କଟକ: କଳିଙ୍ଗ ଷ୍ଟାଡିୟମରେ ସନ୍ତୋଷ ଟ୍ରଫି ପୂର୍ବାଞ୍ଚଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ବୁଧବାରଠୁ ଆରମ୍ଭ ହୋଇଛି। ଓଡ଼ିଶା ଖେଳିଥିବା ପ୍ରଥମ ମ୍ୟାଚ୍ରେ ବିହାରକୁ ୫-୦ ଗୋଲରେ ପରାସ୍ତ କରିଛି। ମ୍ୟାଚ୍ର ସପ୍ତମ ଓ ୭୧ତମ ମିନିଟ୍ରେ ଚନ୍ଦ୍ର ମୁଦୁଲି ଦୁଇଟି ଗୋଲ୍ ଦେଇଥିଲା ବେଳେ ୩୭ ମିନିଟ୍ରେ ସେକ୍ ଫରିଦ୍, ୫୬ ମିନିଟ୍ରେ ରୁଦ୍ର ପ୍ରସାଦ ପ୍ରଧାନ, ୮୫ ମିନିଟ୍ରେ କାର୍ତ୍ତିକ ହନ୍ତାଳ ଗୋଲ୍ ଦେଇ ଦଳକୁ ଜିତାଇଥିଲେ।
ଦୁଇଟି ଗୋଲ୍ ଦେଇଥିବା ଚନ୍ଦ୍ର ମୁଦୁଲିଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଭାବେ ଫାଓର ଉପସଭାପତି ବିଜୟ ଦାସ ପୁରସ୍କୃତ କରିଥିଲେ। ଓଡ଼ିଶା ଶେଷ ମ୍ୟାଚ୍ ଆସନ୍ତା ୫ ତାରିଖରେ ଝାଡ଼ଖଣ୍ଡ ବିପକ୍ଷରେ ଖେଳିବ। ଉଦ୍ଘାଟନୀ ସମୟରେ କ୍ରୀଡ଼ା ସଚିବ ଆର୍.ଭିନିଲ କ୍ରୀଷ୍ଣା ଓ ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗଦେଇଥିଲେ।
ବରିଷ୍ଠ ମହିଳା ଫୁଟ୍ବଲ୍ରେ ଓଡ଼ିଶା ବିଜୟୀ : ଶୁଭଦ୍ରା ଓ ସତ୍ୟବାଦୀଙ୍କ ହ୍ୟାଟ୍ରିକ୍
କଟକ: କେରଳର କୋଜିକୋଡଠାରେ ଚାଲିଥିବା ବରିଷ୍ଠ ମହିଳା ଫୁଟ୍ବଲ୍ ପ୍ରତିଯୋଗିତାରେ ଓଡ଼ିଶା ୭-୦ ଗୋଲ୍ରେ ଗୁଜରାଟକୁ ପରାସ୍ତ କରିଛି। ଏଥିପୂର୍ବରୁ ଗତ ୨୮ ତାରିଖରେ ଓଡ଼ିଶା ୯-୦ ଗୋଲ୍ରେ ଆନ୍ଧ୍ରପ୍ରଦେଶକୁ ହରାଇଥିଲା। ମଙ୍ଗଳବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ୨୨, ୨୩ ଓ ୩୮ ତମ ମିନିଟ୍ରେ ଶୁଭଦ୍ରା ସାହୁ ଏବଂ ୨୫, ୨୮, ୪୬ ମିନିଟ୍ରେ ସତ୍ୟବାଦୀ ଖଡ଼ିଆ ତିନିଟି ଲେଖାଏଁ ଗୋଲ୍ ଦେଇ ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ୪୮ ମିନିଟ୍ରେ ସୁମନ ପ୍ରଜ୍ଞା ମହାପାତ୍ର ଗୋଟିଏ ଗୋଲ୍ ଦେଇଥିଲେ। ଶୁଭଦ୍ରାଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଗୁରୁବାର ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ରେ ହରିଆଣାକୁ ଭେଟିବ।