ଭାରତୀୟ ୱିକେଟ୍ ରକ୍ଷକ ସଞ୍ଜୁ ସାମ୍‌ସନ୍ କେବଳ ଭଲ କ୍ରିକେଟ୍ ଖେଳିପାରନ୍ତି ନାହିଁ, ସେ ମଧ୍ୟ ସୁମଧୁର ସ୍ବରରେ ଗୀତ ଗାଇ ପାରନ୍ତି। ଏହାର ଝଲକ ଇଂଲଣ୍ଡ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ମୁକାବିଲା ପୂର୍ବରୁ ଦେଇଛନ୍ତି ସେ। ଗତ ସୋମବାର ଭାରତୀୟ ଖେଳାଳିମାନେ ରାତ୍ରଭୋଜନ କରୁଥିଲା ବେଳେ ସଞ୍ଜୁ ବଲିଉଡ୍ ହିଟ୍ ନମ୍ବର ଗାଇବା ଥିଲା ଏହାର ମୁଖ୍ୟ ଆକର୍ଷଣ। ଏହି ଅବସରରେ ସେ ୧୯୯୧ ମସିହାରେ ମୁକ୍ତିଲାଭ କରିଥିବା ସୁପରଷ୍ଟାର୍ ଅମିର ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜୋ ଜିତା ୱହି ସିକନ୍ଦର’ର ଲୋକପ୍ରିୟ ଗୀତ ‘ପେହ୍‌ଲା ନଶା’ ଗାଇଥିଲେ। ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟର ମଧ୍ୟ ତାଙ୍କ ସ୍ବର ସହ ସ୍ବର ମିଳାଇଥିଲେ। ଉଭୟଙ୍କ ଯୁଗଳବନ୍ଦୀକୁ ଭାରତୀୟ ଖେଳାଳିମାନେ ବେଶ୍ ପସନ୍ଦ କରିଥିଲେ।

Advertisment

ଅଭିଷେକଙ୍କ ସହ ଗୀତ ଗାଉଥିବାର ଭିଡିଓ ସଞ୍ଜୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ପ୍ରକାଶ କରିଥିଲେ। ଥଟ୍ଟାମଜାରେ ମୁମ୍ବାଇ ଯାଇ ବଲିଉଡ୍‌ରେ ଗୀତ ଗାଇବା ଆରମ୍ଭ କରିବେ କି? ବୋଲି ପ୍ରଶଂସକଙ୍କୁ ପଚାରି ଥିଲେ। ବହୁ ପ୍ରଶଂସକ ବିଭିନ୍ନ ମଜାଦାର କଥା ଲେଖିଥିଲେ। ତେବେ ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ୟାଦବ ରଖିଥିବା ଉତ୍ତର ସବୁଠୁ ଅଧିକ ଚର୍ଚ୍ଚିତ ‌ହୋଇଥିଲା। ଭାରତୀୟ ଦଳର ପରବର୍ତ୍ତୀ ମ୍ୟାଚ୍‌କୁ ଦୃଷ୍ଟିରେ ରଖି ସୂର୍ଯ୍ୟ ଲେଖିଥିଲେ, ତୁମେ କେବଳ ଚେନ୍ନାଇ, ରାଜକୋଟ ଓ ପୁ‌ଣେ ପରେ ମୁମ୍ବାଇ ଯାଇପାରିବ। ସୂଚନାଯୋଗ୍ୟ ଯେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବୁଧବାର କୋଲକାତାରେ ଖେଳାଯିବ। ଏହା ପରେ ଚେନ୍ନାଇ, ରାଜକୋଟ, ପୁଣେ ଓ ମୁମ୍ବାଇରେ ପରବର୍ତ୍ତୀ ଚାରିଟି ମ୍ୟାଚ୍ ଆୟୋଜିତ ହେବ।