ଚାଲିଗଲେ ଚୁନ୍ନି, ଓଡ଼ିଶା ବିପକ୍ଷରେ ଖେଳିଥିଲେ ସନ୍ତୋଷ ଟ୍ରଫି, ରଣଜୀ ଟ୍ରଫି

ଏସିଆ ଶ୍ରେଷ୍ଠ, ମୋହନ ବାଗାନ ରତ୍ନ, କ୍ରିକେଟ୍ ପଡ଼ିଆରେ ବି କରିଥିଲେ କମାଲ

କୋଲକାତା: ଦୁଇ ଦିନରେ ଦୁଇ ଜଣ ପ୍ରସିଦ୍ଧ ଅଭିନେତା ଇର୍ଫାନ୍ ଖାନ୍ ଓ ରିଷି କାପୁରଙ୍କ ନିଧନ ଖବର ସମଗ୍ର ଭାରତ ବର୍ଷରେ ଶୋକର ଛାୟା ଖେଳାଇ ଦେଇଥିଲା ବେଳେ କ୍ରୀଡ଼ା ଜଗତରୁ ମଧ୍ୟ ଆଉ ଏକ ଦୁଃଖଦ ଖବର ଆସିଛି। ଭାରତୀୟ ଫୁଟ୍‌ବଲ୍ ଜଗତର ମହାନତମ ତାରକା ତଥା କିବଂଦନ୍ତି ଫୁଟବଲର୍‌ ଚୁନ୍ନି ଗୋସ୍ବାମୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ବାର୍ଦ୍ଧକ୍ୟଜନିତ ସମସ୍ୟା ସହ ଲଢ଼ୁଥିବା ଏହି କ୍ରୀଡ଼ା କିଂବଦନ୍ତିଙ୍କର ଏକ ବଡ଼ ଧରଣର ହୃଦଘାତ ହେବା ପରେ ସ୍ଥାନୀୟ ଏକ ଡାକ୍ତରଖାନାରେ ଗୁରୁବାର ସଂଧ୍ୟା ୫ଟାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ଆଣ୍ଠୁଗଣ୍ଠି ବାତ ସହ ସର୍କରା ଓ ସ୍ନାୟୁ ରୋଗରେ ପୀଡ଼ିତ ହୋଇ ଦୀର୍ଘଦିନ ହେବ ଶ୍ରୀ ଗୋସ୍ବାମୀ ଚିକିତ୍ସିତ ‌ହେଉଥିଲେ। ମୃତ୍ୟୁ ବେଳକୁ ପତ୍ନୀ ବାସନ୍ତୀ ଓ ପୁଅ ସୁଦୀପ୍ତ ଉପସ୍ଥିତ ଥିଲେ। ୫୦ରୁ ୭୦ ଦଶକକୁ ଭାରତୀୟ ଫୁଟ୍‌ବଲର ସ୍ବର୍ଣ୍ଣିମ ଯୁଗ କୁହାଯାଉଥିଲା ବେଳେ ଚୁନ୍ନି ସେହି ସମୟରେ ଜାଜ୍ଜୁଲ୍ୟମାନ ତାରକା ଥିଲେ। ତାଙ୍କ ନେତୃତ୍ବରେ ଭାରତ ୧୯୬୨ ଏସୀୟ କ୍ରୀଡ଼ା‌ରେ ସ୍ବର୍ଣ୍ଣ ପଦକ ଜିତିବାର ଐତିହାସିକ ସଫଳତା ଲାଭ କରିଥିଲା।

ଅବିଭାଜିତ ବେଙ୍ଗଲର କିଶୋରଗଞ୍ଜ ଜିଲ୍ଲା (ସଂପ୍ରତି ଏହା ବାଂଲାଦେଶରେ ଅବସ୍ଥିତ)ରେ ଜନ୍ମଗ୍ରହଣ କରିଥିବା ଚୁନ୍ନି ଗୋସ୍ବାମୀଙ୍କ ପ୍ରକୃତ ନାଁ ହେଉଛି ସୁବିମଲ। ହେଲେ ସେ ନିଜ ଡାକ ନାଁରେ ଅଧିକ ପରିଚିତ ଥିଲେ। ୧୯୫୬ରୁ ୧୯୭୪ ମସିହା ମଧ୍ୟରେ ଚୁନ୍ନି ଭାରତ ପକ୍ଷରୁ ୫୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ମଧ୍ୟ ରୋମ୍ ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଲାଭ କରିଥିଲେ। ୧୯୬୨ରେ ନିଜ ବଳିଷ୍ଠ ନେତୃତ୍ବ ବଳରେ ଭାରତକୁ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତାଇବା ସହ ଇସ୍ରାଏଲରେ ୧୯୬୪ରେ ଆୟୋଜିତ ହୋଇଥିବା ଏସିଆ କପ୍‌ରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ୧୯୬୨ ମସିହାରେ ତାଙ୍କୁ ଏସିଆର ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି ପୁରସ୍କାର ମିଳିଥିଲା। ଭାରତୀୟ ଫୁଟ୍‌ବଲ୍ ପାଇଁ ଦେଇଥିବା ସେବା ଲାଗି ୧୯୬୩ରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ୧୯୮୩ ମସିହାରେ ସେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ବିଭୂଷିତ ହୋଇଥିଲେ। ଗତ ଜାନୁଆରି ମାସରେ ତାଙ୍କ ୮୨ତମ ଜନ୍ମଦିବସ ଅବସରରେ ଭାରତୀୟ ଡାକ ବିଭାଗ ତାଙ୍କ ସମ୍ମାନରେ ସ୍ବତନ୍ତ୍ର ଡାକଟିକେଟ ଜାରି କରିଥିଲା। ନିଜ ଜାଜ୍ଜୁଲ୍ୟମାନ ଫୁଟବଲ୍ ଜୀବନ ଭିତରେ ଗୋସ୍ବାମୀ କେବଳ ଗୋଟିଏ ଦଳ ‘ମୋହନ ବାଗାନ’ ପକ୍ଷରୁ ଖେଳିଥିଲେ। ୧୯୬୮ ମସିହାରେ ସେ ଫୁଟବଲରୁ ଅବସର ଘୋଷଣା କରିଥିଲେ। ୧୯୬୦ରୁ ୬୪ ମଧ୍ୟରେ ଲଗାତାର ପାଞ୍ଚଟି ଋତୁରେ ସେ ମୋହନ ବାଗାନ ଦଳର ନେତୃତ୍ବ ନେଇଥିଲେ। ୨୦୦୫ ମସିହାରେ ତାଙ୍କୁ ‌ଜୀବନ ବ୍ୟାପି ସେବା ଲାଗି ‘ମୋହନ ବାଗାନ ରତ୍ନ’ ପୁରସ୍କାର ମିଳିଥିଲା। ୧୯୫୬ ମସିହାରେ ଚାଇନିଜ୍ ଅଲିମ୍ପିକ୍ସ ଦଳ ବିପକ୍ଷରେ ଭାରତର ୧-୦ ବିଜୟରେ ‌ଗୋସ୍ବାମୀ ନିଜ ଅନ୍ତର୍ଜାତୀୟ ଫୁଟବଲ୍ ଜୀବନ ଆରମ୍ଭ କରିଥିଲେ।

କ୍ରିକେଟ୍ ପଡ଼ିଆରେ ବି କରିଥିଲେ କମାଲ
ଚୁନ୍ନି ଗୋସ୍ବାମୀ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। କେବଳ ଫୁଟବଲ୍ ନୁହେଁ, କ୍ରିକେଟ୍ ପଡ଼ିଆରେ ମଧ୍ୟ ସେ ନିଜ ଯାଦୁ ଦେଖାଇଥିଲେ। ୧୯୩୮ ମସିହା ଜାନୁଆରି ୧୫ ତାରିଖରେ ଜନ୍ମଗ୍ରହଣ କରିଥିବା ଗୋସ୍ବାମୀ ଫୁଟବଲ୍ ପଡ଼ିଆରେ ସକ୍ରିୟ ଥିଲା ବେଳେ ବେଙ୍ଗଲ ପକ୍ଷରୁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ୧୯୬୨-୬୩ ଋତୁରେ ସେ ବେଙ୍ଗଲ ପକ୍ଷରୁ ରଣଜୀ ପଦାର୍ପଣ କରିଥିଲେ। ଡାହାଣ ହାତୀ ବ୍ୟାଟିଂ କରିବା ସହ ସେ ଜଣେ ଡାହାଣହାତୀ ମଧ୍ୟମଗତି ବୋଲର ମଧ୍ୟ ଥିଲେ। ଫୁଟବଲରୁ ଅବସର ନେବା ପରେ କ୍ରିକେଟ୍ ଉପରେ ସେ ସଂପୂର୍ଣ୍ଣ ମନୋନିବେଶ କରିଥିଲେ। ୧୯୭୨ ମସିହାରେ ତାଙ୍କ ନେତୃତ୍ବରେ ବେଙ୍ଗଲ ରଣଜୀ ଟ୍ରଫି ଫାଇନାଲରେ ପ୍ରବେଶ କରିଥିଲା। ୧୯୭୩ ମସିହା ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍‌ରେ ସକ୍ରିୟ ଥିବା ଗୋସ୍ବାମୀ ମୋଟ ୪୬ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ସେଥିମଧ୍ୟରେ ସେ ୧୫୯୨ ରନ୍ କରିବା ସହ ୪୭ ୱିକେଟ୍ କରାୟତ୍ତ କରିଥିଲେ। ଗୋସ୍ବାମୀ ଗୋଟିଏ ଶତକ ମାରିବା ସହ ୭ ଅର୍ଧଶତକର ଅଧିକାରୀ ହୋଇ ପାରିଥିଲେ। ୪୭ ରନ୍ ଦେଇ ୫ ୱିକେଟ୍ ନେବା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଥିଲା।

ଭୁବନେଶ୍ବର: ଚୁନ୍ନି ଗୋସ୍ବାମୀଙ୍କ ପ୍ରଦର୍ଶନ ଓ ପ୍ରତିଭାର ଭରପୁର ଫାଇଦା ବି ପାଇଥିଲେ ଓଡ଼ିଶା ଖେଳାଳି। ସାଠିଏ ଓ ସତୁରୀ ଦଶକରେ ଓଡ଼ିଶା ବିପକ୍ଷରେ ଗୋସ୍ବାମୀ ମଧ୍ୟ ଅନେକ ମ୍ୟାଚ୍‌ ଖେଳିଥିଲେ ଉଭୟ ସନ୍ତୋଷ ଟ୍ରଫି ଏବଂ ରଣଜୀ ଟ୍ରଫିରେ। ସନ୍ତୋଷ ଟ୍ରଫିରେ ୧୯୬୨ ମସିହାରେ ଖଡ଼ଗପୁରଠାରେ ଅବଦୁଲ ଜବାର (ଗିଟୁବାବୁ)ଙ୍କ ନେତୃତ୍ବାଧୀନ ଓଡ଼ିଶା ଦଳ ଚୁନ୍ନି ଗୋସ୍ବାମୀଙ୍କ ବେଙ୍ଗଲ ଦଳ ବିପକ୍ଷରେ ଖେଳି ୦-୮ରେ ହାରିଥିଲା। ଏହା ପୂର୍ବରୁ ୧୯୫୪ରେ ଚେନ୍ନାଇରେ ଅନ୍ୟତମ ମହାନ ଫୁଟ୍‌ବଲର୍‌ ଶୈଲେନ ମାନ୍ନାଙ୍କ ନେତୃତ୍ବାଧୀନ ବେଙ୍ଗଲ ବିପକ୍ଷରେ ଅବଦୁଲ ମଜିଦ୍ (ବଚନ)ଙ୍କ ଓଡ଼ିଶା ଦଳ ୦-୧ରେ ହାରିଥିଲା। ମାନ୍ନାଙ୍କ ଦଳରେ ଥିଲେ ସେଦିନର ଯୁବ ପ୍ରତିଭା ଚୁନ୍ନି ଗୋସ୍ବାମୀ। ଏହା ବାଦ୍ ରଣଜୀ ଟ୍ରଫିରେ ବି ସେ ବେଙ୍ଗଲ ଓ ପୂର୍ବାଞ୍ଚଳ ଦଳରୁ ପ୍ରତିନିଧିତ୍ବ ବେଳେ ବହୁ ଓଡ଼ିଶା ଖେଳାଳିଙ୍କ ଶଂସ୍ପର୍ଷରେ ଆସିଥିଲେ। ଓଡ଼ିଶା ରଣୀ ଦଳର ପୂର୍ବତନ ଅଧିନାୟକ ଅଶୋକାନନ୍ଦ ଜେନା ତାଙ୍କ ସ୍ମୃତି ଚାରଣ କରି କହିଛନ୍ତି ‘ଗୋଟିଏ ମ୍ୟାଚ୍‌ରେ ମୁଁ ୯୫* ରନ୍‌ରେ ଅପରାଜିତ ଥିବାବେଳେ ଓଡ଼ିଶା ଅଲ୍ ଆଉଟ୍ ହୋଇଯିବାରୁ ନିରାଶ ହୋଇଥିଲି। ସେ ଆସି କହିଥିଲେ ‘ଚିନ୍ତା କରନି ଅଶୋକ, ତୁମ ପାଳି ୨୦୦ ରନ୍ ସହ ସମାନ’। ସେ ଜଣେ ବାସ୍ତବରେ ଭଲ ଅଲରାଉଣ୍ଡର୍‌ ଓ ଭଲ ମଣିଷ ଥିଲେ। ହସ ଖୁସି ମିଜାଜର ଥିଲେ ବୋଲି ପ୍ରକାଶ କରିଥିଲେ ଅଶୋକବାବୁ। ଚୁନ୍ନି ଗୋସ୍ବାମୀଙ୍କ ଅନ୍ୟତମ ସମସାମୟିକ ଓଡ଼ିଆ କ୍ରିକେଟର୍‌ ଥିଲେ ବିକ୍ରମ ମହାନ୍ତି। ‘ସେ ଜଣେ ଉତ୍କୃଷ୍ଟ କ୍ରିକେଟର୍‌ ଓ ଧୂରନ୍ଧର କ୍ଷେତ୍ରରକ୍ଷକ ବି ଥିଲେ। ଇଡେନ୍ ଗାର୍ଡେନ୍‌ରେ ଓଡ଼ିଶା ବିପକ୍ଷ ଏକ ମ୍ୟାଚ୍‌ରେ ଆମେ ପାଳି ଅଗ୍ରଣୀ ନେଇ ହାରିଯାଇଥିଲୁ। ସେ ମ୍ୟାଚ୍‌ରେ ଆଦିତ୍ୟ ମହାନ୍ତି ୬ ୱିକେଟ୍ ନେଇଥିଲେ ଏବଂ ମୁଁ ୩ କ୍ୟାଚ୍ ନେବା କଥା ଏବେ ବି ମନେ ଅଛି’ ବୋଲି କହିଥିଲେ ଶ୍ରୀ ମହାନ୍ତି। ଓଡ଼ିଶାକୁ କିନ୍ତୁ ଶେଷ ଥର ପାଇଁ ଶ୍ରୀ ଗୋସ୍ବାମୀ ୨୦୧୨ ମସିହାରେ ଆସିଥିଲେ। ୟୁନିଟ୍‌-୬ କ୍ରୀଡ଼ା ସଂଘର ରୌପ୍ୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଫୁଟ୍‌ବଲ୍‌ ବିକାଶ ସମ୍ପର୍କିତ ଏକ କର୍ମଶାଳାରେ ନିଜ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ‘ସମ୍ବାଦ’କୁ ମଧ୍ୟ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଥିଲେ ଏହି ମହାନ ଫୁଟ୍‌ବଲର୍‌ ଓ କ୍ରିକେଟର୍‌। ୟୁନିଟ୍‌ -୬ କ୍ରୀଡ଼ା ସଂଘ ପକ୍ଷରୁ ସମ୍ପାଦକ ଦିଲୀପ ଦାସ, ଉପ ସଭାପତି ତଥା ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ପ୍ରଫୁଲ୍ଲ ମିଶ୍ର ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର