ଭୁବନେଶ୍ବର: ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ୍ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟ (ସେମିଫାଇନାଲ୍ ଓ ଫାଇନାଲ୍‌) ଖେଳିବାକୁ ସାଉଦି ଆରବର ରିୟାଦ ପହଞ୍ଚିଛନ୍ତି ୪ ଦଳ-ପଞ୍ଜାବ, ସର୍ଭିସେସ୍‌, କର୍ଣ୍ଣାଟକ ଓ ମେଘାଳୟ। ପ୍ରଥମ ଥର ପାଇଁ ଏହି ଜାତୀୟ ପ୍ରତିଯୋଗିତା ବିଦେଶରେ ‌ଖେଳାଯାଉଥିବା ବେଳେ ଖେଳାଳିମାନେ ସୋମବାର ରିୟାଦର କିଙ୍ଗ୍ ଖଲିଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ଅପୂର୍ବ ଉଲ୍ଲାସ ପାଇଛନ୍ତି। ପ୍ରତିଯୋଗିତାକୁ ଦେଶ ବାହାରକୁ ନେଇ ସମାଲୋଚିତ ହେଉଥିବା ସର୍ବଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ଏହି ଅଭିନବ ପ୍ରୟାସକୁ ଭିଜନ୍‌-୨୦୪୭ର ଅଂଶବିଶେଷ ବୋଲି ଦର୍ଶାଇଛି। ମାର୍ଚ୍ଚ ପହିଲାରେ ଭାରତୀୟ ସମୟ ଅପରାହ୍ଣ ୫.୩୦ରେ ପଞ୍ଜାବ-ମେଘାଳୟ ଏବଂ ରାତି ୯.୦୦ରେ ସର୍ଭିସେସ୍‌-କର୍ଣ୍ଣାଟକ ମୁକାବିଲା ହେବ। ଆରବୀୟ କାହାଣୀ ଭଳି ସନ୍ତୋଷ ଟ୍ରଫି ନୂଆ ଶିଖର ଛୁଇଁବାକୁ ଯାଉଥିବା ବେଳେ ପ୍ରଥମ ଥର ସେମିଫାଇନାଲ୍ ଉଠି ମେଘାଳୟ ମଧ୍ୟ ଐତିହାସିକ ମୁହୂର୍ତ୍ତକୁ ଅଧିକ ସ୍ମରଣୀୟ କରିବାକୁ ଆଶା ରଖିଛି।

Advertisment

ମାର୍ଚ୍ଚ ୪ ତାରିଖରେ ଦୁଇ ପରାଜିତ ସେମିଫାଇନାଲିଷ୍ଟ ସଂଧ୍ୟା ୬ଟାରେ କାଂସ୍ୟ ପଦକ ପାଇଁ ‌ଲଢ଼ିବା ପରେ ରାତି ୯.୦୦ରେ ଫାଇନାଲ୍ ଖେଳାଯିବ। ଖେଳାଳିମା‌ନେ ଭିନ୍ନ ଏକ ଅନୁଭବ ପାଇବେ ବୋଲି କହିଛନ୍ତି ମେଘାଳୟ ପ୍ରଶିକ୍ଷକ ଖାଲେନ୍‌ ସିଏମଲି। ଏହି ଐତିହ‌ାସିକ ମୁହୂର୍ତ୍ତ ପାଇଁ ସମ୍ପୂର୍ଣ୍ଣ ଦଳ ଉଲ୍ଲସିତ ଅଛି’ ବୋଲି ପ୍ରକାଶ କରିଛନ୍ତି ସର୍ଭିସେସ୍‌ ମୁଖ୍ୟ ପ୍ରଶିକ୍ଷକ ଏମ‌୍‌ଜି ରାମଚନ୍ଦ୍ରନ। ପଞ୍ଜାବ ମୁଖ୍ୟ ପ୍ରଶିକ୍ଷକ ହରପ୍ରୀତ୍ ସଇନି କହିଛନ୍ତି ‘ଖେଳାଳିଙ୍କ ବିକାଶ ଦିଗରେ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେବ’। କର୍ଣ୍ଣାଟକ ମୁଖ୍ୟ ପ୍ରଶିକ୍ଷକ ରବି ବାବୁ ରାଜୁ କହିଛନ୍ତି ‘ବିଦେଶ ମାଟିରେ ‌ଏହି ଗୁରୁତ୍ବପୂର୍ଣ୍ଣ ପ୍ରତିଯୋଗିତା ଖେଳିବାକୁ ଯାଉଥିବାରୁ ଆମେ ସଭିଏଁ ଉଲ୍ଲସିତ ଅଛୁ। ଏବେ ସଭିଏଁ ଯେଉଁ ଦକ୍ଷତାର ଖେଳାଳି ପ୍ରଦର୍ଶିତ କରିବାର ଅଛି’। ସୂଚନାଯୋଗ୍ୟ, କର୍ଣ୍ଣାଟକ ଦଳରେ ଓଡ଼ିଆ ପୁଅ ବିକି ଓରାମ ସାମିଲ ଅଛନ୍ତି।