ମୁମ୍ବାଇ : ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଶ୍ରୀଲଙ୍କା ବିରୁଦ୍ଧ ୨ୟ ଟି-୨୦ ନ ଖେଳିବାର ଆଶଙ୍କା ରହିଛି । ପ୍ରଥମ ଟି-୨୦ରେ ସେ ଆହତ ହେବା ପରେ ସେ ଟିମ ସହିତ ପୁଣେ ଯାତ୍ରା କରିନାହାନ୍ତି । ଚିକିତ୍ସା ପାଇଁ ସେ ମୁମ୍ବାଇରେ ଅଛନ୍ତି ।

Advertisment

ପ୍ରଥମ ଟି-୨୦ରେ ଫିଲଡିଂ କଲାବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଓପନର ପ୍ରଥୁମ ନିଶଙ୍କାଙ୍କ ଏକ କ୍ୟାଚ ନେବାକୁ ଯାଇ ସେ ପଡ଼ିଯିବାରୁ ଆଣ୍ଠୁରେ ଆଘାତ ଲାଗିଥିଲା । ଉକ୍ତ କ୍ୟାଚକୁ ବି ସେ ନେଇପାରିନଥିଲେ । ତେବେ ଆଘାତ ସତ୍ତ୍ବେ ସେ ମ୍ୟାଚରେ ଫିଲଡିଂ ଜାରି ରଖିଥିଲେ । ମ୍ୟାଚ ପରେ ସେ ଆଣ୍ଠୁରେ ଫୁଲା ଅନୁଭବ କରିଥିଲେ । ଫଳରେ ସ୍କାନିଂ ଓ ଡାକ୍ତରୀ ପରାମର୍ଶ ପାଇଁ ସେ ମୁମ୍ବାଇରେ ହିଁ ଅଛନ୍ତି ।

ପ୍ରଥମ ଟି-୨୦ରେ ସେ ମାତ୍ର ୫ ରନରେ ଆଉଟ ହୋଇଥିଲେ ବି ୨ୟ ଟି-୨୦ପାଇଁ  ସେ ଟିମରେ ସ୍ଥାନ ପାଇବାର ସମ୍ଭାବନା ରହିଥିଲା । କିନ୍ତୁ ଆହତ ହେବାରୁ ସେ ବାଦ ପଡ଼ିବା ନିଶ୍ଚିତ ହୋଇଯାଇଛି ।

ଶ୍ରୀଲଙ୍କା ଦଳ ନିଜର ଏହି ଭାରତୀୟ ଗସ୍ତରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ ଖେଳିବ । ୨ୟ ଟି-୨୦ ଆସନ୍ତା ୫ ତାରିଖରେ ପୁନେଠାରେ ଓ ୩ୟ ଟି-୨୦  ୭ ତାରିଖରେ ରାଜକୋଟରେ ଖେଳାଯିବ । ସେହିପରି ୧୦ ତାରିଖରେ ପ୍ରଥମ ଦିନିକିଆ ଗୁଆହାଟୀଠାରେ, ୧୨ ତାରିଖରେ ୨ୟ ଦିନିକିଆ କୋଲକାତାରେ ଓ ୧୫ ତାରିଖରେ ୩ୟ ଦିନିକିଆ ତିରୁଅନନ୍ତପୁରମଠାରେ ଖେଳାଯିବ ।