କୋହଲିଙ୍କ ସାମ୍ନାରେ ସଞ୍ଜୁ

ଦୁବାଇ: ଆଇପିଏଲ୍ ଇତିହାସର ସଫଳତମ ଦଳ ତଥା ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆତ୍ମବିଶ୍ବାସଭରା ବିଜୟ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିଜୟ ଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି। ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ଆର୍‌ସିବି ସଂପ୍ରତି ୧୦ ମ୍ୟାଚ୍‌ରୁ ୧୨ ପଏଣ୍ଟ ଅର୍ଜନ କରିଛି। ବୁଧବାର ଖେଳିବାକୁ ଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲାକୁ ଜିତି ଏହି ସଂଖ୍ୟାକୁ ଆଗକୁ ବଢ଼ାଇବା ଆଶାରେ ରହିଛି ଆରସିବି। ଅନ୍ୟପକ୍ଷରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସର ପ୍ଲେ ଅଫ୍ ପ୍ରବେଶ ଆଶା କ୍ରମାଗତ ଭା‌ବେ କ୍ଷୀଣ ହେବାରେ ଲାଗିଛି। ଅଧିନାୟକ ସଞ୍ଜୁ ସାମସନଙ୍କ ଛଡ଼ା ଦଳର ଜଣେ ହେଲେ ବି ବ୍ୟାଟର୍‌ ଆଇପିଏଲ୍‌-୨୦୨୧ର ଦ୍ବିତୀୟ ଚରଣରେ ନିଜ କମାଲ ଦେଖାଇ ପାରିନାହାନ୍ତି। ଫଳରେ ଏହି ଦଳ କେତେକ ଜିତିବା ମ୍ୟାଚ୍‌କୁ ହାରି ୧୦ ମ୍ୟାଚ୍‌ରୁ କେବଳ ୮ ପଏଣ୍ଟ ଅର୍ଜନ କରିଛି। ବୁଧବାର ଯଦି ଏହି ଦଳ ଆର୍‌ସିବିଠାରୁ ପରାଜିତ ହୁଏ ତାହାଲେ ଏହି ଦଳର ପ୍ଲେ ଅଫ୍‌କୁ ଯିବା ଆଶା ଆପାତତଃ ଦୂର ହୋଇଯିବ। ଅନ୍ୟପକ୍ଷରେ ଆରସିବି ବିଜୟ ବିରାଟ କୋହଲିଙ୍କ ଏହି ଦଳକୁ ପ୍ଲେ ଅଫ୍‌ର ନିକଟରେ ପହଞ୍ଚାଇ ଦେବ।

ଆଇପିଏଲ୍-୨୦୨୧ର ଦ୍ବିତୀୟ ଚରଣର ପ୍ରଥମ ଦୁଇ ମ୍ୟାଚ୍‌ରେ ଆର୍‌ସିବି ପରାଜିତ ହୋଇଥିଲା। ପ୍ରଥମ ମ୍ୟାଚ୍‌ରେ ଏହି ଦଳ କୋଲକାତା ନାଇଟ୍ ରାଇଡର୍ସଠାରୁ ୯ ୱିକେଟ୍ ଏବଂ ଦ୍ବିତୀୟରେ ଚେନ୍ନାଇ କିଙ୍ଗ୍ସଠାରୁ ୬ ୱିକେଟ୍‌ରେ ପରାଜିତ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ତୃତୀୟ ମୁକାବିଲାରେ କିନ୍ତୁ ଆର୍‌ସିବି ମନୋବଳ ବୃଦ୍ଧିକାରୀ ବିଜୟ ହାସଲ କରିଥିଲା। କୋହଲି ଓ ଦେବଦତ୍ତ ପଡ଼ିକଲଙ୍କ ସହ ଗ୍ଲେନ୍ ମ୍ୟାକ୍ସୱେଲ୍ ମଧ୍ୟ ଭଲ ଫର୍ମରେ ଅଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ହର୍ଷଲ ପଟେଲ ୩ ମ୍ୟାଚ୍‌ରୁ ୬ ୱିକେଟ୍ କରାୟତ୍ତ କରି ସାରିଛନ୍ତି। ୟୁଜବେନ୍ଦ୍ର ଚହଲ ମଧ୍ୟ ଚମତ୍କାର ବୋଲିଂ କରିଛନ୍ତି। ଅବଶ୍ୟ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲର କାଇଲ୍ ଜାମିସନ୍ ଏ ପର୍ଯ୍ୟନ୍ତ ଦକ୍ଷତାମୂଳକ ପ୍ରଦର୍ଶନ ଦେଇ ପାରିନାହାନ୍ତି।

ରାଜସ୍ଥାନ ରୟାଲ୍ସ କିନ୍ତୁ କୌଣସି କ୍ଷେତ୍ରରେ ଆଶାଜନକ ପ୍ରଦର୍ଶନ କରି ପାରିନାହିଁ। ଅଧିନାୟକ ସଞ୍ଜୁ ସାମସନଙ୍କୁ ଯଶସ୍ବୀ ଜୟସ୍ବାଲ କିଛିଟା ସମର୍ଥନ ଦେଇଥି‌ଲେ ମଧ୍ୟ ଅନ୍ୟସମସ୍ତେ ଏକପ୍ରକାର ସଂଘର୍ଷ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ୪ ରନ୍ କରିବା ପରେ ସାମସନ୍ ଲଗାତାର ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲରଙ୍କ ମଧ୍ୟରେ କାର୍ତ୍ତିକ ତ୍ୟାଗୀ, ଚେତନ ସାକାରିଆ ଓ ମୁସ୍ତାଫିଜୁର ରହମାନ ଭଲ କରିଥିଲେ ମଧ୍ୟ ଦଳକୁ ବିଜୟୀ କରାଇ ପାରିନାହାନ୍ତି। ଆରସିବି ଓ ରାଜସ୍ଥାନ ରୟାଲ୍ସ ପରସ୍ପର ବିପକ୍ଷରେ ୨୪ ମ୍ୟାଚ୍ ଖେଳିଛନ୍ତି। ସେଥିମଧ୍ୟରୁ ଆରସିବି ୧୧ ମ୍ୟାଚ୍ ଜିତିଥିଲା ବ‌େଳେ ରାଜସ୍ଥାନ ରୟାଲ୍ସ ୧୦ ମ୍ୟାଚ୍ ଜିତିଛି। ତିନିଟି ମ୍ୟାଚ୍‌ର ଫଳାଫଳ ମିଳିନି।

ସମ୍ଭାବ୍ୟ ଆର୍‌ସିବି: ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପଡ଼ିକଲ୍, ଶ୍ରୀକର ଭରତ, ଗ୍ଲେନ୍ ମ୍ୟାକ୍ସୱେଲ୍, ଏବି ଡି’ଭିଲିୟର୍ସ, ଶାହବାଜ ଅହମ୍ମଦ/ରଜତ ପତିଦାର, ଡାନିଏଲ୍ କ୍ରିଷ୍ଟିଆନ, କାଇଲ ଜାମିସନ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

ସମ୍ଭାବ୍ୟ ରାଜସ୍ଥାନ ରୟାଲ୍ସ: ଏଭିନ ଲୁଇସ୍, ଯଶସ୍ବୀ ଜୟସ୍ବାଲ, ସଞ୍ଜୁ ସାମସନ୍, ଲିୟାମ ଲିଭିଂଷ୍ଟୋନ୍, ମହିପାଲ ଲୋମରର୍, ରିୟାନ ପରାଗ, ରାହୁଲ ତିୱାତିଆ, କ୍ରିସ୍ ମୋରିସ୍, ଚେତନ ସାକାରିଆ, ଜୟଦେବ ଉନାଦକଟ୍, ମୁସ୍ତାଫିଜୁର ରେହମାନ।

ସମ୍ବନ୍ଧିତ ଖବର