ଡୋପିଂ ମା‌ମଲାରୁ ଚାନୁ ମୁକ୍ତ: କ୍ଷତିପୂରଣ ଦାବି କଲେ

ନୂଆଦିଲ୍ଲୀ : ଭାରତୀୟ ଭାରୋତ୍ତୋଳିକା କେ ସଞ୍ଜିତା ଚାନୁଙ୍କୁ ‌ବୁଧବାର ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲୁଏଫ୍‌) ଡୋପ୍‌ ମାମଲାରୁ ମୁକ୍ତ କରିଛି। ତାଙ୍କଠୁ ସଂଗ୍ରହ ହୋଇଥିବା ନମୂନାରେ ତାଳମେଳ ନଥିବାରୁ ମାମଲାକୁ ଆଇଡବ୍ଲୁଏଫ୍‌ ବନ୍ଦ କରିଦେଇଛି। ହେଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ମିଥ୍ୟା ଡୋପିଂ ମାମଲା ଲାଗି ଆଇଡବ୍ଲୁଏଫ୍‌ଠୁ କ୍ଷମା ପ୍ରାର୍ଥନା ଓ କ୍ଷତିପୂରଣ ଦାବି କରିଛନ୍ତି।

ଆରମ୍ଭରୁ ୨୬ ବର୍ଷୀୟ ଚାନୁ ନିର୍ଦୋଷ ବୋଲି ଦାବି କରିଆସୁଥିଲେ। ଚାନୁ ନିର୍ଦୋଷ ବୋଲି ଆଇଡବ୍ଲୁଏଫ୍‌ର ଆଇନ ପରାମର୍ଶଦାତା ଲିଲା ସାଗିଙ୍କ ସ୍ବାକ୍ଷର ଥିବା ଏକ ଇମେଲ୍‌ ତାଙ୍କ ପାଖକୁ ବୁଧବାର ଆସିଛି। ଏଥି‌ରେ ଲେଖା ରହିଛି ଯେ ବିଶ୍ବ ଡୋପିଂ ନିରୋଧୀ ସଂସ୍ଥାନ୍‌ (ୱାଡା)ର ସୁପାରିସ ଆଧାରରେ ଆଇଡବ୍ଲୁଏଫ୍‌ ଅପଣଙ୍କ ବିରୋଧରେ ମାମଲା ବନ୍ଦ କରିଛି। ଏହି ମେଲ୍‌ ପାଇବା ପରେ ମୁଁ ବହୁତ ଖୁସି। ‌ଅଫିସିଆଲ୍‌ ଭାବେ ଡୋପିଂ ମାମଲାରୁ ମୁକ୍ତ ହୋଇଛି। କିନ୍ତୁ ଏହି ସମୟ ମଧ୍ୟରେ ହୋଇଥିବା କ୍ଷତି ଏବଂ ମୁଁ ଯେଉଁ ମାନସିକ ଯନ୍ତ୍ରଣାରେ ସମୟ ଅତିବାହିତ କରୁଥିଲି ତାହାର ଭରଣା କିଏ କରିବ? ଏଥିପାଇଁ ଆଇଡବ୍ଲୁଏଫ୍‌ ମୋତେ କ୍ଷମା ମାଗିବା ସହ ‌କ୍ଷତିପୂରଣ ଦେଉ ବୋଲି ଏକ ସାକ୍ଷାତକାରରେ ଏହି ମଣିପୁରୀ ଝିଅ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ ନଭେମ୍ବର ୨୦୧୭ରେ ଆମେରିକାରେ ଆୟୋଜିତ ବିଶ୍ବ ଚାମ୍ପିଅନ୍‌ସିପ୍‌ ବେଳେ ଚାନୁଙ୍କ ନମୂନା ପଜେଟିଭ୍‌ ଥିବା ୟୁଏସ୍‌ ଡୋପିଂ ନିରୋଧୀ ସଂସ୍ଥାନ୍‌ (ୟୁଏସ୍‌ଏଡିଏ) ରିପୋର୍ଟ ପାଇଥିଲା। ଏହି ରିପୋର୍ଟକୁ ୟୁଏସ୍‌ଏଡିଏ ଡିସେମ୍ବର ୨୦ ତାରିଖରେ ଅନ୍ତର୍ଜାତୀୟ ବୋର୍ଡକୁ ପ୍ରଦାନ କରିଥିଲା। ୨୦୧୮ରେ ଚାନୁ ଗୋଲ୍‌କୋ‌ଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୫୩ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ମେ’ ୧୫ରେ ତାଙ୍କୁ ‌ବାସନ୍ଦ କରାଯାଇଥିଲା। ‌ସେହିବର୍ଷ ସେପ୍ଟେମ୍ବର ୧୧ରେ ତାଙ୍କର ବି’ ନମୂନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ହେଲେ ଚାନୁଙ୍କଠାରୁ ଗ୍ରହଣ କରାଯାଇଥିବା ୨ଟି ଯାକ ମୂତ୍ର ନମୂନାର ନମ୍ବର ଅଲଗା ଥିଲା। ଏହି ଭୁଲ୍‌କୁ ଆଇଡବ୍ଲୁଏଫ୍‌ ମାନିବା ସହ ମାମଲା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର