ଶ୍ରୀଲଙ୍କା ବିସ୍ଫୋରଣରୁ ଅଳ୍ପକେ ବର୍ତିଥିଲେ ସନକା

ନିଗମ୍ବୋ: ଶ୍ରୀଲଙ୍କାରେ ହୋଇଥିବା ଭୟାବହ ସିରିଜ୍ ବୋମା ବିସ୍ଫୋରଣରୁ ଅଳ୍ପକେ ବର୍ତି ଯାଇଥିଲେ ସେଠାକାର ଅନ୍ତର୍ଜାତୀୟ କ୍ରିକେଟର ଦାସୁନ ସନକା। ଗତ ରବିବାର ଇଷ୍ଟର ଅବସରରେ ହୋଇଥିବା ଏହି ଆତ୍ମଘାତୀ ‌ବୋମା ବିସ୍ଫୋରଣରେ ଜୀବନ ବଞ୍ଚି ଯାଇଥିବା ହାତଗଣତି ଭାଗ୍ୟଶାଳୀ ଲୋକଙ୍କ ମଧ୍ୟରୁ‌ ସେ ଅନ୍ୟତମ। ଏହି ମର୍ମନ୍ତୁଦ ଘଟଣା ପରେ ସନକା ମାନସିକ ସ୍ତରରେ ପୂରା ଦୋହଲି ଯାଇଥିଲା ବେଳେ ବାହା‌ରକୁ ବାହରିବାକୁ ବି ଡରୁଛନ୍ତି। ରବିବାର ଇଷ୍ଟର ଥିବାରୁ ସନକା ଅନୁରାଧାପୁରରୁ ଶନିବାର ସଂଧ୍ୟାରେ ନିଜ ସହର ନିଗମ୍ବୋକୁ ଯାତ୍ରା କରିଥିଲେ। ରବିବାର ସକାଳେ ତାଙ୍କୁ ସ୍ଥାନୀୟ ସେଣ୍ଟ ସେବାସ୍ତିଆନ ଚର୍ଚକୁ ପ୍ରାର୍ଥନା କରିବାକୁ ଯିବାର ଥିଲା। ଏପରିକି ପରିବାର ସହ ଚର୍ଚ ଯିବା ଲାଗି ଦୀର୍ଘ ୧୭୦ କିଲୋମିଟର ପଥ ଯାତ୍ରା କରି ସଠିକ୍ ସମୟରେ ସେ ନିଜ ଘରେ ପହଞ୍ଚି ଯାଇଥି‌ଲେ। ହେଲେ ମାତ୍ରାଧିକ ହାଲିଆ ହୋଇ ଯାଇଥିବାରୁ ନିର୍ଧାରିତ ସମୟରେ ଚର୍ଚ ଯାଇ ପାରି ନଥିଲେ। କେବଳ ତାଙ୍କ ମା’ ଓ ଜେଜେ ମା’ ଚର୍ଚ ଯାଇଥିଲେ। ଏଥିଲାଗି କିନ୍ତୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା। ବିସ୍ଫୋରଣର ଶବ୍ଦ ଶୁଣି ସେଠାକୁ ଯାଇଥିବା ସନକା ନିଜ ମା’ଙ୍କୁ ସେ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଜେଜେ ମା’ ଗୁରୁତର ଆହତ ହୋଇଥିଲେ। ଏହି ଲୋମଟାଙ୍କୁରା ଘଟଣା ବିଷୟରେ ବର୍ଣ୍ଣନା କରିବାକୁ ଯାଇ ସନକା କହିଛନ୍ତି ଯେ ସେଦିନ ସକାଳେ ମୁଁ ଘରେ ଥିଲି। ହଠାତ୍ ଖୁବ ଜୋରରେ ବାଣ ଫୁଟିବା ଭଳି ଶବ୍ଦ ଶୁଣିବାକୁ ପାଇଥିଲି। ଚର୍ଚରେ ବୋମା ବିସ୍ଫୋରଣ ହୋଇଛି ବୋଲି ଆଖପାଖ ଲୋକ ଭୟ ଓ ଆତଙ୍କରେ ଚିତ୍କାର କରିଥିଲେ। ଫଳରେ ମୁଁ ସେଠାକୁ ତୁରନ୍ତ ଚାଲି ଯାଇଥିଲି। ପ୍ରଥମେ ମା’ ଓ ଜେଜେ ମା’ଙ୍କୁ ଖୋଜିଥିଲି। ମା’ଙ୍କୁ ପାଇବା ପରେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲି। ଜେଜେ ମା’ ଭିତରେ ଥିବା ଜାଣି ମୋ ଛାତି ଥରି ଉଠିଥିଲା। ତାଙ୍କୁ କିଛି ସମୟ ପରେ ପାଇଥିଲି। ଜେଜେ ମା’ଙ୍କ ମୁଣ୍ଡରେ କୌଣସି ଏକ ଧାରୁଆ ଜିନିଷ ବାଜିଥିବାରୁ ସେ ତଳେ ପଡ଼ି ଯାଇଥିଲେ। ଡାକ୍ତରଖାନା ନେବା ପରେ ତାଙ୍କର ଅସ୍ତ୍ରୋପଚାର ଦରକାର ପଡ଼ିଥିଲା।

ତେବେ ଚର୍ଚରେ ମୁଁ ଯେଉଁ ଦୃଶ୍ୟ ଦେଖିଥିଲି ତାକୁ ଶବ୍ଦରେ ବଣ୍ଣର୍ନା କରିବା ସମ୍ଭବ ନୁହେଁ। ଚର୍ଚ ସଂପୂର୍ଣ୍ଣ ଧ୍ବଂସ ପାଇ ଯାଇଥିଲା। ବିସ୍ଫୋରଣରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ କ୍ଷତ ବିକ୍ଷତ ଶରୀର ଏଣେ ତେଣେ ପଡ଼ି ରହିଥିଲା। ପ୍ରାଣ ବିକଳରେ ଲୋକମାନେ ଦୌଡ଼ା ଦୌଡ଼ି କରୁଥିଲେ। ସେସବୁ ଦେଖିବା ମୋ ପାଇଁ ଆଦୗ ସହଜ ନଥିଲା। ଚର୍ଚ ଭିତରେ ଥିବା ଜଣେ ହେଲେ ବି ଲୋକ ବଞ୍ଚି ଯାଇଥିବା ଭଳି ଲାଗୁ ନଥିଲା। ବିସ୍ଫୋରଣର ମାତ୍ରା ଏତେ ଜୋର୍‌ ଥିଲା ଯେ କେବଳ ଚର୍ଚରେ ପ୍ରାର୍ଥନା କରିବାକୁ ଆସିଥିବା ‌ଲୋକ ନୁ‌େହଁ ଆଖ ପାଖରେ ରହୁଥିବା ‌ଲୋକମାନେ ମଧ୍ୟ ଆହତ ହୋଇଥିଲେ। ସନକାଙ୍କ ମା’ ଏବଂ ଜେଜେ ମା’ ମଧ୍ୟ ଇଷ୍ଟର ପାଇଁ ଚର୍ଚ ଯାଇଥିଲେ। ଶ୍ରୀଲଙ୍କା ପକ୍ଷରୁ ତିନିଟି ଟେଷ୍ଟ, ୧୯ ଦିନିକିଆ ଓ ୨୭ ଟ୍ବେଣ୍ଟି-୨୦ ଖେଳିଥିବା ସନକାଙ୍କ ପିଲା ବେଳ ନିଗମ୍ବୋ ସହରରେ କଟିଛି। ମୁଁ ସେହି ଦୃଶ୍ୟକୁ ଭୁଲି ପାରିବି ନାହିଁ। ନିଗମ୍ବୋ ଏକ ଶାନ୍ତିପ୍ରିୟ ସହର। ମୁଁ ଏଠାରେ କେବେ ବି କୌଣସି ଜାତିଆଣ ସଂଘର୍ଷ ଦେଖିନାହିଁ। ଏବେ ମୋତେ ବାହାରକୁ ଯିବାକୁ ବି ଡର ଲାଗୁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଏହି ବୋମା ବିସ୍ଫୋରଣରେ ପ୍ରାୟ ୩୨୦ ଲୋକ ମୃତ୍ୟୁ ବରଣ କରିଥିଲା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି। କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ଏହାର ଦାୟିତ୍ବ ନେଇଛି।

ସମ୍ବନ୍ଧିତ ଖବର