଗିଛି। ବିଶ୍ବର ସବୁଠୁ ଏହି ଲୋକପ୍ରିୟ ଖେଳର ଏକାଧିକ ପ୍ରମୁଖ ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହୋଇଥିଲା। ଆଇଏସ୍‌ଏଲ୍ ଦଳ ଦିଲ୍ଲୀ ଡାଇନାମସ୍‌ ପାଲଟିଥିଲା ଓଡ଼ିଶା ଏଫ୍‌ସି। କଳିଙ୍ଗ ପଦାର୍ପଣରେ ମଧ୍ୟ ଜିତିଥିଲା ଦଳ। ବ୍ୟକ୍ତିଗତ ଭାବେ ରଂଜନ‌ ସୋରେନ୍‌, ଶିବ ପ୍ରସାଦ, ଟଙ୍କଧର ବାଗ ଖେଳିଥିଲେ ଏଏଫ୍‌ସି ପ୍ରତିଯୋଗିତା। ଗୋଟିଏ ପାଦ ଆଗକୁ ବଢ଼ି ଟଙ୍କଧର ଏଏଫ୍‌ସି ସ୍ବର୍ଣ୍ଣ ବିଜେତା ୧୮ ବର୍ଷରୁ କମ୍‌ ଭାରତୀୟ ଦଳ ସଦସ୍ୟ ଥିଲେ।

ଟେନିସ୍‌ ଟଳିନି
ଟେନିସ୍ କୋର୍ଟରେ ବି ଓଡ଼ିଶା ପିଲାଙ୍କ ସଫଳତା ପଛରେ ପଡ଼ିଯାଇନଥିଲା। ଅଂଶୁ କୁମାର ଭୂୟାଁ, କବିର ହଂସ, କମ‌ଲେଶ ରଥ, ଶିଳ୍ପୀ ସ୍ବରୂପା ଦାଶ, ସୋହିନି ମହାନ୍ତିଙ୍କୁ ମିଳିଥିଲା ଏକାଧିକ ଉଲ୍ଲେଖନୀୟ ସଫଳତା। ଥାଇଲାଣ୍ଡ୍‌ରେ ବିଶ୍ବ ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ ଶୁଭ୍ରାଂଶୁ ଚରଣ ଷଡ଼ଙ୍ଗୀ ନିଜ ଖ୍ୟାତି ବଢ଼ାଇଥିଲେ।

ସମ୍ବନ୍ଧିତ ଖବର