ଶାନ୍ତନୁଙ୍କ ଅର୍ଧଶତକ ସତ୍ତ୍ୱେ ଓଡ଼ିଶା ୧୪୭

କଟକ: ଓଡ଼ିଶା ଖେଳାଳିଙ୍କ ଖାମଖିଆଲି ବ୍ୟାଟିଂ ପ୍ରଦର୍ଶନ ଯୋଗୁଁ ଇନ୍ଦୋର ରଣଜୀ ମ୍ୟାଚ୍‌ରେ ଦଳର ପ୍ରଥମ ପାଳି ୧୪୭ ରନ୍‌ରେ ସୀମିତ ରହିଗଲା। କେବଳ ଶାନ୍ତନୁ ମିଶ୍ର (୬୦) ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାର (୩୬)ଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବହୀନ ହୋଇପଡ଼ିଥିଲେ। ଏହି ଦୁଇଜଣଙ୍କ ସହିତ ୫ ମ୍ୟାଚ୍‌ ପରେ ସୁଯୋଗ ପାଇଥିବା ରଂଜିତ ସିଂହ (୧୫)ଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଦୁଇ ଅଙ୍କରେ ବି ପହଞ୍ଚିପାରି ନଥିଲେ। ଲୟକୁ ଫେରିଥିବା ଶୁଭ୍ରାଂଶୁ ସେନାପତି (୬) ଓ ବିପ୍ଳବ ସାମନ୍ତରାୟ ମଧ୍ୟ (୬) ଓଡ଼ିଶା ପ୍ରଶଂସକଙ୍କୁ ନିରାଶ କରିଥିଲେ। ଜବାବରେ ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ମଧ୍ୟପ୍ରଦେଶ ୧ ଓ୍ଵିକେଟ ବିନିମୟରେ ୯୬ ରନ୍‌ ସଂଗ୍ରହ କରିଛି। ଆର୍ଯ୍ୟମାନ ବିର୍ଲାଙ୍କୁ ଗୋବିନ୍ଦ ପୋଦ୍ଦାର ୧୬ ରନ୍‌ରେ ଆଉଟ କରିଥିଲା ବେଳେ ରଜତ ପଟିଦାର ୭୨ ଓ ଅଧିନାୟକ ଦେବେନ୍ଦ୍ର ବୁନ୍ଦେଲା ୭ ରନ୍‌ କରି ଅପରାଜିତ ଅଛନ୍ତି।

ଶନିବାର ସକାଳେ ହୋଲକର ଷ୍ଟାଡିୟମର ପିଚ୍‌ ସାମାନ୍ୟ ଓଦା ଥିଲା। ଏଥସହିତ ପ୍ରଥମ ୩/୪ ଘଣ୍ଟା ବୋଲରଙ୍କୁ ଫାଇଦା ମିଳିବାର ଥିବାରୁ ଦେବେନ୍ଦ୍ର ବୁନ୍ଦେଲା ଟସ୍‌ ଜିତି ବୋଲିଂ ନେଇଥିଲେ। ଓଡ଼ିଶା ଦଳରେ ତିନିଟି ପରିବର୍ତ୍ତନ କରାଯାଇଥିଲା। ସନ୍ଦୀପ ପଟ୍ଟନାୟକଙ୍କ ସ୍ଥାନରେ ରଂଜିତ ସିଂହ ଓ ଧୀରାଜ ସିଂଙ୍କ ସ୍ଥାନରେ ଶୁଭମ୍‌ ନାୟକ ଓଡ଼ିଶା ଦଳକୁ ଫେରିଥିଲେ। ଟସ୍‌ ପଡ଼ିବାର ଅଧଘଣ୍ଟା ଆଗରୁ ବସନ୍ତ ମହାନ୍ତି ଆହତ ଥିବା ପ୍ରଶିକ୍ଷକଙ୍କୁ ଜଣାଇବାରୁ ତାଙ୍କ ସ୍ଥାନରେ ଦୀପକ ବେହେରା ଖେଳିଥିଲେ। ରଂଜିତ ସିଂହ ଓ ନଟରାଜ ବେହେରା ପାଳି ଆରମ୍ଭ କରିଥିଲେ। ମ୍ୟାଚ୍‌ର ପ୍ରଥମ ବଲ୍‌ରେ ରଂଜିତ ସ୍ଲିପ୍‌କୁ ଏକ କ୍ୟାଚ୍‌ ଦେଇଥିଲେ ବି ତାହା ଫିଲ୍ଡରଙ୍କ ପାଖରେ ପହଞ୍ଚିନଥିଲା। କିନ୍ତୁ ଦ୍ୱିତୀୟ ଓଭର ଶେଷ ବଲ୍‌ରେ ନଟରାଜ (୨) ଅଫ୍‌ ଷ୍ଟମ୍ପ୍‌ରେ ପଡ଼ିଥିବା ବଲ୍‌କୁ ଡ୍ରାଇଭ୍‌ କରିବାକୁ ଯାଉଥିବା ବେଳେ ଇନ୍‌ସୁଇଂକୁ ବୁଝିନପାରି ବୋଲ୍ଡ ହୋଇଯାଇଥିଲେ। ତାଙ୍କ ପଛକୁ ରଂଜିତ ସିଂହ (୧୫) ମଧ୍ୟ ସମାନ ଢଙ୍ଗରେ ବୋଲ୍ଡ ହୋଇ ଓଡ଼ିଶାକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ। ଶୁଭ୍ରାଂଶୁ ସେନାପତି (୬) ମଧ୍ୟ ଚନ୍ଦ୍ରକାନ୍ତ ସାକୁରେଙ୍କ ଆଉଟସୁଇଂ ବଲ୍‌କୁ ଓ୍ଵିକେଟ୍‌ ରକ୍ଷକ ଅଙ୍କିତ ଦାନେଙ୍କ ହାତକୁ ଦେଇ ଆଉଟ ହୋଇଥିଲେ। ଗୋବିନ୍ଦ ପୋଦ୍ଦାର ଓ ଶାନ୍ତନୁ ମିଶ୍ର ଚତୁର୍ଥ ଓ୍ଵିକେଟରେ ୪୪ ରନ୍‌ର ଭାଗୀଦାରି କରିଥିଲେ। ଜମି ଆସିଥିବା ଗୋବିନ୍ଦ (୩୬)ଙ୍କୁ ଅଙ୍କିତ ଶର୍ମା ବୋଲ୍ଡ କରିଥିଲେ। ଏହାପରଠୁ ଓଡ଼ିଶାର ଓ୍ଵିକେଟ ଝଡ଼ିବା ପରମ୍ପରା ଲାଗି ରହିଥିଲା। ଗୋଟିଏ ପଟେ ଶାନ୍ତନୁ ରକ୍ଷଣାତ୍ମକ ଖେଳି ନିଜର ଦ୍ୱିତୀୟ ଅର୍ଧଶତକ (୬୦) ହାସଲ କରିଥିଲା ବେଳେ ଅନ୍ୟପଟରେ ଜଣକ ପରେ ଜଣେ ଆଉଟ ହେବାରେ ଲାଗିଥିଲେ। ନିର୍ଭର ଯୋଗ୍ୟ ବିପ୍ଳବ ସାମନ୍ତରାୟ (୬) ଏକ ଓ୍ଵାଇଡ୍‌ ବଲ୍‌କୁ ପଏଣ୍ଟ ଉପରେ ମାରିବାକୁ ଯାଇ ସ୍ଲିପ୍‌ରେ ଧରାପଡ଼ିଥିଲା। ମଧ୍ୟାହ୍ନ ବିରତି ପରେ ରାଜେଶ ଧୂପର (୪) ଇଶ୍ୱର ପାଣ୍ଡେଙ୍କ ଆଉଟ ସୁଇଁ ବଲ୍‌ରେ ବୋଲ୍ଡ ହୋଇଥିଲେ। ନିମ୍ନକ୍ରମରେ ଦୀପକ ବେହେରା ୧, ଆଲୋକ ସାହୁ ୮, ଶୁଭମ୍‌ ନାୟକ ୪* ରନ୍‌ କରିଥିଲେ। ଘରୋଇ ଦଳର ଚନ୍ଦ୍ରକାନ୍ତ ସାକୁରେ ୪, ପୁନୀତ ଦାତେ ୩, ଈଶ୍ୱର ପାଣ୍ଡେ ୨, ଅଙ୍କିତ ଶର୍ମା ୧ ଓ୍ଵିକେଟ ନେଇଥିଲେ।

ସମ୍ବନ୍ଧିତ ଖବର